ଧାମନଗର ବିଧାୟକଙ୍କୁ କାଉଣ୍ଟର କରିବାକୁ ଧାମନଗର-ଫଳପୁର ରାସ୍ତା ଅନୁଧ୍ୟାନ କଲେ ଭଦ୍ରକ ସାଂସଦ

ଧାମନଗର,(ସନ୍ତୋଷ କୁମାର ପ୍ରଧାନ):ବିଳମ୍ବରେ ହେଲେବି ବିଧାୟକଙ୍କୁ କାଉଣ୍ଟର କରିବାକୁ ଫଳପୁର ରାସ୍ତା ନିମ୍ନମାନର ହେଉଥିବା ଅଭିଯୋଗରେ ଅନୁଧ୍ୟାନ କଲେ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ । କହିଲେ କାମ ଠିକ୍ ହେଉଛି ଠିକାଦାର ଭଲ କାମ କରୁଛନ୍ତି । ଏବେ ପ୍ରଶ୍ନ ସାଧାରଣ ଲୋକେ କଣ ମିଛରେ ଅଭିଯୋଗ କରୁଥିଲେ ?ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଖବର କଣ ମିଛ ? ବଡ଼ କଥା ହେଉଛି କାମ ନିମ୍ନମାନର ହୋଇଛି । ତେଣୁ ସେହି କାମକୁ ଆଉ ଥରେ କରିବାକୁ ଜେଇଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଖୋଦ୍ ଗ୍ରାମ୍ୟ ଉନ୍ନୟନ ବିଭାଗ (ଓଡିଶା ) ଟୁଇଟ୍ କରି ଜଣାଇଥିଲେ ହେଲେ ଏବେ ସାଂସଦ କହୁଛନ୍ତି କାମ ଭଲ ହେଉଛି । ତେବେ ସାଂସଦଙ୍କ ଏହି ମନ୍ତବ୍ୟକୁ ନେଇ ମଧ୍ୟ ସାଧାରଣରେ ବହୁ ଚର୍ଚ୍ଚା । ମରାମତି କାମ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ପରେ ଗୁରବାର ପୂର୍ବାହ୍ନରେ ସାଂସଦ ଶ୍ରୀମତି ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ସମିତି ସଭ୍ୟ ହରେକୃଷ୍ଣ ପାଢ଼ୀ ଓ ବହୁ ଦଳୀୟ କର୍ମୀ ବିରୁହାଁରେ ପହଞ୍ଚିଥିଲେ । ଏହାପରେ ସେଠାରୁ ବିଭିନ୍ନ ଅଞ୍ଚଳକୁ ଯାଇ ରାସ୍ତା ମରାମତି କାମ ଦେଖିଥିଲେ । ସାଂସଦଙ୍କ ଗସ୍ତ ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଏହାସହ ରାସ୍ତା ମରାମତି କାମ ଅଳ୍ପ କେଇ ମିଟର ଖରାପ ହେଉଥିଲା , ପରେ ତାହା ଠିକ୍ କରାଯାଇଛି । ଏବେ ରାସ୍ତା କାମ ଠିକ୍ ହେଉଛି ବୋଲି ସାଂସଦ ଶ୍ରୀମତି ମଣ୍ଡଳ କହିଛନ୍ତି । ତା ଛଡ଼ା ରାସ୍ତାର ଦୁଇ ଧାର ଖାଲୁଆ ହୋଇଯାଇଥିବାରୁ, ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକଙ୍କ ଦାବି ଅନୁସାରେ ନାଲିଗୋଡ଼ି ପକାଇ ତାହାକୁ ଉଚ୍ଚା କରାଯିବ ବୋଲି ସାଂସଦ କହିଛନ୍ତି । ତେବେ ରାସ୍ତା ମରାମତି ଖରାପ ହେଉଥିବା କହି ବିରୋଧୀ ଦଳ ଅଯଥା ରାଜନୀତି କରୁଛନ୍ତି । ତା ସହିତ ମରାମତି କାମରେ ବାଧା ସୃଷ୍ଟି କରୁଛନ୍ତି ବୋଲି ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ରାସ୍ତାର ବିକାଶ ଓ ନିୟମିତ ବ୍ୟବଧାନରେ ମରାମତି କରିବା ଲାଗି ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି ବୋଲି ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କହିଛନ୍ତି । ଧାମନଗରରୁ ଫଳପୁର ପର୍ଯ୍ୟନ୍ତ ୬.୭ କିଲୋମିଟର ଲମ୍ବର ରାସ୍ତାଟି ରକ୍ଷଣାବେକ୍ଷଣ ଅଭାବରୁ ଖରାପ ହୋଇ ପଡ଼ିଥିଲା । ବିଭିନ୍ନ ସମୟରେ ଦାବି ପରେ ଗତବର୍ଷ ସେପ୍ଟେମ୍ବରରେ ରାସ୍ତା ସମଯାନୁସାରେ ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ୧ କୋଟି ୧୮ ଲକ୍ଷ ଟଙ୍କାରେ କାର୍ଯ୍ୟ ପାଇଁ ଟେଣ୍ଡର କରିଥିଲେ । ସ୍ଥାନୀୟ ଠିକାଦାର ଏହାକୁ ୧୪ ପ୍ରତିଶତ କମରେ ଠିକା ନେଇଛନ୍ତି । ଏଣୁ କାମ ଏବେ ୧ କୋଟି ୮୦ ହଜାର ଟଙ୍କାରେ ହେଉଛି । ରାସ୍ତା ମରାମତି କାମ ପାଇଁ ବିଧାୟକ ବିଷ୍ଣୁ ଚରଣ ସେଠୀ ବିଧାନସଭାରେ ଦାବି ଉଠାଇଥିବାରୁ କିଛି ମାସ ପୂର୍ବରୁ ତାଙ୍କ ସମର୍ଥକ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।  ପୁଣି ଏହାର କିଛିଦିନ ପରେ ସାଂସଦ ଏହାର ଶିଳାନ୍ୟାସ କରିଥିଲେ । ଶେଷରେ ଗତ ଡିସେମ୍ବର ମାସରୁ କାମ ଆରମ୍ଭ ହୋଇଛି। ପିଚୁ ଓ କଂକ୍ରିଟ ରାସ୍ତା ହେଉଥିବାବେଳେ କେତେକ ସ୍ଥାନରେ ରାସ୍ତା କାମ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ଆସିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ