ପୁଣି ଥରେ ଗଜପତି ଉତ୍ସବର ନୂତନ ତାରିଖ ଧାର୍ଯ୍ୟ
ପାରଳାଖେମୁଣ୍ଡି (ତାରିଣୀପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲ।। ପାରଳାଖେମୁଣ୍ଡି ଜିଲାପରିଷଦ ସମ୍ମିଳନୀ ଗୃହଠାରେ ଗଜପତି ଉତ୍ସବକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତାକରି ଜିଲାପାଳ ଅନୁପମ ସାହା ଗଜପତି ଉତ୍ସବ ଆସନ୍ତା ୨୦୨୦ ଜାନୁଆରୀ ୧୦ତାରିଖ ରୁ ୧୪ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଗଜପତି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ । ଏଥି ମଧ୍ୟରୁ ୧୦ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ଗଜପତି ଉତ୍ସବ ଏବଂ ୧୩ ଓ ୧୪ ତାରିଖରେ ପଲ୍ଲୀଶ୍ରୀ ମେଳା ସେହି ଏକା ସ୍ଥାନରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ପୂର୍ବରୁ ଯେଉଁ ଡିସେମ୍ବର ୧୮ ରୁ ୨୨ ତାରିଖ ଧାର୍ଯ୍ୟ ହୋଇଥିଲା ଜାତୀୟ ଶିଶୁ ସୁରକ୍ଷା ଆୟୋଗର କାର୍ଯ୍ୟକ୍ରମ ହୋଇଥିବା ଯୋଗୁଁ ସ୍ଥଗିତ ରଖାଯାଇ ଉତ୍ସବର ନୂତନ ତାରିଖ ଧାର୍ଯ୍ୟ କରାଯାଇଛି । ଆଜି ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ନୂତନ ତାରିଖ ଧାର୍ଯ୍ୟ ହେବା ସହ ଜିଲାସ୍ତରୀୟ ଗଜପତି ଉତ୍ସବ ପୂର୍ବରୁ ପ୍ରତି ବ୍ଲକରେ ଉତ୍ସବମାନ ଆୟୋଜନ କରାଯାଇ ସେଠାରେ ଗଜପତି ଉତ୍ସବର ପ୍ରସାର ପ୍ରଚାର କରାଯିବାପାଇଁ ମଧ୍ୟ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ବ୍ଲକସ୍ତରରେ ଯେଉଁ ସାଂସ୍କୃତିକ ଅନୁଷ୍ଠାନ ଗୁଡିକ ସଫଳତାର ସହ ସେମାନଙ୍କର କାର୍ଯ୍ୟକ୍ରମ ପରିବେଷଣ କରିବେ ସେମାନଙ୍କୁ ଜିଲାସ୍ତରୀୟ ଗଜପତି ଉତ୍ସବରେ ମଧ୍ୟ ସୁଯୋଗ ମିଳିବ ବୋଲି ଆଲୋଚନା ହୋଇଥିଲା । ପୂର୍ବ ବୈଠକରେ ଗଜପତି ଉତ୍ସବ ସଫଳ ମଣ୍ଡନ କରିବାପାଇଁ ଯେଉଁ ସବୁ କମିଟି ଗୁଡିକ ଗଠନ କରାଯାଇଥିଲା ସେହି କମିଟି ଗୁଡିକ ସେମାନଙ୍କର କାର୍ଯ୍ୟ କିପରି ଭାବେ ତୁଲାଇବେ ସେ ବିଷୟରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ ବେହେରା, ଉପଜିଲାପାଳ ରଜନୀକାନ୍ତ ସ୍ୱାଇଁ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ବୁଦ୍ଧିଜିବୀ ଉପସ୍ଥିତଥିଲେ ।


