ପଞ୍ଚଭୁତରେ ଲୀନ ହେଲା ଗୋପୀନାଥ ଗଜପତିଙ୍କ ପାର୍ଥବ ଶରୀର
ପାରଳାଖେମୁଣ୍ଡି : (ତାରିଣୀ ପ୍ରସାଦ ପଣ୍ଡା) ପାରଳାଖେମୁଣ୍ଡିର ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ପାର୍ଥବ ଶରୀର ଗଜପତି ପରିବାରର ରାଜ ଶ୍ମଶାନରେ ପଞ୍ଚଭୂତରେ ଲୀନ ହେଲା । ଷ୍ଟେଟ୍ ଅର୍ନର ସହ ଦଶରାଉଣ୍ଡ ଭାଙ୍କା ଗୁଳି ଚାଳନା ପରେ ପାରଳା ଜଗନ୍ନାଥ ମନ୍ଦିରର ସେବକ ରାମଚନ୍ଦ୍ର ଭୁକ୍ତାଙ୍କ ଦ୍ୱାରା ମୁଖାଅଗ୍ନି ଦିଆଯାଇଥିଲା । ଆଜି ଅପରାହ୍ନରେ ୪ଘଣ୍ଟା ସମୟରେ ଭୁବନେଶ୍ୱର ଆପୋଲ ଡାକ୍ତରଖାନାରୁ ପାରଳାଖେମୁଣ୍ଡି ସହର ଉପକଣ୍ଠ ଫରେଷ୍ଟ ଛକ ନିକଟରେ ଗଜପତିଙ୍କ ପାର୍ଥବ ଶରୀର ପହଂଚିବା ପରେ ହଜାର ହଜାର ଲୋକଙ୍କ ଶୋଭାଯାତ୍ରାରେ ପାରଳାଖେମୁଣ୍ଡି ରାଜପ୍ରାସାଦର ଦକ୍ଷିଣ ଦ୍ୱାରକୁ ଅଣାଯାଇଥିଲା । ସେଠାରୁ ପାର୍ଥବ ଶରୀରକୁ ରାଜ ପରିବାରର ଶ୍ମଶାନକୁ ନିଆଯାଇଥିଲା । ଅନ୍ତିମ ସଂସ୍କାର ପୂର୍ବରୁ ପାର୍ଥବ ଶରୀରରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ମନ୍ତ୍ରୀ ବିକ୍ରମକେଶରୀ ଆରୁକ ଜାତୀୟ ପତକାକୁ ପାର୍ଥବ ଶରୀରରେ ଘୋଡ଼ାଇ ଫୁଲତୋଡା ଦେଇ ଶେଷ ସମ୍ମାନ ପ୍ରଦାନ କରିଥିଲେ । ପରେ ଗଜପତି ଜିଲ୍ଲାପାଳ ଅନୁପମ ସାହା, ଜିଲ୍ଲା ଏସପି ସାରା ଶର୍ମା, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ପାରଲା ସ୍ୱାଭିମାନ ମଂଚର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଫୁଲତୋଡା ଦେଇ ପାର୍ଥବ ଶରୀରକୁ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ଏଠାରେ ଉଲେକ୍ଷ ଯୋଗ୍ୟ ଯେ, ଗୋପୀନାଥ ଗଜପତି ବିଗତ ମେ ମାସ ୨୭ତାରିଖ ୧୯୭୪ରେ ପାରଳାଖେମୁଣ୍ଡିର ମହାରାଜା ଭାବେ ରାଜ ଅଭିଷେକ ହୋଇଥିଲେ । ୧୯୭୪ ମେ ୨୬ତାରିଖ ଦିନ ପାରଳାର ତତ୍କାଳିନ ମହାରାଜା ତଥା ନବ ଉତ୍କଳର ନିର୍ମାତା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପରଲୋକ ଘଟିଥିଲା । ଗୋପୀନାଥ ଗଜପତି ରାଜ ଅଭିଷେକ ପୂର୍ବ କେମିକଲ୍ ଇଂଜିନୟର ଭାବେ କାର୍ଯ୍ୟକରୁଥିଲେ । ପରେ ସେ ୨ଥର ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଗତ ୪ବର୍ଷ ତଳେ ତାଙ୍କରି ଶରୀର ଗୁରୁତ୍ୱର ଭାବେ ଅସୁସ୍ଥ ହେବା ଯୋଗୁଁ ରାଜ୍ୟ ସରାକାରଙ୍କ ସହଯୋଗରେ ପ୍ରଥମେ ଚେନ୍ନାଇ ଆପୋଲ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରେ ସେଠାରୁ ଭୁବନେଶ୍ୱର ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା । ଗତକିଛି ଦିନ ଧରି ଭୁବନେଶ୍ୱର ଆପୋଲ ଡାକ୍ତରଖାନାରେ ତାଙ୍କ ଅବସ୍ଥା ସଂକଟାପୂର୍ଣ୍ଣ ହେବାରୁ ଆସିୟୁରେ ଭର୍ତ୍ତି ହୋଇ ଜରୁରୀକାଳିନ ଚିକିତ୍ସା ଚାଲିଥିଲା । ଆଜି ଭୋର ଘ୪.୧୮ମି ତାଙ୍କର ପରଲୋକ ଘଟିଥିଲେ । ମୃତ ଶଯା ନିକଟରେ ତାଙ୍କର ଏକମାତ୍ର କନ୍ୟା ଯୁବରାଣୀ କଲ୍ୟାଣୀ ଦେବୀ ଉପସ୍ଥିତ ଥିଲେ ।



