ନିର୍ବାଚନ ଜିତିବାକୁ ଏସବୁ ଅପପ୍ରଚାର 

ଇସଲାମାବାଦ୍(ଏଜେନ୍ସି): ଏକ ପାକିସ୍ତାନୀ ଯୁଦ୍ଧ ବିମାନ ଏଫ୍-୧୬କୁ ଭାରତୀୟ ବାୟୁସେନା ଗୁଳିକରି ଖସାଇ ଦେଇଥିବା ଭଳି ମିଥ୍ୟା ପ୍ରଚାର କରି ଏସବୁର ମାଇଲେଜ୍ ନେବାକୁ ଭାରତ ସରକାର ଚେଷ୍ଟା କରୁଛନ୍ତି । ଏପରି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର ଦେଶରେ ହେବାକୁ ଥିବା ନିର୍ବାଚନ ଜିତିଯିବେ ବୋଲି ଭାବୁଛନ୍ତି । ସମ୍ପ୍ରତି ଭାରତରେ ନିର୍ବାଚନୀ ମାହୋଲ ସରଗରମ୍ ରହିଥିବା ବେଳେ ଆଜି କ୍ଷମତାସୀନ ବିଜେପି ସରକାର ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏପ୍ରକାର କଟାକ୍ଷପୂର୍ଣ୍ଣ ସମାଲୋଚନା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ।
ଇମ୍ରାନ୍ କହିଛନ୍ତି, ଭାରତରେ ଏବେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ସରକାର ଏପରି ମିଛ କଥା ପ୍ରଘଟ କରିଛନ୍ତି । ଫେବ୍ରୁଆରୀ ୨୭ ତାରିଖରେ ପାକିସ୍ତାନ ତା’ର କୌଣସି ଏଫ୍୧୬ ବିମାନକୁ ହରାଇନାହିଁ ବୋଲ ଇମ୍ରାନ ଆଜି ସ୍ପଷ୍ଟ କରିଛନ୍ତି । ଇମ୍ରାନ୍ ଆଜି ସୂଚନା ଦେଇ କହିଛନ୍ତି, ଆମେରିକା ପକ୍ଷରୁ ପାକିସ୍ତାନ ସେନାକୁ ମିଳିଥିବା ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନ ଏଫ୍-୧୬ର ଗଣତି ନିଜେ ଆମେରିକା ପ୍ରଶାସନ ପକ୍ଷରୁ କରାଯାଇସାରିଛି ଏବଂ ପାକିସ୍ତାନକୁ ଦିଆଯାଇଥିବା ସମସ୍ତ ବିମାନ ଏଫ-୧୬ ସୁରକ୍ଷିତ ରହିଥିବା ସେମାନେ ଆଶ୍ୱସ୍ତ ହୋଇଛନ୍ତି । ଇମ୍ରାନ ନିଜ ଟ୍ୱିଟର୍ ଆକାଉଣ୍ଟରେ ଏକ ଟ୍ୱିଟ୍ କରି କହିଛନ୍ତି ଯେ “ସତ୍ୟ ସବୁବେଳେ ତିଷ୍ଠି ରହେ । ସତ୍ୟ ହିଁ ସବୁଠାରୁ ଭଲ ନୀତି । ମାତ୍ର ଯୁଦ୍ଧ ହିଷ୍ଟିରିଆ ଏବେର ଭାରତ ସରକାର, ଭାରତୀୟ ବାୟୁସେନା ପାକ୍ ବିମାନ ଏଫ୍-୧୬କୁ ଖସାଇ ଦେଇଥିଲା ବୋଲି ମିଛ ଦାବି କରି ଦେଶବାସୀଙ୍କ ପାଖରେ ମାଇଲେଜ୍ ନେବାକୁ ଚେଷ୍ଟା କରୁଛନ୍ତି ।
ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୨୭ ତାରିଖରେ ପାକ୍ ଯୁଦ୍ଧ ବିମାନ ଏଫ୍୧୬ ଭାରତ ସୀମା ଭିତରକୁ ପଶି ଆସିବା ପରେ ଭାରତୀୟ ବାୟୁସେନା ପାକିସ୍ତାନ ଯୁଦ୍ଧ ବିମାନକୁ ଟାର୍ଗେଟ୍ କରି ଖସାଇ ଦେଇଥିଲା ବୋଲି ବାୟୁସେନା ପକ୍ଷରୁ କୁହାଯାଇଥିଲା । ଏହାକୁ ନେଇ ଭାରତ ସରକାର ମଧ୍ୟ ନିଜ ବାହାଦୁରୀର ଡିଣ୍ଡିମ ପିଟିବା ଆରମ୍ଭ କରିଦେଇଛନ୍ତି । ମାତ୍ର ଏହାକୁ ପାକିସ୍ତାନ ପ୍ରାରମ୍ଭରୁ ହିଁ ଅସ୍ୱୀକାର କରିଆସୁଛି । ପ୍ରମାଣ ଦେବାକୁ ଯାଇ ଭାରତ ରାଡର୍ ଛବିର ସହାୟତା ନେଇଥିଲା । ରାଡର୍ ଛବିରୁ ସ୍ପଷ୍ଟ ଜାଣିବାକୁ ମିଳିଥିଲା ଯେ, ଭାରତୀୟ ବାୟୁସେନା ପାକ୍ ଯୁଦ୍ଧ ବିମାନ ଏଫ୍୧୬କୁ ଗୁଳି କରି ଖସାଇଦେଇଥିଲା । ମାତ୍ର ଦିନକ ପୂର୍ବେ ଆମେରିକା ପକ୍ଷରୁ ପାକିସ୍ତାନ ବାୟୁସେନାରେ ଥିବା ଏଫ-୧୬ ଯୁଦ୍ଧ ବିମାନର ଗଣତି କରାଯାଇଥିବା ଏବଂ ସମସସ୍ତ ବିମାନ ସୁରକ୍ଷିତ ଥିବା ସ୍ପଷ୍ଟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ