ଧାର୍ମିକ ଭାବନାକୁ ନେଇ ଠକେଇ : ୩ ଗିରଫ : ୧୦ ହଜାର ଟଙ୍କା ଜବତ
ବୁଗୁଡ଼ା, (ଅନିଲ କୁମାର ମହାରଣା) :ଆଧ୍ୟାତ୍ମିକ ଭାବନାକୁ ନେଇ ଠକେଇ। ମନ୍ଦିର ନିର୍ମାଣ ପାଇଁ ମୁକ୍ତ ହସ୍ତରେ ଦାନ କରନ୍ତୁ କହି ହଜାର ହଜାର ଟଙ୍କା ଆତ୍ମସାତ । ଏଭଳି ଏକ ଧାର୍ମିକ ଭାବନାକୁ ନେଇ ମଙ୍ଗଳବାର ଦିନ ମନ୍ଦିର ନିର୍ମାଣ ପାଇଁ ଅର୍ଥ ଆଦାୟ କରୁଥିବା ଘଟଣାର ପର୍ଦାଫାସ୍ କରିବାରେ ସଫଳ ହୋଇଛି ପୋଲସରା ପୋଲିସ । ପୋଲସରା ଥାନା ଆରକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକ ମାର୍ଚ୍ଚ ୮ ତାରିଖ ଦିନ ଜନସାଧାରଣଙ୍କ ଧାର୍ମିକ ଭାବନାକୁ ନେଇ ମନ୍ଦିର ନିର୍ମାଣ କରିବାକୁ କହି ଠକି ନେଉଥିବା ୩ ଜଣ ଖଳ ପ୍ରକୃତିର ବ୍ୟକ୍ତିଙ୍କୁ ପୋଲସରା ପୋଲିସ ଗିରଫ କରିଥିବା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଟକ ହୋଇଥିବା ବ୍ୟକ୍ତି ମାନେ ଏକ ଗାଡିରେ ଡାକବାଜି ଯନ୍ତ୍ର ଦ୍ବାରା ପୋଲସରା ସହରର ଓ ଆଖପାଖ ଅଞ୍ଚଳରେ ମାଁ ଶୁଳିଆ ଠାକୁରାଣୀ ମନ୍ଦିର ନିର୍ମାଣ ପାଇଁ ଦାନ କରିବାକୁ କହି ଅର୍ଥ ଆଦାୟ କରୁଥିଲେ । ସେମାନେ ନଗଦ ୧୦ ହଜାର ୧୫୦ ଟଙ୍କା ଆଦାୟ କରିବା ସହ ୫ କୁଇଣ୍ଟାଲ ଚାଉଳ ଏକ କୁଇଣ୍ଟାଲ ପନିପରିବା ଆଦାୟ କରି ଯାଉଥିବା ବେଳେ ପୋଲସରା ଥାନା ଆଇଆଇସି ଶ୍ରୀମଲ୍ଲିକଙ୍କ ନଜରକୁ ଆସିଥିଲା। ପୋଲିସର ସନ୍ଦେହ ହେବାରୁ ଅଟୋ ସହିତ ସମସ୍ତ ସାମଗ୍ରୀ ଓ ଧାର୍ମିକ ବିଶ୍ୱାସ ଜମାଇ ଲୋକଙ୍କ ଠାରୁ ଠକେଇ କରୁଥିବା ୩ ଜଣ ଠକକୁ ପୋଲସରା ପୋଲିସ ଗିରଫ କରିଥିବା ଜଣାପଡିଛି । ଲୋକଙ୍କ ଧାର୍ମିକ ଭାବନାକୁ ଅସ୍ତ୍ର କରି ଅର୍ଥ ଉପାର୍ଜନ କରିବା ପାଇଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମ ଓ ସହର ଗୁଡ଼ିକରେ ଏଭଳି ମନ୍ଦିର ନିର୍ମାଣ କାର୍ଯ୍ୟ କରିବା ପାଇଁ ଗାଡ଼ି ମଟର ଧରି ଅର୍ଥ ଆଦାୟ କରାଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଆହୁରି ମଧ୍ୟ ଶୁଣା ଯାଉଛିଯେ ମାଷ୍ଟର ମାଇଣ୍ଡ ଏହି ଗାଡ଼ିଦେଇ ପଠାଉଥିବା ବେଳେ ଆଦାୟ କରି ନେଉଥିବା ବ୍ୟକ୍ତି ମାନଙ୍କୁ ମୋଟା ଅଙ୍କର ଟଙ୍କା ଦେବାସହ ନିଜେ କୋଟିପତି ହୋଇଗଲେଣି। ନୀରିହ ଲୋକଙ୍କ ସରଳ ଆଧ୍ୟାତ୍ମିକ ବିଶ୍ୱାସ ଉପରେ ଆଧାର କରି ଟଙ୍କା ରୋଜଗାର କରିବାର ଏକ ବଡ଼ ଷଡ଼ଯନ୍ତ୍ର ଚାଲିଥିବା ନେଇ ବିଭିନ୍ନ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ସମସ୍ତ ଟଙ୍କା ପୋଲିସ ଜବତ କରିବା ସହ ତିନି ଜଣ ଠକକୁ ପୋଲିସ ଗିରଫ କରି ପୋଲସରା ଥାନା କେସ ନମ୍ବର ୧୦୦/୨୨ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆସନ୍ତା କାଲି ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି। ଜନସାଧାରଣ ଏହି ଠକ ମାନଙ୍କ ପ୍ରତି ସଚେତନ ରହିବା ଆବଶ୍ୟକତା ରହିଥିବା ବେଳେ ସ୍ଥାନୀୟ ପ୍ରଶାସନ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ସର୍ବସାଧାରଣରେ ଦାବି ହେଉଛି ।


