ନିଯୁକ୍ତିକୁ ଅଣଦେଖା, ଆନ୍ଦୋଳନର ଚେତାବନୀ
ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳରେ ଥିବା ଏକ ବୃହତ୍ କମ୍ପାନୀ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ପାଇଁ ହୋଇଥିବା ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଅର୍ଥ କାରବାର ହୋଇ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ, ଉକ୍ତ କମ୍ପାନୀର ଖଣ୍ଡବନ୍ଧ ଖଣିରେ ଏମ୍ପେ୍ଲାଏମେନ୍ଟ ଏକ୍ସଚେଞ୍ଜ ଜରିଆରେ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ପାଇଁ କମ୍ପାନୀ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିପାଇଁ ପ୍ରାୟ ୧୪୦ ଜଣ ଆବେଦନ କରି ତା-୩୦.୧୧.୨୦୨୦ ରିଖରେ ଯୋଡାର ଭି.ଟି ସେନ୍ଟରରେ ଲିଖିତ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ପ୍ରାୟ ୬୬ ଜଣ ପ୍ରାର୍ଥୀ ଉକ୍ତ ଲିଖିତ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଗୋଟିଏ ସୂତ୍ରରୁ ଜଣାପଡିଥିବା ବେଳେ ଅନ୍ୟ ଏକ ସୂତ୍ରରୁ ପ୍ରାୟ ୯୭ ଜଣ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା କିଛି ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ନାମକୁ ଗୋପନରେ ରଖି କହିଛନ୍ତି । ଏହାର ଚୁଡାନ୍ତ ଚୟନ ପରୀକ୍ଷା ଯୋଡା ଅଂଚଳରେ କରାନଯାଇ କମ୍ପାନୀ ପକ୍ଷରୁ ଝାଡଖଣ୍ଡ ରାଜ୍ୟର ନୁଆମୁଣ୍ଡିଠାରେ କରାଯାଇଥିବା ଅଭିଯୋଗ ହୋଇଛି । ତେବେ କମ୍ପାନୀ ଓଡିଶା ରାଜ୍ୟର ଯୋଡା ଖଣି ମଣ୍ଡଳର ବିଭିନ୍ନ ସ୍ଥାନରେ ଖଣିକାର୍ଯ୍ୟ ଚଳାଇବା ବେଳେ ସ୍ଥାନୀୟ ଅଂଚଳବାସୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାର ବିଭିନ୍ନ ଜନଶୁଣାଣିରେ ପ୍ରତିଶ୍ରୁତି ଦେଇଥିଲା । ମାତ୍ର ସ୍ଥାନୀୟ ଅଂଚଳର ପ୍ରାର୍ଥୀଙ୍କୁ ଏହି ପଦବୀ ପାଇଁ ନିଯୁକ୍ତି ଚୟନରେ ଅଗ୍ରାଧିକାର ଦେବା ପ୍ରତିବଦଳରେ ଅନିୟମିତତା କରି ଝାଡଖଣ୍ଡ ରାଜ୍ୟର ପ୍ରାର୍ଥୀ ମାନଙ୍କୁ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଚୟନ ପ୍ରକ୍ରିୟା ଦାୟିତ୍ୱରେ ଥିବା କମ୍ପାନୀର କିଛି ଅସାଧୁ ଅଧିକାରୀମାନେ ଅର୍ଥ କାରବାର କରି ଉକ୍ତ ପଦବୀରେ ନିଯୁକ୍ତି ଦିଆଯାଇଥିବା ଆବେଦନକାରୀ ପ୍ରାର୍ଥୀଙ୍କର ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଏହି ପ୍ରାର୍ଥୀ ଚୟନରେ ଆବେଦନକାରୀଙ୍କର ବାସିନ୍ଦା ପ୍ରମାଣପତ୍ରକୁ ମଧ୍ୟ ଗୁରୁତ୍ୱ ଦିଆନଯାଇ ଅଣଦେଖା କରାଯାଇଥିଲା । ଏ ସମ୍ପର୍କରେ ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଧୂଳି ଖାଇବୁ ଆମେ ଧୂଆଁ ପିଇବୁ ଆମେ, ଦୂଷିତ ପାଣି ଆମପାଇଁ, ହେଲେ ନିଯୁକ୍ତି ପାଇବେ ଝାଡଖଣ୍ଡ ରାଜ୍ୟର ପିଲା, ଏହାକୁ ସହ୍ୟ କରାଯିବ ନାହିଁ । ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା ଅନିୟମିତତା ବିରୋଧରେ ଆଗାମୀ ଦିନରେ ଭୟଙ୍କର ଆନ୍ଦୋଳନ କରାଯିବ । ଏ ସମ୍ପର୍କରେ ଯୁବ ସଙ୍ଗଠକ ମାନସ ଦାସ କହିଛନ୍ତି ଯେ, ୧୦୦ ବର୍ଷର ଏହି ଇସ୍ପାତ କମ୍ପାନୀ ଝାଡଖଣ୍ଡ ରାଜ୍ୟରେ ଇସ୍ପାତ କାରଖାନା ସ୍ଥାପନ କରି ଓଡିଶାର ଯୋଡା ଅଂଚଳରୁ କନ୍ଚାମାଲ ନେଇ ନିଜ ଇସ୍ପାତ କାରଖାନା ଚଳାଉଛି । କମ୍ପାନୀ ଝାଡଖଣ୍ଡ ରାଜ୍ୟର ଯୁବତୀ ଯୁବକ ମାନଙ୍କୁ ରୋଜଗାର ଯୋଗାଇ ଦେଉଥିବାବେଳେ ଓଡିଶା ରାଜ୍ୟର ଯୋଡା ଅଂଚଳରେ ବେକାର ଯୁବତୀ ଯୁବକ ମାନଙ୍କୁ ନିଯୁକ୍ତି ଦେଉନାହିଁ । ଏପରିକି ଝାଡଖଣ୍ଡ, ପଶ୍ଚିମବଙ୍ଗ, ବିହାର ପ୍ରଭୃତି ରାଜ୍ୟର ଲୋକଙ୍କୁ ଓଡିଶାରେ ଥିବା ଖଣି ଗୁଡିକରେ ରୋଜଗାର ଦେଉଛି ଏବଂ ଏହି ରାଜ୍ୟ ଗୁଡିକରୁ ଠିକାଦାର ଆମଦାନୀ କରି ଏଠାରେ କାର୍ଯ୍ୟ ଯୋଗାଇ ଦେଉଛି । ସ୍ଥାନୀୟ ନିଯୁକ୍ତିରେ କମ୍ପାନୀର ବୈମାତୃକ ମନୋଭାବ ପ୍ରଦର୍ଶନକୁ ଯୋଡାରେ ବିରୋଧ କରାଯିବ । ଏ ସମ୍ପର୍କରେ ଭାଜପା ଯୋଡା ନଗର ମଣ୍ଡଳ ସଭାପତି ସୁଶାନ୍ତ କୁମାର ବେବର୍ତା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଯଦି ପ୍ରାର୍ଥୀ ଚୟନରେ ଝାଡଖଣ୍ଡ ରାଜ୍ୟର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି ତେବେ ଏହା ବିରୋଧରେ ଜନ ଆନ୍ଦୋଳନକୁ ଭାଜପା ସମ୍ପୁର୍ଣ୍ଣ ସମର୍ଥନ କରିବ । କମ୍ପାନୀ ଯଦି ଝାଡଖଣ୍ଡ ରାଜ୍ୟର ପ୍ରାର୍ଥୀଙ୍କୁ ଖଣ୍ଡବନ୍ଧ ଖଣିରେ ନିଯୁକ୍ତି ଦେଉଛି ତାହାହେଲେ ଯୋଡା ଅଂଚଳର ପ୍ରାର୍ଥୀଙ୍କୁ ଝାଡଖଣ୍ଡ ରାଜ୍ୟରେ ନିଯୁକ୍ତି ଦିଆଯାଉ ବୋଲି ସେ କହିଥିଲେ । ଏ ସମ୍ପର୍କରେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ଅଶୋକ କୁମାର ଠକ୍କର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆସନ୍ତାକାଲି ସୋମବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଯୋଡା ବ୍ଲକ ଗସ୍ତ ସମୟରେ ଏହି ଘଟଣା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବେ । ତେବେ କମ୍ପାନୀର ଝାଡଖଣ୍ଡ ପ୍ରତି ଦରଦ ଏବଂ କନ୍ଚାମାଲ ନେଉଥିବା ଯୋଡା ପ୍ରତି ଉପେକ୍ଷାକୁ ଆଉ ବରଦାସ୍ତ କରାଯିବ ନାହିଁ । ଏଥିପାଇଁ ଦଳ ପକ୍ଷରୁ ଆବଶ୍ୟକସ୍ଥଳେ ଅଂଚଳବାସୀଙ୍କୁ ରାଜନୈତିକ ସହଯୋଗ କରାଯିବ । ଏ ନେଇ ଉକ୍ତ ନିର୍ଦିଷ୍ଟ କମ୍ପାନୀର ପ୍ରତିକ୍ରିୟା ମିଳିପାରି ନାହିଁ ।


