ପାରଳା ଜନସ୍ୱାସ୍ଥ୍ୟ ବିଭାଗର ନିଷ୍କ୍ରିୟତା: ପାନୀୟ ଜଳ ଅଭାବରୁ ଅସନ୍ତୋଷ ବୃଦ୍ଧି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଜନ ସ୍ୱାସ୍ଥ୍ୟ ବିଭାଗର ନିଷ୍କ୍ରିୟତା ଯୋଗୁଁ ୨ଦିନ ଜଳ ଯୋଗାଣ ବନ୍ଦ ପରେ ଆଜି ୩ୟ ଦିନ କିଛି ସମୟ ପାଇଁ ପାଣି ଆସିଛି । ଜନ ସ୍ୱାସ୍ଥ୍ୟ ବିଭାଗର ଏଭଳି ନିଷ୍କ୍ରିୟତା ଯୋଗୁଁ ପିଇବା ପାଣି ନ ପାଇ ପାରଳା ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ,ପାରଳାଖେମୁଣ୍ଡି ସହରରେ ମୋଟ ୨୩୬ ଗୋଟି ଷ୍ଟାଣ୍ଡ ପୋଷ୍ଟ ପାଇପ୍ ରହିଛି । ଏହା ସହ ୭ହଜାରରୁ ଉର୍ଦ୍ଧ୍ୱ ଗୃହକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଏଥି ନିମନ୍ତେ ୭ହଜାର ମିଲିଅନ ଲିଟର ପାଣିର ଆବଶ୍ୟକ ଥିବା ବେଳେ ଏଠାରେ ୧୦ହଜାର ମିଲିଅନ ଲିଟର କ୍ଷମତା ବିଶିଷ୍ଟ ୱାଟର ଟ୍ୟାଙ୍କ ରହିଛି । ତଥାପି ବିଭାଗୀୟ କର୍ମକର୍ତ୍ତାଙ୍କ ଅବହେଳା,ଅପାରଗତା ଓ ନିଷ୍କ୍ରିୟତା ଯୋଗୁଁ ପାରଳା ସହରରେ ଗତ ୩ଦିନ ଧରି ପାନୀୟଜଳ ଯୋଗାଣରେ ଅନୀୟମିତତା ଦେଖା ଦେଇଥିଲା । ଗତ ୧୧,୧୨ ଦୁଇ ଦିନ ଧରି ଜନସ୍ୱାସ୍ଥ୍ୟ ବିଭାଗର ପାଇପ୍ ବ୍ୟବସ୍ଥା ଦ୍ୱାରା ପାନୀୟଜଳ ଯୋଗାଣ ବନ୍ଦ ଥିବା ବେଳେ ଆଜି ସକାଳେ ୧୦ଘଣ୍ଟା ପରେ କିଛି ସମୟ ପାଇଁ ପିଇବା ପାଣି ଯୋଗାଇ ଦିଆଯାଇଥିଲା । ଜନସ୍ୱାସ୍ଥ୍ୟ ବିଭାଗର ପାଇପ୍ ଦ୍ୱାରା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବିନା ପାରଳାବାସୀଙ୍କ ପାଇଁ ପିଇବା ପାଣି ଯୋଗାଣର ଅନ୍ୟ କୌଣସି ବ୍ୟବସ୍ଥା ନାହିଁ । ବର୍ତ୍ତମାନ ଗତ ୨ଦିନ ପାନୀୟ ଜଳ ଯୋଗାଣ ବନ୍ଦ ହେବା ଯୋଗୁଁ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଜନସ୍ୱାସ୍ଥ୍ୟ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ୱାଗତ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି,୨ଗୋଟି ସ୍ୱୁଇଜୱେଲ ଜାମ୍ ଥିଲା । ତେଣୁ ପାନୀୟ ଜଳ ଯୋଗାଣରେ ଅସୁବିଧା ହୋଇଥିଲା । ତାହା ଆଜି ଠିକ୍ ହୋଇଛି । ବର୍ତ୍ତମାନ ଜଳ ଯୋଗାଣ ସ୍ୱାଭାବିକ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ