ପଦ୍ମଶ୍ରୀ ପ୍ରକାଶ ରାଓଙ୍କୁ ଭାବଭକ୍ତି ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): ଓଡ଼ିଶା ସମାଜସେବୀ ମହାସଂଘ ପକ୍ଷରୁ ପଦ୍ମଶ୍ରୀ ଡ. ପ୍ରକାଶ ରାଓଙ୍କ ଅକାଳ ବିୟୋଗରେ ଉତ୍କଳ ସାମ୍ବାଦିକ ସଂଘ ପ୍ରେକ୍ଷାଳୟରେ ଏକ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତାଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ କରି, ପୁଷ୍ପାଞ୍ଜଳି ପ୍ରଦାନ ପରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ନିଜ ଶ୍ରଦ୍ଧାବନାର୍ପଣରେ ଓଡ଼ିଶା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତଥା ଓଡ଼ିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ କହିଲେ ଯେ, ବିଶ୍ୱ ପରିଚିତିପ୍ରାପ୍ତ ପରିକ୍ଷିତ ସମାଜସେବୀ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ୬୩ ବର୍ଷ ବୟସରେ ପରଲୋକ ପ୍ରତ୍ୟେକ ମାନବତାବାଦୀ ମାନଙ୍କ ପାଇଁ ଏକ ଦୁଃଖଦ, ଦୁର୍ଭାଗ୍ୟଜନକ ବାର୍ତ୍ତା । ନଭେମ୍ବର ୧୧ ତାରିଖ, ୧୯୫୮ରେ ଜନ୍ମଗ୍ରହଣ କରିଥିବା ରାଓ ପେଶାରେ ଜଣେ ଚା ବିକାଳୀ ହୋଇଥିଲେ ମଧ୍ୟ ନିଜ ସମାଜସେବା କାର୍ଯ୍ୟ ପାଇଁ ଦେଶ ବିଦେଶରେ ପରିଚିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକରେ ରାଓଙ୍କୁ ସାକ୍ଷାତ କରିଥିଲେ ଓ ନିଜ ମନ କି ବାତ କାର୍ଯ୍ୟକ୍ରମରେ ତାଙ୍କର ପ୍ରଶଂସା ମଧ୍ୟ କରିଥିଲେ । ରାଓ ସକାଳୁ ବକ୍ସିବଜାସ୍ଥିତ ନିଜ ଚା ଦୋକାନରେ ବିକ୍ରିବଟା ସାରି କଟକ ବଡ଼ ଡ଼ାକ୍ତରଖାନାକୁ ସବୁଦିନ ଯାଉଥିଲେ । ସେଠାରେ ରୋଗୀମାନଙ୍କର ଯେକୌଣସି ସେବା ଆବଶ୍ୟକ, ସେ ନିଜ ସାଧ୍ୟମତେ କରୁଥିଲେ । ଇତିମଧ୍ୟରେ ସେ ୨୧୭ଥର ରକ୍ତଦାନ କରିସାରିଥିଲେ । ମୃତ୍ୟୁ ପରେ ନିଜ ଶରୀର ଦାନ କରିବାକୁ ମଧ୍ୟ ସଂକଳ୍ପ ନେଇଥିଲେ । ଏତଦବ୍ୟତୀତ ୨୦୦୦ ମସିହାରୁ ରାଓ ନିଜ ଘରେ ବସ୍ତି ପିଲାଙ୍କ ପାଇଁ ଏକ ସ୍କୁଲ୍ ଖୋଲିଥିଲେ । ସ୍କୁଲ୍ର ନାମ ରଖିଥିଲେ ‘ଆଶା ଅଶ୍ୱାସନା ଗୃହ’ ଓ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ଯାଏ ପିଲାଙ୍କୁ ସେଠାରେ ଶିକ୍ଷାଦାନ କରାଯାଏ । ବର୍ତ୍ତମାନ ସେଠାରେ ୭୫ଜଣ ଛାତ୍ର ପାଠ ପଢୁଛନ୍ତି । ଚା ଦୋକାନରୁ ହେଉଥିବା ଆୟରୁ ଅଧା ସେ ଏହି ସ୍କୁଲ୍ ପରିଚାଳନାରେ ଖର୍ଚ୍ଚ କରୁଥିଲେ । ତାଙ୍କର ଏହି ସମାଜସେବା ଦେଖି ଜିଲ୍ଲା ପ୍ରଶାସନ ଓ ଅନ୍ୟାନ୍ୟ ବଦାନ୍ୟ ବ୍ୟକ୍ତି ମଧ୍ୟ ତାଙ୍କୁ ସାହାଯ୍ୟ କରୁଥିଲେ । ଏକ ଅନାଲୋଚିତ ତଥ୍ୟାର୍ପଣ କରି ତାଙ୍କର ମହାନ ବ୍ୟକ୍ତିତ୍ୱର ମୂଲ୍ୟାଙ୍କନ କରାଯାଇପାରେ । ରାଓଙ୍କର ଅଣଜେଜେ ଡ଼ି ଆପାଲସ୍ୱାମୀ କାକିନାଡ଼ାରୁ ଆସି କଟକରେ ରହିଥିଲେ । ଜେଜେବାପା ଡ଼ି ଆଦି ନାରାୟଣ ସ୍ୱାମୀ ଥିଲେ ମଧୁବାବୁଙ୍କର ନିକଟତମ ବ୍ୟକ୍ତି । ଉତ୍କଳ ଟ୍ୟାନେରୀର ସେ ଥିଲେ ପରିଚାଳକ । ପିତା ଡ଼ି କ୍ରିଷ୍ଣାମୂର୍ତ୍ତି ଥିଲେ ଇଂରେଜମାନଙ୍କ ସୈନିକ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ସେ ଇଂରେଜମାନଙ୍କ ତରଫରୁ ଜାପାନ ବିରୁଦ୍ଧରେ ଯୁଦ୍ଧ କରିଥିଳେ । ବିଶ୍ୱଯୁଦ୍ଧ ପରେ ସେ କଟକରେ ଏକ ଖବରକାଗଜ ସଂସ୍ଥାରେ କାମ କରୁଥିଲେ । ସେଠାରୁ ଚାକିରୀ ଯିବା ପରେ ତାଳଚେର ରାଜାଙ୍କ ଠାରୁ ୫ ଟଙ୍କା ସାହାଯ୍ୟ ପାଇ ନିଜ ଚା ଦୋକାନ ଆରମ୍ଭ କରିଥିଲେ । ୫୪ବର୍ଷର ସେହି ଚା ଦୋକାନରେ ପ୍ରକାଶ ରାଓ ଏବେ କାର୍ଯ୍ୟରତ ଥିଲେ । ତାଙ୍କ ଭଳି ଅଙ୍କହାର ବିବର୍ଜିତ, ସମର୍ପିତ ବ୍ୟକ୍ତି ସତ୍ତା ସାମ୍ପ୍ରତିକ ସମାଜରେ ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ । ତାଙ୍କର ଅମୃତ ଅମ୍ଲାନ ସ୍ଥିତି ପ୍ରତି କୋଟି କୋଟି ପ୍ରଣାମ ଜଣାଇବା ସଙ୍ଗେ ସଙ୍ଗେ ତାଙ୍କର ସ୍ମୃତି ସୁରକ୍ଷା ପାଇଁ ସମାଜସେବୀ ମହାସଂଘ ନିଜର ପୂଜ୍ୟପୂଜା ସଂସ୍କୃତି ଆଧାରରେ ବିଭିନ୍ନ ପ୍ରକାରର ପଦକ୍ଷେପ ନେଷଇ ପିଢି ପରେ ପିଢିଙ୍କ ପାଇଁ ଆଦର୍ଶପର୍ୟ ସଂରକ୍ଷିତ କରିବା ବିଧେୟ । ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ନିଜର ଶ୍ରଦ୍ଧାବଚନାର୍ପଣରେ ପଦ୍ମଶ୍ରୀ ରାଓଙ୍କ ଅହଙ୍କାର ବିବର୍ଜିତ, ସମର୍ପିତ ବ୍ୟକ୍ତିତ୍ୱର ଆଦର୍ଶ ଉଦାହରଣୀୟ ତଥ୍ୟ ଉପସ୍ଥାପନ କରି ତାଙ୍କ ପରି ପ୍ରତିବଦ୍ଧତା ଧର୍ମୀ ସମାଜସେବୀ ସାମ୍ପ୍ରତିକ ସମୟରେ ବିରଳ କହିଲେ ଅତ୍ୟୁକ୍ତ ହେବନାହିଁ । ଅନ୍ୟମାନଙ୍କ ମଧ୍ୟରେ ଡଃ ବନ୍ଦନା ହରିଚନ୍ଦନ, ତନ୍ମୟ ସାମନ୍ତରାୟ, ପ୍ରମୋଦ ଦେବ, ରୋହିତ ନାୟକ, ବି ମୁରଲୀଧର, ଚିତ୍ତରଞ୍ଜନ ଦାସ, ମଞ୍ଜିତ କୌର ପ୍ରମୁଖ ନିଜର ଶୋକବ୍ୟକ୍ତ କରିଥିଲେ । ଶେଷରେ ମହାସଂଘର ପ୍ରତିଷ୍ଠାତା ରାଜ୍ୟ ସଭାପତି ନାରାୟଣ ଚନ୍ଦ୍ର ଓଝା କହିଥିଲେ ଯେ, ପଦ୍ମଶ୍ରୀ ରାଓ ପ୍ରମାଣିତ କରି ଚାଲିଯାଇଛନ୍ତି ଯେ ଧନ ନୁହେଁ, ମନ ଥିଲେ ସମାଜର ଅବହେଳିତ, ନିର୍ଯ୍ୟାତିତ, ଉପେକ୍ଷିତ, ରୋଗାକ୍ରାନ୍ତ ବ୍ୟକ୍ତିମାନଙ୍କ ସେବା କରି ସେମାନଙ୍କ ମୁହଁରେ ହସ ଫୁଟାଇ ପାରିବ । ଶେଷରେ ମହାସଂଘର ମୁଖପାତ୍ର ପ୍ରସନ୍ନ ପାଣି ସମସ୍ତଙ୍କ ଉପସ୍ଥିତି ନିମନ୍ତେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।


