ନିୟମ ପାଳନରେ ହେଳା କଲେ ପୁଣି ଥରେ ଲକ୍ ଡାଉନ ଲାଗୁ ହେବ -ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ତୃତୀୟ ଲହର ସଂପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରିସାରିଲେଣି । ବିଶ୍ୱର ବିଭିନ୍ନ ସ୍ଥାନରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି । ତେଣୁ ଏପରି ପରିସ୍ଥିତିରେ କୋଭିଡ ନିୟମ ପାଳନରେ କୌଣସି ଢିଲା ଗୁରୁତର ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି । ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ କହିଛନ୍ତି ଯେ ଅନ୍‌ଲକ୍ ପରେ କେତେକ ମାର୍କେଟରେ ବହୁତ ଭିଡ ହେଉଛି । ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ । ଏହାଦ୍ୱାରା ଆମେ ନିଜ ପାଇଁ ଓ ନିଜ ପ୍ରିୟଜନଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରୁଛୁ । ଆମେ କିଛି ଜାଣିବା ପୂର୍ବରୁ ସଂକ୍ରମଣ ବହୁଭାବରେ ବଢିଯାଇପାରେ । ତେଣୁ ସରକାର ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ଯଦି ସରକାର ଅନୁଭବ କରନ୍ତି ଯେ ଲୋକମାନେ କୋଭିଡ ନିୟମକୁ ଠିକ୍ ଭାବରେ ପାଳନ କରୁନାହାନ୍ତି, ତେବେ ପୁଣି ଥରେ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିବାକୁ ସରକାର ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯୁଦ୍ଧ ଏପର୍ଯ୍ୟନ୍ତ ସରିନାହିଁ । ଦେଶର ଅନ୍ୟ ରାଜ୍ୟ ମାନଙ୍କରେ କୋଭିଡ କେସ୍ ବଢୁଛି । ଭୁବନେଶ୍ୱରରେ ସଂକ୍ରମଣ ସ୍ଥିର ଅବସ୍ଥାରେ ଅଛି । ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ୱ ଦେଇ ଓଡିଶା ଧୀରେ ଧୀରେ ଅନ୍‌ଲକ୍ ହେଉଛି । କିନ୍ତୁ ବିପଦ ଏପର୍ଯ୍ୟନ୍ତ ଦୂର ହୋଇନାହିଁ । କରୋନା ଭାଇରସ୍ ଏବେ ବି ଆମ ଆଖପାଖରେ ରହିଛି ଓ ରୂପ ବଦଳାଇ ଗୁରୁତର ଆକ୍ରମଣ କରିବା ଶକ୍ତି ମଧ୍ୟ ତାର ରହିଛି । ତେଣୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହାଦ୍ୱାହା ହିଁ ଆମେ ତୃତୀୟ ଲହରର ପ୍ରଭାବକୁ କମ୍ କରିଦେଇପାରିବା । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ୱିତୀୟ ଲହରରେ ଅନ୍ୟ ରାଜ୍ୟ ମାନଙ୍କର ଯେଭଳି ଅବସ୍ଥା ଆମେ ଦେଖିଲେ, ସେ ପରିସ୍ଥିତି ଓଡିଶାରେ ଘଟି ନାହିଁ । ଆମର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କର କଠିନ ପରିଶ୍ରମ ଯୋଗୁଁ ଓଡିଶା ଆଜି ଭଲ ସ୍ଥିତିରେ ଅଛି । ଡାକ୍ତର ମାନେ ଆମର ସୁରକ୍ଷା ପାଇଁ ଦିନରାତି କାମ କରୁଛନ୍ତି । ତେଣୁ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଆମକୁ ଦାୟିତ୍ୱପୂର୍ଣ୍ଣ ଭାବରେ ବ୍ୟବହାର କରିବାକୁ ହେବ ।
ଦ୍ୱିତୀୟ ଲହରର ମୁକାବିଲାରେ ଜନସାଧାରଣ ଯେପରି ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଲେ, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ନିଷ୍ପତି ଆପଣମାନଙ୍କ ହାତରେ । ଜୀବନ ଅମୂଲ୍ୟ । ଆମର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ହିଁ ତୃତୀୟ ଲହରକୁ ରୋକିପାରିବ । ତେଣୁ ଓଡିଶାକୁ ନିରାପଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ‘ଆପଣଙ୍କ ପ୍ରିୟଜନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ନିରାପଦ ଭାବରେ ଜୀବନଜୀବିକା ଯେପରି ଆଗକୁ ବଢିଚାଲିବ ସେଥିରେ ସହଯୋଗ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ