ନିର୍ବାଚନୀ ହିଂସାକୁ ନେଇ ୨ଥାନାରେ ପୃଥକ ପୃଥକ ମାମଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିଛି । ଇତି ମଧ୍ୟରେ ଜିଲ୍ଲାର କେତେକ ସ୍ଥାନରେ ନିର୍ବାଚନ ପରବର୍ତ୍ତୀ ହିଂସା ଓ ପୂର୍ବବର୍ତ୍ତୀ ହିଂସା କାଣ୍ଡ ଘଟିଥିବାକୁ ନେଇ ୨ଗୋଟି ଥାନାରେ ପୃଥକ ପୃଥକ ମାମଲା ରୁଜୁ ହୋଇଥିବାର ଜଣାପଡିଛି । ବିଶେଷ କରି କାଶୀନଗର ଓ ଗୋଷାଣୀ ବ୍ଲକରେ ଏହି ନିର୍ବାଚନୀ ଆକ୍ରମଣ ଘଟଣାଘଟିଥିବାର ଜଣାପଡିଛିା କାଶୀନଗର ବ୍ଲକରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଘଟିଥିବାର ଜଣାପଡିଛି । ଏଠାରେ ଭାଜପା କର୍ମୀମାନେ ହିଂସାପରାୟଣ ହୋଇ ବିଜେଡି କର୍ମୀଙ୍କୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି କାଶୀନଗର ଥାନାରେ । ଭାଜପା ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ନିର୍ବାଚନ ସମାପନ ପରେ ଖାରଡା ପଞ୍ଚାୟତର ଧନୁସିରା ଗ୍ରାମର ବିଜେଡି କର୍ମୀ ଟି.ଦଶରଥଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଭାଜପା କର୍ମୀ । ଆକ୍ରମଣରେ ଗୁରତର ଆହତ ହୋଇପଡିଥିବାରୁ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମତଦାନ କେନ୍ଦ୍ରରେ ଅନିୟମିତତା ନେଇ ମିଥ୍ୟା ଅଭିଯୋଗ କରି ତାଙ୍କ ଉପରେ ଆକ୍ରମଣ କରିଛି ଭାଜପା ବୋଲି କାଶୀନଗର ଥାନାରେ ମାମଲା ରୁଜୁ ହୋଇଛି । ଏନେଇ କାଶୀନଗର ଥାନାରେ ୨୬/୨୨ରେ ମାମଲା ରୁଜୁ ହୋଇଥିବା ଏବଂ ଭାଜପା ପାଲଟା ଅଭିଯୋଗ କରିଥିବାର ଥାନା ସୂତ୍ରରୁ ପ୍ରକାଶ । ତେବେ ଉଭୟ ପକ୍ଷରୁ ହୋଇଥିବା ମାମଲାକୁ ଗୁରୁତରତାର ସହ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାଶୀନଗର ଥାନା ଅଧିକାରୀ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି । ସେହିପରି ପଞ୍ଚମ ପର୍ଯ୍ୟାୟର ମଙ୍ଗଳବାର ପ୍ରଚାର ଦିବସ ଶେଷ ହୋଇଥିଲା ଗୋଷାଣୀ ବ୍ଲକରେ । ପ୍ରଚାର କାର୍ଯ୍ୟକ୍ରମ ଶେଷ ହେବାକୁ ଯାଉଥିବା ବେଳେ ଖରଷଣ୍ଢା ଗ୍ରାମରେ ବିଜେଡି ଦଳର ଶୋଭାଯାତ୍ରା ଉପରେ ଆକ୍ରମଣ କରିଥିଲେ ଭାଜପା କର୍ମୀ । ଘଟଣାରେ ରାଜେନ୍ଦ୍ର ଶବର ନାମକ ଜଣେ ଯୁବକ ଗୁରତ୍ର ଆହତ ହୋଇଛନ୍ତି । ଗୁରାଣ୍ଡି ପୋଲିସ ତାଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଏନେଇ ଗୁରାଣ୍ଡି ଥାନାରେ ଉଭୟ ଦଳ ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ରଙ୍କ ତତ୍ୱାବଧାନରେ ଉଭୟ ମାମଲାର ତଦନ୍ତ ଜାରିରହିଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ସୂୁତ୍ରରୁ ପ୍ରକାଶ ।


