ପୀତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ଶିବ-ପାର୍ବତୀ ବିବାହ
ବାଲେଶ୍ୱର, (ସରୋଜ ପଣ୍ଡା):ସହର ଉପକଣ୍ଠ କୁରୁଡ଼ାସ୍ଥିତ ଶ୍ରୀ ପୀତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ହର-ଗୌରୀ ବିବାହ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ପୀଠ ଅଧିଷ୍ଠାତ୍ରୀ ଶକ୍ତି ସ୍ୱରୂପିଣୀ ମାଆ ବଗଳାମୁଖୀ କନ୍ୟା ଓ ବର ଭାବେ ପୀଠର ରକ୍ଷକ ବାବା ବିଶ୍ୱନାଥଙ୍କର ବିବାହ ସମ୍ପନ୍ନ ହୋଇଥିଲା । ଅପର୍ଣ୍ଣା ସାହୁ ଓ ଦୀପ୍ତିକାନ୍ତ ସାହୁ କନ୍ୟାକର୍ତ୍ତା ଏବଂ ତନୁଜା ରଣା ଓ ରାମଚନ୍ଦ୍ର ରଣା ବରକର୍ତ୍ତା ରୂପେ ଏହି ବିବାହ ଉତ୍ସବରେ ଦାୟିତ୍ୱ ତୁଲାଇଥିଲେ । ସମ୍ପୂର୍ଣ୍ଣ ବୈଦିକ ରୀତିରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିବାହ କର୍ମକାଣ୍ଡ ପୂର୍ବରୁ ବାବା ବିଶ୍ୱନାଥଙ୍କର ସମସ୍ତ ନୀତିପୂଜା ସହ ଦିବସବ୍ୟାପୀ ରୁଦ୍ରାଭିଷେକ ଅନୁଷ୍ଠିତ ହୋଇଥିଲା । ବାବାଙ୍କ ଚଳନ୍ତି ପ୍ରତିମା ବିଗ୍ରହ ହରଙ୍କୁ ବର ବେଶରେ ଏବଂ ମାଆ ବଗଳାମୁଖୀଙ୍କ ଚଳନ୍ତି ପ୍ରତିମାଙ୍କୁ ଗୌରୀଙ୍କୁ କନ୍ୟା ବେଶରେ ସଜ୍ଜିତ କରାଯାଇ ବିବାହ ମଣ୍ଡପକୁ ଅଣାଯାଇଥିଲା । ଭଜନ କୀର୍ତ୍ତନ ଓ ବାଜା ରୋଷଣିରେ ବରକନ୍ୟାଙ୍କୁ ମନ୍ଦିର ବେଢ଼ା ପରିକ୍ରମା ସହ ଯଜ୍ଞବେଦୀକୁ ନିଆଯାଇ ସେଠାରେ ବରଧରା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ବ୍ରାହ୍ମଣଙ୍କ ବେଦପାଠ ଓ ଜ୍ୟୋତିଷଙ୍କ ପଞ୍ଜିକା ନିର୍ଘଣ୍ଟ ଅନୁସାରେ ଉଭୟ ବରକନ୍ୟାଙ୍କୁ ସୁସଜ୍ଜିତ ବିମାନରେ ବିଜେ କରାଯାଇଥିଲା । ଓଡ଼ିଆ ରୀତିନୀତି ଅନୁସାରେ ୭ଜଣ ସଧବା ବିବାହ ବେଦୀରେ ବରକନ୍ୟାଙ୍କୁ ବନ୍ଦାପନା କରିଥିଲେ । ଏହା ପରେ ଯଜ୍ଞାନୁଷ୍ଠାନ ସହ ବରକନ୍ୟାଙ୍କର ହାତଗଣ୍ଠି ପଡ଼ିଥିଲା । କନ୍ୟାଭଗ୍ନୀ ଭାବେ ମନସ୍ୱିନୀ ସାହୁ ହାତଗଣ୍ଠି ଫିଟାଇଥିଲେ । ମହାସିଦ୍ଧ ପୀଠାଧୀଶ ଆଚାର୍ଯ୍ୟ ରବିନାରାୟଣ ମିଶ୍ର ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ସମସ୍ତ କର୍ମକାଣ୍ଡ ଅନୁଷ୍ଠିତ ହୋଇଥିଲା । ଉପାଚାର୍ଯ୍ୟ ଆଦିତ୍ୟ ନାରାୟଣ ମିଶ୍ର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।


