ନଦୀପଠାରୁ ରାତିଅଧିଆ ବାଲି ଚାଲାଣ, ପ୍ରଶାସନ ନୀରବ
ହିଞ୍ଜିଳିକାଟୁ, (ଯୁଗାବ୍ଧ ନ୍ୟୁଜ/ଶେଷଦେବ ସାହୁ): ଓଡ଼ିଶା ବାଲି ଆନ୍ଧ୍ରରେ ସୁନା । ପ୍ରତିଦିନ ରାତି ଅଧରେ ହିଞ୍ଜିଳିକାଟୁ ତହସିଲ ସିଙ୍ଗିପୁର ଓ ଖଣ୍ଡରା ନିକଟସ୍ଥ ଘୋଡ଼ାହାଡ଼ ନଦୀ ପଠାରୁ ଲକ୍ଷାଧିକ ଟଙ୍କାର ବାଲି ଚୋରାଚାଲାଣ ହେଉଥିବା ଜଣାପଡ଼ିଛି ।ବାଲି ମାଫିଆ ମାନେ କୋଟି କୋଟି ଟଙ୍କା ଆୟ କରୁଥିବା ବେଳେ ରାଜ୍ୟ ସରକାରଙ୍କ ବାର୍ଷିକ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ହେଉଛି । ଗତ କିଛି ମାସ ପୂର୍ବରୁ ହିଞ୍ଜିଳିକାଟୁ ରାଜସ୍ୱ ବିଭାଗ ପକ୍ଷରୁ ଧରପଗଡ଼ କରାଯାଇ ଚୋରାଚାଲାଣ କରୁଥିବା ବାଲି ବୋଝେଇ ଟ୍ରାକ୍ଟର ଓ ଟ୍ରକ ଗୁଡ଼ିକୁ ଜବତ କରାଯିବା ସହ ଲକ୍ଷ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାିଥିଲା । କିଛି ଦିନର ନିରବତା ପରେ ବାଲି ମାଫିଆ ମାନେ ପୁଣିଥରେ ସକ୍ରିୟ ହୋଇ ଉଠିଛନ୍ତି । ଫଳରେ ବାଲି ମାଫିଆ ମାନେ ରାଜସ୍ୱ ବିଭାଗୀୟ କର୍ମଚାରୀ ମାନଙ୍କୁ ଖୋଲା ଚ୍ୟାଲେଞ୍ଜ କରି ରାତି ଅଧରେ ନଦୀପଠାରୁ ବାଲି ଚୋରାଚାଲାଣ କରୁଛନ୍ତି । ଏଭଳି ସ୍ଥିତ ଜାରି ରହିଲେ ନଦୀର ଗତିପଥ ବଦଳିଯିବା ସହ ଭବିଷ୍ୟତରେ ସିଙ୍ଗିପୁର ଗ୍ରମ ପ୍ରତି ବିପଦ ସୃଷ୍ଟି ହେବ ବୋଲି ଗ୍ରାମବାସୀ ଆଶଙ୍କା ସୃଷ୍ଟି କରିଛନ୍ତି । ବାଲିମାଫିଆ ମାନଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ଯୋଗୁଁ ସଂପୃକ୍ତ ଗ୍ରାମବାସୀ ଭୟରେ ମୁହଁ ଖୋଲୁନାହାନ୍ତି । ଏପରିକି ବାଲି ଚୋରାଚାଲାଣ ସମୟରେ ଚୋରା ଗାଡ଼ି ବ୍ୟବହାର କରାଯାଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାତି ଅଧରେ ଚୋରା ବାଲି ଚାଲାଣ କରାଯାଉଥିବା ବେଳେ ଟ୍ରାକ୍ଟର ଓ ଟ୍ରକ ଗୁଡ଼ିକ ବେପାରୁଆ ଭାବେ ଗ୍ରମ ମଧ୍ୟଦେଇ ଗାଡ଼ି ଚାଳନା କରୁଥିବାରୁ ଭୟରେ ଗ୍ରାମବାସୀ ବାହାରକୁ ବାହାରୁନଥିବା କହିଛନ୍ତି । ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଏଦିଗରେ ଦୃଷ୍ଟି ଦେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି ନଚେତ ଆଗାମୀ ଦିନରେ ଏକ ବିରାଟ ଜନ ଆନ୍ଦୋଳନ ଗଢି ଉଠିବ ଏଥିରେ ନିସନ୍ଦେହ ।


