ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ୧୨ଘଣ୍ଟିଆ ବନ୍ଦ ସହ କଳା ଦିବସ ପାଳିଲା ବିଜେପି
କୋଲକାତା(ଏଜେନ୍ସି): ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଘଟିଥିବା ହିଂସା ଘଟଣାକୁ ବିରୋଧ କରି ରାଜ୍ୟ ବିଜେପି ପକ୍ଷରୁ ସୋମବାର ୧୨ଘଣ୍ଟିଆ ବନ୍ଦ ପାଳନ ସହ କେତେକ ଅଞ୍ଚଳରେ କଳାଦିବସ ପାଳନ କରାଯାଇଛି । ବଶିରହାଟରେ ଘଟିଥିବା ହିଂସା ଘଟଣାରେ ଶାସକ ତୃଣମୂଳ କଂଗ୍ରେସ ଦଳର କର୍ମୀଙ୍କ ସମ୍ପୃକ୍ତି ଥିବାରୁ ପୁଲିସ୍ ଠିକ୍ ଭାବେ କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ସହ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ବିଜେପି ପକ୍ଷରୁ ଏପରି ବନ୍ଦ ଓ କଳାଦିବସ ପାଳନ କରାଯାଇଛି । ବିଜେପିର ଏହି ବନ୍ଦ ଡାକରା ଯୋଗୁ ବଶିରହାଟରେ ଟ୍ରେନ୍, ବସ୍ ଆଦି ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଦୋକାନ ବଜାର ବନ୍ଦ ରଖାଯାଇଥିଲା । ବିଜେପି କର୍ମୀମାନେ ପିକେଟିଂ କରି ହତ୍ୟା ଘଟଣାରେ ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ନାରାବାଜି କରିବା ସହ ରେଳ ଧାରଣା ଉପରେ ବସି ରହିଥିଲେ ।
ଶୁକ୍ରବାର ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଥିବା ନୟଜତ ଅଞ୍ଚଳରେ ତୃଣମୂଳ କଂଗ୍ରେସ ବୁଥ୍ସ୍ତରୀୟ ବୈଠକ କରୁଥିଲା । ସେଠାରେ ଉପସ୍ଥିତ ଥିବା ବିଜେପି ସମର୍ଥକଙ୍କ ସହ ତୃଣମୂଳ କଂଗ୍ରେସ କର୍ମୀଙ୍କର ବଚସା ହୋଇଥିଲା । ଏହାପରେ ବିବାଦ ଘନେଇବାରୁ ଉଭୟ ପକ୍ଷରୁ ଗୁଳି ଚାଳନା ହୋଇଥିଲା । ଏଥିରେ ବିଜେପିର ୨ କର୍ମୀ ଓ ଟିଏମ୍ସିର ଜଣେ କର୍ମୀ ପ୍ରାଣ ହରାଇଥିଲେ । ତେବେ ଏହି ଘଟଣାରେ ଆଉ ଜଣେ ବିଜେପି କର୍ମୀର ମୃତ୍ୟୁ ହୋଇଥିବା ବେଳେ ୫ଜଣ ବିଜେପି କର୍ମୀ ନିଖୋଜ ଥିବା ବିଜେପି କହିଛି । ଇତିମଧ୍ୟରେ ଉଦ୍ଧାର କରାଯାଇଥିବା ୪ ବିଜେପି କର୍ମୀଙ୍କ ମୃତଦେହକୁ ଅନ୍ତିମସଂସ୍କାର ପାଇଁ ଶୋଭାଯାତ୍ରାରେ ନେବାବେଳେ ପୁଲିସ୍ ବିଜେପି କର୍ମୀଙ୍କୁ ବାରଣ କରିବା ଏବଂ ଏହାକୁ ନେଇ ପୁଣିଥରେ ହିଂସାକାଣ୍ଡ ଘଟିଥିଲା । ସେହିପରି ଦିନକପୂର୍ବେ ପଶ୍ଚିମବଙ୍ଗର ଦକ୍ଷିଣ ମିର୍ଜାପୁର ଅନ୍ତର୍ଗତ ଗଙ୍ଗାରାମପୁରରେ ପୁଲିସ୍ କର୍ମୀ ବିଜେପି ସାଂସଦ ଦିଲ୍ଲୀପ ଘୋଷଙ୍କ ଶୋଭାଯାତ୍ରାକୁ ଅଟକାଇବା ପରେ ବିଜେପି କର୍ମୀମାନେ ଆକ୍ରମଣାତ୍ମକ ହୋଇପଡିଥିଲେ ଏବଂ ପୁଲିସ୍ ସହ ଧସ୍ତାଧସ୍ତି କରିବା ଆରମ୍ଭ କରିଦେଇଥିଲେ । ପରିସ୍ଥିତିକୁ ସମ୍ଭାଳିବାକୁ ଯାଇ ପୁଲିସ୍ ପକ୍ଷରୁ ଲାଠି ଚାଳନା କରିବାକୁ ପଡ଼ିଥିଲା । ଏହି ଘଟଣାରେ ଜଣେ ପୁଲିସ୍ ସବ୍ ଇନ୍ସପେକ୍ଟରଙ୍କ ସମେତ ୩ଜଣ ଆହତ ହୋଇଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୧୪୪ ଧାରା ଜାରି କରାଯାଇଛି ।
ଏହା ପୂର୍ବରୁ ମଧ୍ୟ ଅନେକ ସମୟରେ ବିଜେପି କର୍ମୀଙ୍କ ସହ ପୁଲିସ୍ ଓ ଟିଏମ୍ସି କର୍ମୀଙ୍କ ମଧ୍ୟରେ ଏପରି ଧସ୍ତାଧସ୍ତି ହୋଇଥିବା ନଜର ରହିଛି । ନିର୍ବାଚନ ସମୟରୁ ଆଜି ଯାଏ ପଶ୍ଚିମବଙ୍ଗରେ ବାରମ୍ବାର ରାଜନୈତିକ ହିଂସାକାଣ୍ଡ ଘଟିଚାଲିଛି । ଏଥିରେ ବିଜେପିର ୫୪ ଜଣ ନେତାଙ୍କର ମୃତ୍ୟୁ ହୋଇଥିବା ଦଳ ଅଭିଯୋଗ କରିଛି । ବିଜେପି କର୍ମୀ ଓ ସମର୍ଥକଙ୍କ ଉପରେ ଆକ୍ରମଣ ପାଇଁ ବିଜେପି ଟିଏମ୍ସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରୁଥିବା ବେଳେ ମମତା କିନ୍ତୁ ଏହାକୁ ଖଣ୍ଡନ କରିଚାଲିଛନ୍ତି । ତେବେ ପଶ୍ଚିମବଙ୍ଗରେ ଏପ୍ରକାର ବାରମ୍ବାର ହିଂସାକାଣ୍ଡ ଘଟୁଥିବା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରାଳୟ ରାଜ୍ୟ ସରକାର କୈଫିୟତ୍ ମାଗିଛନ୍ତି । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କୁ ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ଏହି ବନ୍ଦ ପାଳନ ଏବଂ ହିଂସାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ ଦର୍ଶାଇଛନ୍ତି । ବାରମ୍ବାର ଘଟୁଥିବା ହିଂସାକାଣ୍ଡ ପାଇଁ ମମତା ବାନାର୍ଜୀ ସିଧାସଳଖ ବିଜେପିକୁ ଦାୟୀ କରିଛନ୍ତି । ରାଜ୍ୟ ସରକାର ଆଇନ ଓ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଏଠାରେ ସବୁ କିଛି ଠିକ୍ ଠାକ୍ ଚାଲିଛି । ବିଜେପି ଏଠାରେ ହିଂସା ରାଜନୀତି କରିବାକୁ ଚେଷ୍ଟା କରୁଛି ବୋଲି ମମତା ଚିଠିରେ ଦର୍ଶାଇଛନ୍ତି ।
ଅନ୍ୟପକ୍ଷେ ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ସୋମବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଛନ୍ତି । ପ୍ରାପ୍ତ ସୂଚନାନୁସାରେ ଶ୍ରୀ ତ୍ରିପାଠୀ ଉଭୟ ଶାହା ଓ ମୋଦିଙ୍କୁ ରାଜ୍ୟର ରାଜନୈତିକ ହିଂସା ଓ ବର୍ତ୍ତମାନର ଅବସ୍ଥା ଉପରେ ୪୮ ପୃଷ୍ଠାର ଲମ୍ବା ରିପୋର୍ଟ ପ୍ରଦାନ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟପାଳ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ସେ କେବଳ ରାଜ୍ୟର ସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଏବେ ସେ ରାଜ୍ୟରେ ଶାନ୍ତି ସ୍ଥାପନ ପାଇଁ ଏକ ସର୍ବଦଳୀୟ ବୈଠକର ପ୍ରସ୍ତାବ ଦେବେ ଏବଂ ଏନେଇ ସେ ସମସ୍ତ ନେତା, ମନ୍ତ୍ରୀଙ୍କ ସହ ଆଲୋଚନା କରିବେ । କିନ୍ତୁ ବିଜେପିର ପଶ୍ଚିମବଙ୍ଗ ପ୍ରଭାରୀ କୈଳାଶ ବିଜୟବର୍ଗୀ ସମେତ ଅନେକ ନେତା ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି । ବିଜୟବର୍ଗୀ କହିଥିଲେ ଯେ, ଯଦି ଅବସ୍ଥାରେ ସୁଧାର ନଆସେ ତେବେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ଜରୁରି । ସୁତରାଂ ଗୃହ ମନ୍ତ୍ରାଳୟର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।


