ଧନୀ ହେବା ପାଇଁ ଲାବରୁ କରୋନା ଭାଇରସ ଲିକ୍
ନ୍ୟୁୟର୍କ : ବିଭିନ୍ନ ସୂତ୍ରକୁ ଏକାଠି କରି ଫକ୍ସ ନ୍ୟୁଜ ଦର୍ଶାଇଛି ଯେ ଚୀନ ବିଶ୍ୱକୁ ନିଜ ଶକ୍ତି ପ୍ରଦର୍ଶନ କରିବା ପାଇଁ କରୋନା ଭୂତାଣୁ ସୃଷ୍ଟି କରିଛି । କରୋନା ଭୂତାଣୁ ଯୋଗୁଁ ଏବେ ଆମେରିକା ଘାଣ୍ଟି ହେଉଥିବା ବେଳେ ଚୀନ ଏହାର ମୁକାବିଲା କରିବା ପାଇଁ ସଫଳ ହୋଇଛି ଏବଂ ତାହାକୁ ଏହା ପ୍ରମାଣିତ କରିବାକୁ ଚାହୁଁଛି । ବିଶ୍ୱର ଶ୍ରେଷ୍ଠ ଅର୍ଥନୀତି ଭାବେ ଏହା ନିଜକୁ ଛିଡା କରାଇବାକୁ ମଧ୍ୟ ଚାହୁଁଛି । ଚୀନର ଏହା ସବୁଠୁ ମହଙ୍ଗା ତଥା ଗୁପ୍ତ କାର୍ଯ୍ୟକ୍ରମ ବୋଲି କୁହାଯାଉଛି ।
ଚୀନ ଦାବି କରି ଆସୁଛି ଯେ ଓହାନ ସହର ସ୍ଥିତ ଏକ ମାଛ ବଜାରରୁ ପ୍ରଥମେ କରୋନା ଭାଇରସ ବ୍ୟାପିବା ଆରମ୍ଭ କରିଥିଲା । ସେଠାକାର କିଛି ଦୋକାନୀ ପ୍ରଥମେ ଭାଇରସ ସଂକ୍ରମିତ ହୋଇଥିଲେ । ହେଲେ ଅନେକ ଏହାକୁ ବିଶ୍ୱାସ କରୁନାହାନ୍ତି । ସେମାନେ ସନ୍ଦେହ କରୁଛନ୍ତି ଯେ ଓହାନ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଭାଇରେଲୋଜି ଲାବରୁ ଦୁର୍ଘଟଣାବଶତଃ ଏହା ଲିକ୍ ହୋଇଛି । ସଂଯୋଗ ବଶତଃ ଉକ୍ତ ଲାବ ସେଇ ବଜାର ଠାରୁ ମାତ୍ର କେଇ ମିଟର ଦୂରରେ ଅବସ୍ଥିତ । ଚୀନ କିନ୍ତୁ ନିଜର ଦୋଷ ଘୋଡ଼ାଇବା ପାଇଁ ମାଛ ବଜାରରୁ ଭାଇରସ ବ୍ୟାପିଛି ବୋଲି କହିଆସୁଛି । ଅନେକ ମଧ୍ୟ କରୋନା ଭାଇରସକୁ ଚୀନର ଏକ ଜୈବିକ ଅସ୍ତ୍ର ବୋଲି ମତ ଦେଇ ଆସୁଛନ୍ତି । ତେବେ ଆମେରିକା ସନ୍ଦେହ କରୁଛି କି କରୋନା ଚୀନର ଏକ ଜୈବିକ ଅସ୍ତ୍ର ନୁହେଁ । ବରଂ ଓହାନ ସ୍ଥିତ ଲାବରେ ପରୀକ୍ଷାନିରୀକ୍ଷା କଲା ବେଳେ ତାହା ଲିକ୍ ହୋଇଯାଇଛି । ଆମେରିକା ମନେ କରୁଛି କି ଚୀନର ଓହାନ ସ୍ଥିତ ଲାବର ଗବେଷକମାନେ ଦେଖାଇବାକୁ ଚାହୁଁଥିଲେ ଯେ ସେମାନେ ସଂକ୍ରାମକ ଭାଇରସ ଚିହ୍ନଟ କରିବାରେ ଆମେରିକାର ବୈଜ୍ଞାନିକମାନଙ୍କ ଠାରୁ ଆଗରେ ଅଛନ୍ତି । ତେଣୁ ସେମାନେ ବାଦୁଡ଼ି ଦେହରୁ କରୋନା ଭାଇରସକୁ ପୃଥକ କରାଯାଇଥିଲା । ହେଲେ ଏହି ସମୟରେ ଅବହେଳା ବଶତଃ ସେଠାକାର ଜଣେ କର୍ମଚାରୀଙ୍କ ଦେହରେ ଉକ୍ତ ଭାଇରସ ପଶିଯାଇଥିଲା । ସେ ହେଉଛନ୍ତି ପେସେଣ୍ଟ ଜିରୋ ଅର୍ଥାତ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଦୁନିଆର ପ୍ରଥମ ବ୍ୟକ୍ତି । ତା’ପରେ ସେଇ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଲୋକଙ୍କୁ ଏହି ଭାଇରସ ଡେଇଁଛି । ଚୀନ ଯେଉଁ ମାଛ ବଜାରରୁ ଭାଇରସ ବ୍ୟାପିଛି ବୋଲି କହୁଛି ତାହା ସତ୍ୟ ନୁହେଁ । କାରଣ ସେଠାରେ ବାଦୁଡି ବିକ୍ରି କରାଯାଏ ନାହିଁ । ଆମେରିକା ଏସବୁ ଦିଗର ଯାଞ୍ଚ କରୁଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କରୋନା ଭାଇରସ ଓହାନ ଲାବରୁ ଲିକ ହୋଇଛି କି ନାହିଁ ତାହାର ତଦନ୍ତ କରାଯାଉଛି । ସେପଟେ ଆମେରିକାର ବିଦେଶ ସଚିବ ମାଇକ ପମ୍ପିଓ ଚୀନକୁ କହିଛନ୍ତି ଯେ ସେ କରୋନା ଭାଇରସ ବ୍ୟାପିବା ସମ୍ପର୍କରେ ସଠିକ ତଥ୍ୟ ଉପସ୍ଥାପନ କରୁ ।


