ନାଉଗାଁ ବ୍ଲକରେ କିରୋସିନ ଯୋଗାଣରେ ଅନିୟମିତତା

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ଯୋଗାଣ ସାମଗ୍ରୀ ବଂଟନରେ ସ୍ୱଚ୍ଛତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଆଇନ କାର୍ଯ୍ୟକାରୀ ହେଉଛି । ଏହି ଆଇନିକୁ କାର୍ଯ୍ୟକାରୀ କରିବା ପାଇଁ ସରକାରୀସ୍ତରରେ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି । କିନ୍ତୁ କିଛି ଅସାଧୁ ଅଧିକାରୀଙ୍କ ଯୋଗୁଁ ଯୋଗାଣ ସାମଗ୍ରୀ ବଂଟନରେ ସ୍ୱଛତା ରକ୍ଷା କରାଯାଇ ପାରୁନାହିଁ । ଯାହାର ଫାଇଦା ଡିଲର ଓ ହୋଲସେଲରମାନେ ନେଉଛନ୍ତି । ଦିନରେ ରିଟେଲର ପଂଏଟରେ କିରୋସିନ ଦେବାର ନିୟମ ରହିଥିବା ବେଳେ ତେଲ କଳାବଜାରୀ ଉଦ୍ଦେଶ୍ୟରେ ଯୋଗାଣ ବିଭାଗ ଗାଡି ବିଳମ୍ବିତ ରାତିରେ ଆସି ଅନ୍ୟସ୍ଥାନରେ ଡିଲରମାନଙ୍କୁ କିରୋସିନ ଯୋଗାଇ ଦିଆଯାଉଛି । କିରୋସିନ ବଂଟନରେ ଏହି ଭଳି ଅନିୟମିତତା ନାଉଗାଁ ବ୍ଳକରେ ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ନାଉଗାଁ ବ୍ଲକର ୧୬ଟି ପଂଚାୟତରେ ଯୋଗାଣ ସାମଗ୍ରୀ ହିତାଧିକାରୀମାନଙ୍କୁ ଯୋଗାଇ ଦେବା ପାଇଁ ୩୧ଟି ଖୁଚୁରା ବିକ୍ରେୟତା କେନ୍ଦ୍ର ଖୋଲା ଯାଇଛି । ଏହି ସବୁ କେନ୍ଦ୍ରରେ ୧୫,୩୧୩ ପରିବାରରେ ରହିଛନ୍ତି । ସରକାରଙ୍କ ପକ୍ଷରୁ ପ୍ରତି ପରିବାର ପିଛା ୨.୫ ଲିଟର ଯୋଗାଇ ଦେବା ପାଇଁ ଆଲଟମେଂଟ କରାଯାଇଛି ।ଏସବୁ କେନ୍ଦ୍ରକୁ କିରୋସିନ ଯୋଗାଇବା ପାଇଁ ଏମ/ଏସ ମଙ୍ଗିଲାଲ ହରିକ୍ରିଷ୍ଣ ନାମକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ଉକ୍ତ ସଂସ୍ଥା ପକ୍ଷରୁ ସରକାରୀ ପଂଜିକୃତ ବିକ୍ରୟ କେନ୍ଦ୍ରରେ କିରୋସିନ ତେଲ ପହଁଚାଇବା ପାଇଁ ଚୁକ୍ତି କରିଛନ୍ତି । କିନ୍ତୁ ସଂପୃକ୍ତ ହୋଲସେଲର(ସଂସ୍ଥା) କିରୋସିନ ତେଲକୁ ରିସାଇକେଲିଙ୍ଗି କରିବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ସଲାସୁତରା କରି ପିଡିଏସ ଗାଡିକୁ ଚୁକ୍ତି ଅନୁସାରେ ନ ଲଗା ଯାଇ ବିଳମ୍ବିତ ରାତ୍ରିରେ ଅଣପଜିକୃତ ସ୍ଥାନ ମାନଙ୍କରେ ଲଗାଯାଉଛି । ଏହି ସ୍ଥାନରୁ ସଂପୃକ୍ତ ଡିଲରମାନେ ନିଜ ହାତରୁ ଶହ ଶହ ଟଙ୍କା ଖର୍ଚ୍ଚ କରି କିରୋସିନ ନେବା ପାଇଁ ଆସୁଛନ୍ତି । ଉକ୍ତ ଖୁଚୁରା ବିକ୍ରୟତାମାନେ ବିଳମ୍ବିତ ରାତ୍ରି ଓ ଦୁରସ୍ଥାନକୁ ତେଲ ଆଣି ରାସ୍ତାରେ କଳାବଜାରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଅନ୍ୟପଟରେ ଏ ସମସ୍ତ କେନ୍ଦ୍ରରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକରେ ମାଧ୍ୟମରେ କେନ୍ଦ୍ରରେ ମୋଟ କେତେ ହିତାଧିକାରୀ,କାର୍ଡ ପିଛା କେତେ କିରୋସିନ ଓ ଲିଟର ପିଛା କେତେ ଟଙ୍କା ଦର୍ଶାଇବା ପାଇଁ ସରକାରୀ ନିୟମ ରହିଛି । କିନ୍ତୁ ଏହି ନିୟମକୁ କୌଣସି କେନ୍ଦ୍ର ପକ୍ଷରୁ କାର୍ଯ୍ୟକାରୀ କରାଯାଉ ନଥିବା ଦେଖିବାକୁ ମିଳିଛି । ଯାହାର ଫାଇଦା ନେଇ ଡିଲରମାନେ ମନମୁଖୀ କାର୍ଡ ପିଛା ୩୦୦ରୁ ୫୦୦ ମିଲି ଲିଟରରୁ କମ କିରୋସିନ ହିତାଧିକାରୀମାନଙ୍କୁ ଦେଉଥିବା ବେଳେ ଲିଟର ପିଛା ସରକାରଙ୍କ ଧାର୍ଯ୍ୟ ମୁଲ୍ୟ ଠାରୁ ଅଧିକ ନେଉଥିବା ଅଭିଯୋଗ ହେଉଛି । ଏ ସଂର୍ପକରେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରାଗଲେ ମଧ୍ୟ ସେମାନେ ଜାଣିଶୁଣୀ ଚୁପ ରହୁଛନ୍ତି । ଏ ସଂର୍ପକରେ ଜିଲ୍ଲା ଯୋଗାଣ ଅଧିକାରୀ ଦିଲ୍ଲିପ ପାତ୍ରଙ୍କୁ ପଚାରିବାରୁ ପ୍ରତି ଡିଲର ପଂଏଟରେ ପହଁଚି କିରୋସିନ ଯୋଗାଇ ଦେବା ସମ୍ଭବ ହେଉନାହିଁ । ତେଣୁ କେତୋଟି ଡିଲର ପଂଏଟକୁ ନେଇ ଏକ ସ୍ଥାନ ସ୍ଥିରୀକୃତ କରାଯାଇ ଡିଲରମାନଙ୍କୁ କିରୋସିନ ଯୋଗାଇ ଦିଆଯାଉଛି । କିନ୍ତୁ ଉକ୍ତ ସ୍ଥାନରୁ କିରୋସିନ ନେବା ଭଡା ବିଭାଗ ପକ୍ଷରୁ ଦେବାର ନିୟମ ରହିଛି କି ବୋଲି ପଚାରିବାରୁ ସେମାନେ ନିଜ ଖର୍ଚ୍ଚରେ କିରୋସିନ ନେଇଥାନ୍ତି ବୋଲି କହିଥିଲେ । କିନ୍ତୁ ରାତ୍ରିରେ ଯୋଗାଇ ଦିଆଯାଉଥିବା କିରୋସିନ ବିଷୟରେ ପଚାରିବାରୁ ଯୋଗା ଯୋଗ ବିଛିନ୍ନ କରି ଦେଇଥିଲେ । ଏଥିପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ