ପୁଣି ଦେଖିବାକୁ ମିଳିବ ବାପ-ପୁଅ ଯୋଡ଼ି
ବ୍ଲକବଷ୍ଟର ଫିଲ୍ମ “କବୀର ସିଂହ’ ପରେ ଅଭିନେତା ସାହୀଦ କପୁର ଏବେ ନିଜ ଅପକମିଂ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ତାଙ୍କର ଏହି ନୂଆ ଫିଲ୍ମଟି ହେଉଛି ତେଲଗୁ ଫିଲ୍ମ “ଜର୍ସି’ର ରିମେକ୍ । ଏଥିରେ ସେ ଜଣେ କ୍ରିକେଟର୍ ଭୂମିକାରେ ଅଭିନୟ କରିବେ । “କବୀର ସିଂହ’ ପରି ଏହାକୁ ମଧ୍ୟ ଜବରଦସ୍ତ କରିବା ପାଇଁ ସେ ଲାଗିପଡ଼ିଛନ୍ତି । ତେବେ ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଯାଇଛି । ସୂଚନା ଅନୁଯାୟୀ ଶହୀଦଙ୍କ ଅପକମିଂ ଫିଲ୍ମରେ ତାଙ୍କ ରିୟଲ୍ ଲାଇଫ୍ ପିତା ପଙ୍କଜ କପୁର ନଜର ଆସିବେ । ସେ ଫିଲ୍ମ ସାଇନ୍ ମଧ୍ୟ କରିସାରିଲେଣି । ଏଥିରେ ସେ ଶହୀଦଙ୍କ ମେଣ୍ଟର ଭୂମିକାରେ ନଜର ଆସିବେ । ନିଜ ପୁଅ ସହ ସ୍କ୍ରିନ୍ ଶେୟାର୍ କରୁଥିବାରୁ ପଙ୍କଜ ବେଶ୍ ଖୁସି ଅଛନ୍ତି । ସେ କହିଛନ୍ତି, “ଜର୍ସିର କାହାଣୀ ଅନେକ ମଜଭୂତ ଓ ଇମୋଶନ୍ ଭରା ରହିଛି । ସାହୀଦଙ୍କ ସହ କାମ କରିବାର ଅନୂଭବ ସବୁବେଳେ ଭଲ ହିଁ ରହିଛି । ଯେଉଁଭଳି ଭାବେ ସେ ପ୍ରତ୍ୟେକ ଇମୋଶନକୁ ପରିପ୍ରକାଶ କରନ୍ତି ତାହା ପ୍ରଶଂସା ଯୋଗ୍ୟ ।’ ସୂଚନାଯୋଗ୍ୟ, ଏହା ପୂର୍ବରୁ ବାପ-ପୁଅଙ୍କ ଯୋଡ଼ି ଫିଲ୍ମ “ମୌସମ୍’ ଓ “ଶାନ୍ଦାର୍’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ଦୁଇଟି ବକ୍ସ ଅଫସରେ ବିଶେଷ କିଛି କମାଲ୍ ତ କରିପାରିନି, କିନ୍ତୁ ଫିଲ୍ମରେ ସାହୀଦ ଓ ପଙ୍କଜଙ୍କ ଅଭିନୟକୁ ସମସ୍ତେ ପସନ୍ଦ କରିଥିଲେ । ସାହୀଦଙ୍କର ଏହି ଫିଲ୍ମଟି ତେଲୁଗୁ ଫିଲ୍ମ “ଜର୍ସି’ର ହିନ୍ଦୀ ରିମେକ୍ । ଗୌତମ ଟିନ୍ନାନୁରି ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ସେ ଏହାର ତେଲୁଗୁ ଭର୍ସନର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମରେ ସାହିଦ୍ଙ୍କ ସହ ମୃଣାଳ ଠାକୁର ଲିଡ୍ ହିରୋଇନ୍ ଭାବେ ନଜର ଆସିବେ । “ସୁପର ୩୦’ରେ ମୃଣାଳଙ୍କ ଅଭିନୟ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥିଲା । ଫିଲ୍ମଟି ୨୦୨୦ ଅଗଷ୍ଟ ୨୮ ତାରିଖରେ ରିଲିଜ୍ ହେବ ।


