ମାଟ୍ରିକ ପ୍ରଶ୍ନପତ୍ର ଅଦଳବଦଳ ଘଟଣାର ତଦନ୍ତ ପାଇଁ ଗଣଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର, (ୱାଇଏନ୍ଏସ୍): ମାଟ୍ରିକ ରେଗୁଲାର ଛାତ୍ରଛାତ୍ରୀଙ୍କୁ ଏକ୍ସ ରେଗୁଲାର ପଶ୍ନପତ୍ର ଦିଆଯିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ଗଣଶିକ୍ଷା ବିଭାଗ ସଚିବ ଏହି ମାମଲାର ତଦନ୍ତ କରିବେ ।
ସୂଚନାଯୋଗ୍ୟ, ଗତକାଲି ମାଟ୍ରିକ୍ ପରୀକ୍ଷାରେ ରେଗୁଲାର ପିଲାଙ୍କୁ ଏକ୍ସରେଗୁଲାର ପ୍ରଶ୍ନପତ୍ର ଏବଂ ଏକ୍ସରେଗୁଲାର ପିଲାଙ୍କୁ ରେଗୁଲାର ପ୍ରଶ୍ନପତ୍ର ମିଳିଥିଲା । କଟକସ୍ଥିତ ସେକେଣ୍ଡାରି ବୋର୍ଡ ହାଇସ୍କୁଲରେ ହେଉଥିବା ଅଫଲାଇନ୍ ମାଟ୍ରିକ୍ ପରୀକ୍ଷାରେ ଏଭଳି ବିଭ୍ରାଟ ଦେଖିବାକୁ ମିଳିଥିଲା । ସ୍କୁଲ୍ କର୍ତୃପକ୍ଷଙ୍କ ଏଭଳି ତ୍ରୁଟି ଜଣାପଡ଼ିବା ପରେ ପିଲାଙ୍କୁ ପାଖାପାଖି ଅତିରିକ୍ତ ୧ଘଂଟା ସମୟ ଦିଆଯାଇଥିଲା । ହେଲେ, ଏହା ଜଣାପଡ଼ିବା ବେଳକୁ କିଛିପିଲା ପ୍ରଥମ ପେପର ପରୀକ୍ଷା ଦେଇସାରିଥିଲେ । ଏଥିପାଇଁ ପିଲାଙ୍କୁ ହଲ୍ ରେ ୩ଘଂଟାରୁ ଅଧିକ ସମୟ ବସିବାକୁ ପଡ଼ିଥିଲା । ଏଭଳି ତ୍ରୁଟିର ଶିକାର ହୋଇଥିବା ପାଖାପାଖି ୨୦ ଜଣ ପରୀକ୍ଷାର୍ଥୀ ସେମାନଙ୍କୁ ନ୍ୟାୟ ଦେବାକୁ ବୋର୍ଡ ସଂପାଦକଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି ।


