ପଥ ବିକ୍ରେତା ସଂଘ ପକ୍ଷରୁ ବିକ୍ଷୋଭ ସମାବେଶ

ବାଲେଶ୍ୱର, (ସରୋଜ ପଣ୍ଡା) :-ଉଠାଦୋକାନୀଙ୍କ ସାମାଜିକ ସୁରକ୍ଷାରେ ପ୍ରଣୀତ କେନ୍ଦ୍ର ସରକାରଙ୍କ ଆଇନକୁ ବାଲେଶ୍ୱର ଜିଲା ପ୍ରଶାସନ ଓ ପୌର କର୍ତ୍ତୃପକ୍ଷଙ୍କ ଖୋଲା ଉଲଂଘନ ପ୍ରତିବାଦରେ ଓଡ଼ିଶା ପଥ ବିକ୍ରେତା ସଂଘର ବାଲେଶ୍ୱର ଟାଉନ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ବିଶେଷ କରି ପୌର କର୍ତ୍ତୃପକ୍ଷଙ୍କ ଜୁଲମ ଓ ଜବରଦସ୍ତ ଉଚ୍ଛେଦ ପ୍ରକ୍ରିୟା ବିରୋଧରେ ଏହି ସମାବେଶ ଆୟୋଜିତ ହୋଇଥିଲା । ଶହ ଶହ ଉଠାଦୋକାନୀ ଦୋକାନ ବନ୍ଦ ରଖି ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ନିକଟରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ସଂଘର ରାଜ୍ୟ ସଭାପତି ଜୟନ୍ତ ଦାସ ଯୋଗଦେଇ ଉଠାଦୋକାନୀଙ୍କ ସମସ୍ୟା ପ୍ରତି ବାଲେଶ୍ୱର ଜିଲା ଓ ପୌର ପ୍ରଶାସନର ଉଦାସୀନତାକୁ କଡ଼ା ସମାଲୋଚନା କରିଥିଲେ । କେନ୍ଦ୍ରୀୟ ଆଇନ ଅନୁଯାୟୀ ଉଠା ଦୋକାନୀଙ୍କ ଜୀବନ ଜୀବିକାକୁ ସୁନିୟନ୍ତ୍ରିତ କରିବା ପାଇଁ ଟାଉନ ଭେଣ୍ଡିଂ କମିଟି (ଟିଭିସି) ଗଠନ ହୋଇଥିବା ସତ୍ତ୍ୱେ ଏହି କମିଟି ଅଗୋଚରରେ ପ୍ରଶାସନ ବାରମ୍ବାର ଅମାନବୀୟ ଢଙ୍ଗରେ ଉଚ୍ଛେଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି କାର୍ଯ୍ୟକୁ ଓହ୍ଲାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଦାସ କହିଥିଲେ । ଓଟି ରୋଡ଼ର ସଂପ୍ରସାରଣ ପାଇଁ ଆବଶ୍ୟକ ସ୍ଥାନ ଛାଡ଼ିବା ପରିବର୍ତ୍ତେ ପୌର ଅଧିକାରୀ ଓ କର୍ମଚାରୀ ଦୋକାନୀଙ୍କୁ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଧମକ ଦେବା କେଉଁ ନ୍ୟାୟରେ ବୋଲି ସେ କହିଥିଲେ । ଓଡି ରୋଡର ସମ୍ପ୍ରସାରଣ ପରେ ସେହି ରାସ୍ତା ପାଶ୍ୱର୍ରେ ଉଠା ଦୋକାନୀଙ୍କୁ ଥଇଥାନ ସହ ମହିଳା ପଥ ବିକ୍ରେତା କେନ୍ଦ୍ର, ରାଜ୍ୟର ବିଭିନ୍ନ କୁଟୀର ଶିଳ୍ପ, ହସ୍ତଶିଳ୍ପ ଓ ଆଞ୍ଚଳିକ ପ୍ରସ୍ତୁତ ସାମଗ୍ରୀ ବିକ୍ରୟ ପାଇଁ ଜାତୀୟ ସ୍ତରୀୟ ଷ୍ଟ୍ରିଟ ଭେଣ୍ଡିଂ ଜୋନ ପ୍ରତିଷ୍ଠା ନିମନ୍ତେ ପଦକ୍ଷେପ ନେବାକୁ ଶ୍ରୀ ଦାସ ପ୍ରସ୍ତାବ ଦେଇଥିଲେ । ଏଥି ସହିତ ବ୍ରିଟ କ୍ଷମତା ପରିସରରେ ବ୍ୟବସାୟ କରୁଥିବା ସମସ୍ତ ବର୍ଗର ଉଠାଦୋକାନୀଙ୍କୁ ପଞ୍ଜୀକରଣ ସହ ପ୍ରମାଣପତ୍ର ପ୍ରଦାନ ପାଇଁ ସଂଘ ପକ୍ଷରୁ ଦାବି କରାଯାଇଥିଲା । ଏହି ଅବସରରେ ସଂଘର ପକ୍ଷରୁ ୬ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ସ୍ମାରକପତ୍ର ପ୍ରଦାନ ବେଳେ ପଥ ବିକ୍ରେତା ସଂଘ ଜିଲା କମିଟି ଉପ-ସଭାପତି ଆବିଦ୍ ଖାନ ଓ ଟାଉନ କମିଟି ସମ୍ପାଦକ ମୋହିନୀ ମୋହନ ପରିଡ଼ାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ