ପାରଳା ରାଜଦାଣ୍ଡରେ ଟ୍ରାଫିକ ସମସ୍ୟା : ସୁଧାରିବା ପାଇଁ ଦାବି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସମଦର ମହକୁମା ପାରଳାଖେମୁଣ୍ଡି କଲେଜ ଛକ ଠାରୁ ରାଜପ୍ରାସାଦ ପର୍ଯ୍ୟନ୍ତ ରହିଥିବା ମୁଖ୍ୟ ରାସ୍ତା ଦିନକୁ ଦିନ ସଂକୀର୍ଣ୍ଣ ହେବାରେ ଲାଗିଛି । ଏହି ରାସ୍ତାରେ ଜଗନ୍ନାଥ ମନ୍ଦିର ଏବଂ ଅନ୍ୟ ୨ଟି ଶିବ ମନ୍ଦିର, ୩ଗୋଟି ପ୍ରମୁଖ ଘରୋଇ ବିଦ୍ୟାଳୟ, ୪ଗୋଟି ବ୍ୟାଙ୍କ ସହ ଏଟିଏମ୍ କାଉଣ୍ଟର ରହିଥିବା ବେଳେ ରାସ୍ତା କଡରେ ଅନେକ ବଡ ବ୍ୟବସାୟ କେନ୍ଦ୍ର ଗୁଡିକ ଗଡିଉଠିଛି । ଏଥି ଯୋଗୁଁ ରାଜଦାଣ୍ଡ ରାସ୍ତା ସଦା ସର୍ବଦା ଚଳ ଚଞ୍ଚଳ ତଥା ଜନଗହଳି ପୂର୍ଣ୍ଣ ରାସ୍ତା ଅଟେ । ଏହା ସହ ଏହି ରାସ୍ତା ସହରର ଏକ ମୁଖ୍ୟ ରାସ୍ତା ହୋଇଥିବାରୁ ଦୈନନ୍ଦିନ ଶହ ଶହ ଗାଡି ଯାତାୟତ କରିଥାଏ । ଏଥି ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଯାଉଥିବା ବେଳେ ଏହି ସମସ୍ୟାକୁ ଆହୁରି ଦ୍ୱିଗୁଣିତ କରୁଛି ଅଟୋ ଚାଳକଙ୍କ ମନମୁଖୀ ଚାଳନା । ଅଟୋ ଚାଳକ ମାନେ ରାସ୍ତା ପାଶ୍ୱର୍କୁ ନ ଯାଇ ମଧ୍ୟ ରାସ୍ତାରେ ଅଟୋ ରଖି ଯାତ୍ରୀମାନଙ୍କୁ ଛାଡିବା ଓ ଉଠାଇବା କାରବାର କରୁଛନ୍ତି । ଏହା ସହ ଘଣ୍ଟା ଘଣ୍ଟା ଧରି ରାଜଦାଣ୍ଡ ରାସ୍ତା ମଧ୍ୟରେ ଅଟକି ରହୁଛନ୍ତି । ଫଳରେ ଏହି ସମସ୍ୟା ଆହୁରି ଜଟିଳ ହୋଇପଡୁଛି । ବେଳେ ବେଳେ ଏପରି ଟ୍ରାଫିକ ସମସ୍ୟା ଯୋଗୁଁ ପାଦରେ ଚାଲିଯିବା ମଧ୍ୟ କଷ୍ଟସାଧ୍ୟ ହୋଇପଡୁଛି । ଏଭଳି ଅଟୋ ଚାଳକଙ୍କ ମନମୁଖୀ ଚାଳନା ଓ ଅବାଧ ପାର୍କିଂ ଯୋଗୁଁ ବହୁ ସମୟରେ ଦୁର୍ଘଟଣାମାନ ଘଟିବାର ମଧ୍ୟ ନଜିର ରହିଛି । ଅନ୍ୟପକ୍ଷରେ ଉଠାଦୋକାନିଙ୍କ ପାଇଁ କୌଣସି ନିର୍ଦ୍ଧିଷ୍ଠ ନିୟମ ନ ଥିବା ହେତୁ ରାସ୍ତାରେ ୨ପାଶ୍ୱର୍ରେ ଏମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାସ୍ତାର ୨ପାଶ୍ୱରେ ସଂଧ୍ୟା ସମୟରେ ଯୁବଗୋଷ୍ଠୀମାନେ ଗାଡିଗୁଡିକ ଏଣେତେଣେ ପାର୍କିଂ କରି ଫାଷ୍ଟଫୁଡ ସେଣ୍ଟର ତଥା ଚାଟ ଦୋକାନ ଆଦି ଠାରେ ଆଡ୍ଡା ଜମାଇ ଗାଡିଗୁଡିକ ମନଇଛା ପାର୍କିଂ କରିବା ଯୋଗୁଁ ରାସ୍ତାଟି ସଂଧ୍ୟା ସମୟରେ ସଂକୀର୍ଣ୍ଣ ହୋଇପଡୁଥିବାର ଲକ୍ଷ୍ୟ କରାଯାଇଛି । ଏଥିନେଇ ପୋଲିସ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଏହି ସମସ୍ୟା ଦୂର କରନ୍ତୁ ବୋଲି ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ