ନିଖୋଜ ଦୁଇ ନାବାଳକଙ୍କ ମଧ୍ୟରୁ ଜଣକର ଶବ ବଂଶଧାରାରୁ ଉଦ୍ଧାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ମହକୁମାରେ ଗତକାଲି ରାତିରେ ୨ଜଣ ନାବାଳକ ସେମାନଙ୍କ ଘରୁ ନିଖୋଜ ଥିଲେ । ସେମାନେ ହେଲେ କାଶୀନଗରର ଟାଟା କଲୋନୀର ରଂଜନ ସ୍ୱାଇଁ ଓ ବାସଲିଙ୍ଗମ ଗଣେଷ । ଏମାନଙ୍କ ପରିବାର ବର୍ଗଙ୍କ ଦ୍ୱାରା କାଶୀନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ଆଜି ସକାଳୁ ପୋଲିସ କାଶୀନଗର ପଞ୍ଚମୁଖୀ ବୀର ହନୁମାନ ମନ୍ଦିର ନିକଟସ୍ଥ ବଂଶଧାରା ନଦୀ ପଠାରୁ ଏହି ଦୁଇ ନାବାଳକଙ୍କ ସାଇକେଲ, ଚପଲ ଓ ପୋଷାକ ପାଇଥିଲେ । ସନ୍ଦେହରେ ପୋଲିସ ଦମକଳ ବାହିନୀ ଦ୍ୱାରା ଖୋଜା ଖୋଜି କରିବା ପରେ ବଂଶଧାରା ନଦୀ ପଠାରୁ ନାବାଳକ ରଂଜନ ସ୍ୱାଇଁଙ୍କ ମୃତ ଦେହ ଉଦ୍ଧାର କରିଥିଲେ । ଖବର ଲେଖିବା ସୁଦ୍ଧା ଦମକଳବାହିନୀ ଦ୍ୱାରା ବଂଶଧାରା ନଦୀରେ ଖୋଜା ଚାଲିଛି । ହେଲେ ନିଖୋଜ ଥିବା ଅନ୍ୟ ଜଣେ ନାବାଳକ ବାସଲିଙ୍ଗମ ଗଣେଶର ପତ୍ତା ମିଳିନାହିଁ ।


