ମାଲିରେ ଗଣହତ୍ୟା, ୧ଠଠରୁ ଊଦ୍ଧ୍ୱର୍ ମୃତ ମଣିଷଶୂନ୍ୟ ହୋଇଗଲା ସମୁଦାୟ ଗାଁ
ବାମାକୋ(ଏଜେନ୍ସି): ରବିବାର ବିଳମ୍ବିତ ରାତିରେ ପଶ୍ଚିମ-ଆଫ୍ରିକୀୟ ଦେଶ ମାଲିରେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । କେନ୍ଦ୍ରୀୟ ମାଲିର ସୋବେନ ଅଞ୍ଚଳରେ ଥିବା ଏକ ଡୋଗୋନ୍ ଆଦିବାସୀ ଗ୍ରାମ ଉପରେ ଆତତାୟୀମାନେ ଆଖିବୁଜା ଗୁଳି ଚଳାଇବାରୁ ପ୍ରାୟ ୯୫ଜଣ ନିହତ ହୋଇଛନ୍ତି । ଆମେରିକୀୟ ଚ୍ୟାନେଲ ଫକ୍ସ ନ୍ୟୁଜ୍ ପକ୍ଷରୁ ମୃତ୍ୟୁ ସଂଖ୍ୟା ୧ଠଠରୁ ଊଦ୍ଧ୍ୱର୍ ରହିଥିବା ଏବଂ ୧୯ଜଣ ଏବେ ବି ନିଖୋଜ ରହିଥିବା ଦର୍ଶାଯାଇଛି । ସ୍ଥିତି ଏପରି ହୋଇଛି ଯେ ସମୁଦାୟ ଗାଁଟି ମନୁଷ୍ୟଶୂନ୍ୟ ହୋଇଯିବା ଆଶଙ୍କା ଦେଖାଦେଇଛି । ତେବେେ ଏହି ଆକ୍ରମଣ ପାଇଁ କୌଣସି ସଂସ୍ଥା ନିଜକୁ ଦାୟୀ କରିନଥିବାବେଳେ ଇସ୍ଲାମିକ୍ ଷ୍ଟେଟ ସମର୍ଥିତ ପିଉଲ ଜନଜାତିର ଲୋକମାନେ ଏହି ଗଣହତ୍ୟା କରିଥିବା ସନ୍ଦେହ କରାଯାଉଛି । ପ୍ରକାଶ ଯେ, ମାଲିରେ ଡୋଗାନ ଓ ପିଉଲ ସଂପ୍ରଦାୟର ଆଦିବାସୀମାନଙ୍କ ମଧ୍ୟରେ ଶତ୍ରୁତା ଅନେକ ଦଶନ୍ଧି ପୁରୁଣା । ଗତ ମାର୍ଚ୍ଚରେ ପିଉଲ ଗ୍ରାମ ଓଗୋସାଗୁରେ ହୋଇଥିବା ସମାନ ଧରଣର ଗଣହତ୍ୟାରେ ପ୍ରାୟ ୧୫୦ ଲୋକ ପ୍ରାଣ ହରାଇଥିଲେ । ଏହାର ପ୍ରତିଶୋଧ ନେବାକୁ ରବିବାରର ଏହି ଗଣହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।


