ପଛୁଆ ବର୍ଗ ତାଲିକା ପ୍ରସ୍ତୁତ କରିବ ରାଜ୍ୟ, ଗୃହରେ ବିଲ୍ ପାରିତ
ନୂଆଦିଲ୍ଲୀ: ଓବିସି ବା ପଛୁଆ ବର୍ଗଙ୍କୁ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟମାନଙ୍କୁ କ୍ଷମତା ପ୍ରଦାନ କରୁଥିବା ୧୨୭ତମ ସାମ୍ବିଧାନିକ ସଂଶୋଧନ ବିଲ୍ ରାଜ୍ୟସଭାରେ ପାରିତ ହୋଇଯାଇଛି । ଏହି ବିଲକୁ ରାଜ୍ୟସଭାରେ ମୋଟ୍ ୧୮୬ ସାଂସଦ ସମର୍ଥନ କରିଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ଲୋକସଭାରେ ଏହି ବିଲ୍ ପାରିତ ହୋଇଥିବା ବେଳେ ଉକ୍ତ ବିଲ୍ ରାଷ୍ଟ୍ରପତିଙ୍କ ନିକଟରେ ଉପସ୍ଥାପିତ ହେବ । ରାଷ୍ଟ୍ରପତିଙ୍କ ଦସ୍ତଖତ ପରେ ଏହା ଆଇନରେ ପରିଣତ ହେବ । ଏହି ବିଲ୍ ଅନୁଯାୟୀ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଓବିସି ବା ପଛୁଆ ବର୍ଗ ସଂରକ୍ଷଣ ପାଇଁ ତାଲିକା ପ୍ରସ୍ତୁତ କରିବେ । ନିକଟରେ ମହାରାଷ୍ଟ୍ର ସରକାର ଦେଇଥିବା ମରାଠା କୋଟାକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିବା ପରେ କେନ୍ଦ୍ର ସରକାର ଏହି ବିଲ୍ ଆଣିଛନ୍ତି । ମରାଠା ସଂରକ୍ଷଣ ଉପରେ ପ୍ରତିବନ୍ଧକ ଲଗାଇବାବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ରାଜ୍ୟ ସରକାର ଏହି ଉପାୟରେ ଓବିସି ତାଲିକାରେ କାହାରିକୁ ଅନ୍ତର୍ଭୁକ୍ତ କରିପାରିବେ ନାହିଁ । କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ମହାରାଷ୍ଟ୍ରରେ ମରାଠା ସଂରକ୍ଷଣକୁ ନେଇ ଆନ୍ଦୋଳନ ହୋଇଥିଲା । ଏହା ପରେ ସରକାର ଏହି ବିଲ୍ ଆଣିଛନ୍ତି । ଏବେ ମହାରାଷ୍ଟ୍ରରେ ମରାଠା ସଂରକ୍ଷଣର ରାସ୍ତାକୁ ସହଜ କରିବ । ଏହା ବ୍ୟତୀତ ଅନ୍ୟ ରାଜ୍ୟରେ ମଧ୍ୟ ରାଜ୍ୟ ସରକାର ଏପରି ପଛୁଆ ବର୍ଗ ତାଲିକା ପ୍ରସ୍ତୁତ କରିବାର ଅଧିକାର ପାଇବେ । ରାଜ୍ୟସଭାରେ ଏହି ବିଲ୍ ଉପରେ ବିତର୍କ ଚାଲିଥିବା ବେଳେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ସଂରକ୍ଷଣର ୫୦ ପ୍ରତିଶତ ସୀମା ହଟାଇବାକୁ ଦାବି କରିଛନ୍ତି । ତେବେ ଏହି ବିଲ୍ ପାରିତ ହେବା ପରେ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଧିବେଶନକୁ ସ୍ଥଗିତ ରଖାଯାଇଛି । ଓବିସି ବିଲ୍ ଉଭୟ ଗୃହରେ ବାଚନିକ ଭୋଟ୍ ମାଧ୍ୟମରେ ପାରିତ ହୋଇଛି ଏବଂ ଉଭୟ ଗୃହର କୌଣସି ସଦସ୍ୟ ଏହି ବିଲକୁ ବିରୋଧ କରିନଥିଲେ ।


