ନିପୁଣ ଓଡିଶା ମିଶନର ଜିଲ୍ଲା ସ୍ତରୀୟ ଶୁଭ ଉନ୍ମୋଚନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା ପକ୍ଷରୁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନିପୁଣ ଓଡିଶା ମିଶନ-୨୦୨୪ର ଜିଲ୍ଲା ସ୍ତରୀୟ ଶୁଭ ଉନ୍ମୋଚନ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ନିଲୁ ମହାପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ । ପ୍ରଥମେ ଅତିଥି ମାନେ ଶ୍ରୀବଳଦେବଜୀଉଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ମହାକାଳପଡା ବିଧାୟକ ଡ. ନାୟକ କହିଲେ ଯେ ଶିକ୍ଷା ବ୍ୟବସ୍ଥା ହେଉଛି ଏମିତି ଏକ ଶିଡି ଯାହା ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଆମ ଶିକ୍ଷା ବ୍ୟବସ୍ଥାର ଏକ ବୈପ୍ଳବିକ ପରିବର୍ତ୍ତନ ପାଇଁ ରାଜ୍ୟ ସରକାରଙ୍କ ନିପୁଣ ଓଡିଶା ମିଶନ ଏକ ପ୍ରୟାସ ବୋଲି ସେ କହିଥିଲେ । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ପିଲାମାନଙ୍କ ମୂଳଦୂଆକୁ ମଜଭୁତ କରିବା ହେଉଛି ଏହି ଯୋଜନାର ଲକ୍ଷ୍ୟ । ରାଜନଗର ବିଧାୟକ ଧ୍ରୁବ ସାହୁ ସ୍କୁଲ ପ୍ରତି ପିଲାମାନଙ୍କୁ ଆକର୍ଷିତ କରିବା ଓ ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ କେନ୍ଦ୍ରାପଡା ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ପ୍ରତି ସମସ୍ତେ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । କେନ୍ଦ୍ରାପଡା ବିଧାୟକ ଶ୍ରୀ ବେହେରା ନିପୁଣ ଓଡିଶାର ଲକ୍ଷ୍ୟ ହାସଲ ସହ ସରକାରଙ୍କ ଉଦେଶ୍ୟକୁ ସଫଳ କରିବାକୁ ସମସ୍ତେ ପ୍ରୟାସ କରିବା ଆବଶ୍ୟକ ବୋଲି କହିଥିଲେ । ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ କହିଥିଲେ ଯେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ମଣ୍ଡଳ ଶିକ୍ଷା ଅଧିକାରୀମାନେ ବିଦ୍ୟାଳୟ ପରିଦର୍ଶନ କରୁନଥିବାରୁ ଯେତେ ଯୋଜନା ପ୍ରୟଣନ ହେଲେ ବି ତାହାର ଲକ୍ଷ୍ୟ ସାଧନ ହୋଇପାରୁନି । ତେଣୁ ଶିକ୍ଷା ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ଜିଲ୍ଲା ଓ ମଣ୍ଡଳ ଶିକ୍ଷା ଅଧିକାରୀମାନେ ବିଦ୍ୟାଳୟ ପରିଦର୍ଶନ କରିବାକୁ ସେ ପରାମର୍ଶ ଦେଇଥିଲେ । ସେ ଆହୁରି କହିଥିଲେ ଯେ କେବଳ ଯେଉଁମାନେ ସୀମାରେ କାର୍ଯ୍ୟ କରୁଛନ୍ତି ସେମାନେ ଦେଶ ସେବା କରୁ ନାହାନ୍ତି ଜଣେ ଝାଡୁଦାର ଠାରୁ ଆରମ୍ଭ କରି ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଦେଶସେବା କରୁଛନ୍ତି । ଏହି ଅବସରରେ ନିପୁଣ ଓଡିଶା ମିଶନର ପୋଷ୍ଟର, ଲୋଗୋ ଓ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନାଗ୍ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ବାଲିଆସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ସୁଲୋଚନା ଦେହୁରୀ ଅଡିଓ ଭିଜୁଆଲ ମାଧ୍ୟମରେ ନିପୁଣ ଓଡିଶା ମିଶନ ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ । ଶିକ୍ଷକ ଅନନ୍ତ କୁମାର ପରିଡା ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ସଂଚାଳନ କରିଥିଲେ । ପଟ୍ଟାମୁଣ୍ଡାଇ ମଣ୍ଡଳ ଶିକ୍ଷା ଅଧିକାରୀ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ବାରମ୍ବାର ଅନୁପସ୍ଥିତ ରହିବା ଓ ଜନ ପ୍ରତିନିଧିମାନଙ୍କ ଫୋନକଲ ରିସିଭ କରୁନଥିବାରୁ ତାଙ୍କ ବିରୋଧରେ ତୁରନ୍ତ ଚାର୍ଜ ଫ୍ରେମ କରିବାକୁ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ମଣ୍ଡଳ ଶିକ୍ଷା ଅଧିକାରୀ, ଶିକ୍ଷକ, ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ