କାର୍‌ ବ୍ୟବସାୟ ପାଇଁ ସହାଯାଗୀ ସନ୍ଧାନରେ ଟାଟା

ନୂଆଦିଲ୍ଲୀ: ଟାଟା ମୋଟର୍ସ ଏହାର କାର୍‌ ବ୍ୟବସାୟ ପାଇଁ ଏକ ସହଯୋଗୀ ସଂସ୍ଥା ସନ୍ଧାନରେ ଥିବା ଜଣାପଡ଼ିଛି। ପରବର୍ତୀ ପିଢ଼ିର ଅଭିବୃଦ୍ଧି ହାସଲ କରିବା ଦିଗରେ ଏକ ନୂତନ ସହଯୋଗୀ ସଂସ୍ଥା ବିଶେଷ ସହାୟକ ହୋଇପାରିବ ବୋଲି କଂପାନି ଭାବୁଛି। କାର୍‌ ବ୍ୟବସାୟ ଏକ ସମ୍ପୂର୍ଣ୍ଣ ଅଲଗା ସଂସ୍ଥାରେ ପରିଣତ କରିବା ଲାଗି ଯେଉଁ ପ୍ରସ୍ତାବ ଆସିଥିଲା ତାହାକୁ କଂପାନିର ବୋର୍ଡ ମଞ୍ଜୁର କରିଥିଲା। ଏହି ନୂଆ ସଂସ୍ଥା ଅଧୀନରେ ଟାଟା ମୋଟର୍ସର କାର୍‌, ଇଲେକ୍‌ଟ୍ରିକ୍ ଯାନ ଏବଂ ସେହି ଦୁଇ ବ୍ୟବସାୟ ସହ ଜଡ଼ିତ ସମସ୍ତ ସମ୍ପତ୍ତି, କର୍ମଚାରୀ ଏବଂ ବୌଦ୍ଧିକ ସମ୍ପତ୍ତି ରହିବ । କଂପାନିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆସନ୍ତା ଦଶନ୍ଧୀରେ ନୂତନ ପ୍ରଯୁକ୍ତି ଓ ନିୟାମକ ବ୍ୟବସ୍ଥା ଲାଗି ବିପୁଳ ପରିମାଣର ପୁଞ୍ଜିନିବେଶ କରିବାକୁ ହେବ। ସେଥିପାଇଁ ଆମେ ଏକ ସହଯୋଗୀ ସଂସ୍ଥା ସନ୍ଧାନରେ ରହିଛୁ। ଏଭଳି ସହଯୋଗିତା ଉତ୍ପାଦ ଜୀବନଚକ୍ରକୁ କମ୍ କରିବ ଏବଂ ନୂତନ ଉତ୍ପାଦ ଉନ୍ମୋଚନ ବଢ଼ାଇପାରିବ। ସେଥିପାଇଁ ବହୁତ ପୁଞ୍ଜିନିବେଶ ଦରକାର ବୋଲି ସେ କହିଛନ୍ତି। ଗମନାଗମନ କ୍ଷେତ୍ରରେ ସାରା ବିଶ୍ବରେ ବଡ଼ ଧରଣର ପରିବର୍ତନ ହୋଇଛି। ଇଲେକ୍‌ଟ୍ରିକ୍ ଯାନ ପ୍ରତି ଲୋକମାନଙ୍କ ଆଗ୍ରହ ବଢ଼ୁଥିବା ବେଳେ ଓଲା, ଉବର୍‌ ଭଳି ସେବାର ଗ୍ରହଣୀୟତା ବଢ଼ିଛି। ଏହା ସାରା ବିଶ୍ବର ଗାଡ଼ି କଂପାନିଗୁଡ଼ିକ ଉପରେ ପ୍ରଭାବ ପକାଇଛି। ସେମାନେ ଉତ୍ପାଦ ବିକଶିତ କରିବାରେ ହେଉଥିବା ଖର୍ଚ୍ଚ କମ୍ କରିବା ଉପରେ ଜୋର ଦେଉଛନ୍ତି। ସେଥିପାଇଁ ଅନେକ ବିଶ୍ବସ୍ତରୀୟ କଂପାନି ଯଥା ଫୋର୍ଡ, ଟୟୋଟା, ସୁଜୁକି, ଫକ୍ସୱାଗନ, ଡେମଲର୍‌, ଅଡି ଓ ବିଏମ୍‌ଡବ୍ଲୁ ଭଳି ସଂସ୍ଥା ପରଷ୍ପର ସହ ମିଶି ବିଭିନ୍ନ ପ୍ରକାର ପ୍ରଯୁକ୍ତି ଯଥା ନୂତନ ଯାନ ପ୍ଲାଟଫର୍ମ, ସ୍ବୟଂଚାଳିତ ଗାଡ଼ି ଚାଳନା ଏବଂ ଚାର୍ଜିଂ ସମାଧାନ ଆଦି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଟାଟା ମୋଟର୍ସ ଏହାର କାର୍‌ ବ୍ୟବସାୟ ପାଇଁ ସହଯୋଗୀ ସନ୍ଧାନରେ ଥିବା ବିଷୟ ନିଜ ଆଡ଼ୁ ଆଜି ପର୍ଯ୍ୟନ୍ତ ପ୍ରକାଶ କରିନାହିଁ। ଭାରତର ପ୍ରଥମ ସ୍ବଦେଶୀ କାର ଇଣ୍ଡିକା ଜରିଆରେ ଏହା ସାରା ଦେଶରେ ବିପ୍ଳବ ଆଣିଥିଲା। ଏହା ପରେ ଅନେକ ଉତ୍ପାଦ ଏହା ବଜାରକୁ ଆଣିଥିଲା ଯେଉଁଥିରୁ କିଛି ଗ୍ରହଣୀୟ ହୋଇଥିଲା ଓ ଆଉ କିଛି ଫ୍ଲପ୍ ସାବ୍ୟସ୍ତ ହୋଇଥିଲା। ଦେଢ଼ ବର୍ଷ ପୂର୍ବେ ଆସିଥିବା ଟିଆଗୋ ଏହାର ଗୌରବ ଫେରାଇ ଆଣିବାରେ ସଫଳ ହୋଇଥିଲା। ଚଳିତ ବର୍ଷ ଲକ୍‌ଡାଉନ୍ ଘୋଷଣା ହୋଇଥିବା ସତ୍ତ୍ବେ ପ୍ରଥମ ଛଅ ମାସରେ କଂପାନି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗତ ଜୁଲାଇ-ସେପ୍ଟେମ୍ବରରେ କଂପାନି ୧୮% ଅଭିବୃଦ୍ଧି ହାସଲ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ