ପାଣି ପାଇଁ ସିଦ୍ଧାମଡଙ୍ଗ ଗ୍ରାମବାସୀ ଡହଳ ବିକଳ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବ୍ଲକ ସିଦ୍ଧାମଡଙ୍ଗ ଗ୍ରାମରେ ପାଣି ପାଇଁ ଡହଳବିକଳ ହୋଇଛନ୍ତି ଗ୍ରାମବାସୀ । ଏଥି ଲାଗି ଗ୍ରାମବାସୀଙ୍କ ପକ୍ଷରୁ ପ୍ରାୟ ୩ଘଣ୍ଟା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା । ବିଶେଷ କରି ଗ୍ରାମର ଶତାଧିକ ମହିଳା ଖାଲି ପାଣି ହାଣ୍ଡି ଧରି କାଶୀନଗର ରାଜ୍ୟରାଜପଥ ଉପରେ ବିଭିନ୍ନ ନାରାବାଜି କରି ରାସ୍ତା ଅବରୋଧ କରି ବସିଥିବାର ଦେଖିବାକୁ ମିଳିଥିଲା । ପ୍ରାୟ ତିନି ଘଣ୍ଟା କାଳ ରାସ୍ତା ଅବରୋଧ ହୋଇଥିବାରୁ ଉଭୟ ପଟରେ ଶତାଧିକ ଯାନବାହାନ ଅଟକି ରହିଥିଲା । ଏହି ଅଟକି ଥିବା ଯାନବାହାନର ଯାତ୍ରୀମାନେ ୩ଘଣ୍ଟା କାଳ ହନ୍ତସନ୍ତ ହୋଇଥିଲେ । ଅସହ୍ୟ ଗୁଳୁଗୁଳି ଅନୁଭୁତ ହେଉଥିବା ଏବଂ ଗୋଟିଏ ସ୍ଥାନରେ ୩ଘଣ୍ଟା କାଳ ଅଟକି ରହିବା ସେମାନଙ୍କ ପକ୍ଷରେ ମୁସ୍କିଲ ହୋଇପଡିଥିଲା । ଏପରିକି କିଛି ଯାତ୍ରୀ ଆନ୍ଦୋଳନକାରୀଙ୍କୁ ରାସ୍ତା ଅବରୋଧ ହଟାଇବା ନିମନ୍ତେ ଅନୁରୋଧ କରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ ୫ବର୍ଷ ସମୟରୁ ଉର୍ଦ୍ଧ କାଳ ପାନୀୟ ଜଳ ସମସ୍ୟାରେ ଜର୍ଜରିତ ଗ୍ରାମବାସୀ ରାସ୍ତା ଅବରୋଧରୁ ହଟିନଥିଲେ । ଗ୍ରାମବାସୀଙ୍କ କହିବା ମୁତାବକ ବିଗତ ୫ବର୍ଷ ହେଲା ସିଦ୍ଧାମଡଙ୍ଗ ଗ୍ରାମରେ ପାନୀୟ ଜଳର ଉତ୍କଟ ଅଭାବ ରହିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ସମାଧାନ କରିନାହାନ୍ତି । ଫଳରେ ଗ୍ରାମବାସୀ ବିଶେଷ କରି ଗ୍ରୀଷ୍ମ ଦିନରେ ପାଣି ମୁନ୍ଦାଏ ନିମନ୍ତେ ଡହଳବିକଳ ହେଉଛନ୍ତି । ଗ୍ରୀଷ୍ମ ଦିନରେ ଗ୍ରାମରେ ଥିବା ନଳକୂପ ଗୁଡିକର ଜଳସ୍ତର କମିଯିବାରୁ ପାଣି ଆସୁନଥିବା ବେଳେ କୁଅଁ ଗୁଡିକ ଶୁଖିଯାଉଛି । ଏହି ଗ୍ରାମ ଆଖପାଖରେ କୌଣସି ଜଳ ଉତ୍ସ ନଥିବାରୁ ଗ୍ରୀଷ୍ଣ ଦିନେ ପିଇବା ପାଣି ପାଇଁ ନାନାଦି ସମସ୍ୟା ଦେଖାଦେଉଛି । ଓଭର ହେଡ ଟାଙ୍କି ରହିଥିଲେ ମଧ୍ୟ ଆବଶ୍ୟକୀୟ ରକ୍ଷଣା ବେକ୍ଷଣ ଅଭାବରୁ ଏହା ସଠିକ ଭାବେ ଜଳ ଯୋଗାଣ ହୋଇପାରୁନି । ବିଭାଗ ପକ୍ଷରୁ ଛଡା ଯାଉଥିବା ଗୋଳିଆ ପାଣିକୁ ପିଇବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି । ଏନେଇ ବାରମ୍ବାର ପ୍ରଶାସନକୁ ଅବଗତ କରାଗଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାର କହିଛନ୍ତି । ସମସ୍ୟା ଲାଗି ପୂର୍ବରୁ ଚାରି ଚାରିଥର ରାସ୍ତା ଅବରୋଧ କରାଯାଇଛି । ହେଲେ କୌଣସି ପ୍ରତିକାର ହୋଇପାରିନଥିବାରୁ ଗତକାଲି ବାଧ୍ୟହୋଇ ପୁଣି ରାଜରାସ୍ତାକୁ ଓହ୍ଲାଲୁ ବୋଲି କହିଛନ୍ତି । ଆନ୍ଦୋଳନକାରୀଙ୍କୁ ବୁଝାଇବା ନିମନ୍ତେ କୌଣସି ପ୍ରଶାସନିକ ଅଧିକାରୀ ଆସି ନଥିବା ବେଳେ ଆର୍ଡବ୍ଲ୍ୟୁଏସ୍ଏସ୍ ଯନ୍ତ୍ରୀ ଓ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅଧିକାରୀ ଦୀର୍ଘ ସମୟ ପର୍ଯ୍ୟନ୍ତ ବହୁ ବୁଝା ସୁଝା କରିଥିଲେ । ଏହାପରେ ବିଭାଗୀୟ ଯନ୍ତ୍ରୀ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଗତକାଲି ସନ୍ଧ୍ୟା ସୁଦ୍ଧା ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ରାସ୍ତା ଅବରୋଧରୁ ହଟିଥିଲେ ଗ୍ରାମବାସୀ । ଏହାପରେ ପ୍ରାୟ ୩ଘଣ୍ଟା ଧରି ଅଟକିଥିବା ଯାନବାହାନ ଗୁଡିକ ଯାତାୟତ କରିବାରେ ସ୍ୱାଭାବିକ ହୋଇଥିଲା.


