ନାବାଳିକାଙ୍କ ବାଲ୍ୟବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର କଇଠଡା ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଏକ ନାବାଳିକାଙ୍କ ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ । ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ବିଶ୍ୱସ୍ଥ ସୂତ୍ରରୁ ଗୋଷାଣୀ ବାଲ୍ୟବିବାହ ନିଷେଧ ଅଧିକାରିଣୀ ଗୌରୀ କୁମାରୀ ନାୟକ ଜାଣିବାକୁ ପାଇଥିଲେ । ଶ୍ରମତୀ ନାୟକ ଖବର ପାଇ ବାଲ୍ୟବିବାହ ନିଷେଧ ଟାସ୍କଫୋର୍ସରେ ଥିବା ଅନ୍ୟ ସଦସ୍ୟମାନଙ୍କୁ ଅବଗତ କରିଥିଲେ । ଏହାପରେ ବଲ୍ୟ ବିବାହକୁ ରୋକିବା ନିମନ୍ତେ ଏକ ଟିମ୍ ଗଠନ କରାଯାଇଥିଲା । ଉକ୍ତ ଟିମ୍‌ରେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ, ଆଇସିଡିଏସ୍ ସୁପରଭାଇଜର୍ ନାଗୁ ରତ୍ନମ୍‌, ଗୁରାଣ୍ଡି ଥାନା ଅଧିକାରୀ ରବିନ୍ଦ୍ର କୁମାର ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଆଇନ ପରିବେକ୍ଷଣ ଅଧିକାରୀ ଜୟପ୍ରକାଶ ବାଡତ୍ୟା, ସଖୀ-ୱାନ-ଷ୍ଟପ କେନ୍ଦ୍ରର ପରିଚାଳିକା ଭାଗ୍ୟଲକ୍ଷ୍ମୀ ନାୟକ, ୟୁଏନ୍‌ଏଫ୍‌ପିଏର ଜିଲ୍ଲା ପ୍ରତିନିଧି ସଂଯୁକ୍ତା ତ୍ରିପାଠୀ ଏବଂ ଚାଇଲ୍ଡଲାଇନର ସଦସ୍ୟ ବି.ସୌଜନ୍ୟା ପ୍ରମୁଖ ଉକ୍ତ ଗ୍ରାମକୁ ଯାଇ ହେବାକୁ ଥିବା ବାଲ୍ୟ ବିବାହକୁ ସ୍ଥଗିତ କରିଥିଲେ । ଏହାପରେ ବିବାହ ହେବାକୁ ଥିବା ଝିଅର ଜନ୍ମ ପ୍ରମାଣ ପତ୍ର ଯାଞ୍ଚ କରାଯାଇଥିଲା ଏବଂ ଅଭିଭାବକଙ୍କୁ ବାଲ୍ୟବିବାହର କୁପ୍ରଭାବ ଉପରେ ବିଷଦ ଭାବରେ ବୁଝାଯାଇଥିଲା । ଗ୍ରାମବାସୀଙ୍କ ଉପସ୍ଥିତିରେ ଝିଅର ଅଭିଭାବକ ଝିଅଟିକୁ ୧୮ ବର୍ଷ ପୂରଣ ନହେବାଯାଏ ବିବାହ ଦେବୁ ନାହିଁ ଏବଂ ଯଦି ଏଥିରେ ତ୍ରୁଟି କରିବୁ ତେବେ ଆଇନ ଅନୁଯାୟୀ ଦଣ୍ଡ ପାଇବୁ ବୋଲି ଲିଖିତ ଆକାରରେ ଜଣାଇଛନ୍ତି । ଟାସ୍କଫୋର୍ସ ଦ୍ୱାରା ଝିଅକୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନ କରାଯାଇଥିଲା । ଝିଅଟିକୁ ୧୮ ବର୍ଷ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ବାଲ୍ୟ ବିବାହ ନିରୋଧ ଟାସ୍କଫୋର୍ସ ଦ୍ୱାରା ନିୟମିତ ପରାମର୍ଶ ଦେବା ସହ ଆବଶ୍ୟକ ଥଇଥାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିବାର ପ୍ରଶାସନ ସୂତ୍ରରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ