ପୁଣି ଭାରାରେ ବୁହା ହେଲେ ଗର୍ଭବତୀ

ଜୟପୁର, (ଓ୍ୱାଇଏନ୍‌ଏସ୍‌): ପୁଣି ଭାରାରେ ବୁହା ହେଲେ ରୋଗୀ। ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ଭାରରେ ବୋହି ରାମଗଡ଼ ଡାକ୍ତରଖାନା ନିଆଯାଇଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜୟପୁର ବ୍ଲକ ରଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ପାହାଡ଼ିଆ ଗାଁ ରାମଗଡ଼ରେ । ଗାଁର ଜଗବନ୍ଧୁ ମୁଦୁଲିଙ୍କ ପତ୍ନୀ କଳାବତୀ ମୁଦୁଲି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲା ବେଳେ ଆଜି ପରିବାରବର୍ଗ ତାଙ୍କୁ ଏକ କାଠ ଭାରା ସାହାର୍ଯ୍ୟରେ ତଳକୁ ଆଣିଥିଲେ। ଏହି ବିକଳ ଚିତ୍ର ଦେଖିବା ପରେ ପଦାରେ ପଡ଼ିଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା । ଖାଲି ଯେ ସ୍ଵାସ୍ଥ୍ୟ ବିଭାଗର ଚିତ୍ର ନୁହେଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଏହି ଗାଁକୁ ଏଯାଏ ଅପହଞ୍ଚ ହୋଇ ରହିଛି। ଗୋଟିଏ କି ଦୁଇ କିଲୋମିଟର ନୁହେଁ ପୂରା ୪ କିମି ଭାରରେ ବୋହି ତଳକୁ ଓହ୍ଲାଇଥିଲେ ଗାଁ ଲୋକୋ ତୀଖ ପାହାଡ଼ିଆ ରାସ୍ତା ସହ ମୌସୁମୀ ଜନିତ ବର୍ଷାରେ ଏହି ଗାଁ ଲୋକେ ନାକେଦମ ହୋଇ ପାହାଡ଼ ତଳୁକୁ ଗର୍ଭବତୀଙ୍କୁ ଓହ୍ଲାଇଥିଲେ। ୩ରୁ ୪ ଜାଗା ରହି ରହି ଆସିବା ପରେ ଅଟୋରେ କୁମୁଲିପୁଟ ମେଡିକାଲକୁ ଯାଇଥିବା ଜଣାପଡ଼ିଛି। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ରଣ୍ଡାପାଲି ଗ୍ରାମପଞ୍ଚାୟତ ଅଧୀନରେ ଥିବା ପାହାଡ଼ିଆ ଗାଁ ରାମଗଡ଼ ଗାଁରେ ପ୍ରତି ମାସେ କି ଦୁଇମାସରେ ଥରେ ଏପରି ଘଟଣା ଘଟୁଥିବା ବେଳେ ଏହାକୁ ଦେଖି ଅଣଦେଖା କରୁଛି ପ୍ରଶାସନ ପ୍ରାୟ ୪ କିମି ଜଙ୍ଗଲିଆ ରାସ୍ତା କଟାଯାଇ ଘାଟି. ରାସ୍ତା ନିର୍ମାଣ କରାଯିବା ଯୋଜନା ରହିଥିଲା । ହେଲେ ଏଯାଏ ଏହି ରାସ୍ତା ହୋଇପାରିଲାନି। ରଣ୍ଡାପାଲି ଠାରୁ ତାଡ଼ପାଡ଼ି ଯାଏ ପ୍ରାୟ ୧୨କିମି ରାସ୍ତା ନିର୍ମାଣ କରିବାକୁ ୩ ବର୍ଷ ବିତିଥିବା ବେଳେ ଆହୁରି ୪ କିମି ରାସ୍ତା କେବେ ନିର୍ମାଣ ହେବ ତାକୁ ନେଇ ନାନା ପ୍ରଶ୍ନ ଉଠିଛି। ଜଙ୍ଗଲ କାଟି ରାସ୍ତା ନିର୍ମାଣ କରାଯିବାକୁ ବ୍ୟବସ୍ଥା ରହିଥିବା ବେଳେ ବର୍ଷ ବର୍ଷ ପରେ ବିତୁଛି ସିନା ରାସ୍ତା କିନ୍ତୁ ନିର୍ମାଣ ହୋଇପାରୁନି। ଫଳରେ ପ୍ରତି ମାସରେ ଏପରି ଗର୍ଭବତୀଙ୍କୁ ଭାରରେ ବୋହି ପାହାଡ଼ିଆ ରାସ୍ତାରେ ଆଣୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଗାଁରେ ପାଖାପାଖି ୭୦ ଟି ପରିବାର ବର୍ଷ ବର୍ଷ ଧରି ରହିଆସୁଛନ୍ତି। ଗାଁର ଲୋକ ସଂଖ୍ୟା ପ୍ରାୟ ୫୦ ହେବା ମିଳି ଥିବ । ସୂଚନା ମୁତାବକ ଗାଁକୁ ଯୋଡୁଥିବା ରାସ୍ତା ୨୦୧୪ରୁ ନିର୍ମାଣ ଯୋଜନା ରହିଥିବା ବେଳେ ପରିବେଶ ମଞ୍ଜୁରୀ ହୋଇ ପାରୁ ନ ଥିବାରୁ କେବଳ ମାଙ୍କିରେ ଅଟକି ରହିଛି। ବୈରାଗୀମଠରୁ କୁସୁମଭଟ୍ଟା ଯାଏ ପ୍ରାୟ ୮ କିମି ରାସ୍ତା ନିର୍ମାଣ କରିବାକୁ ୫ବର୍ଷରୁ ଅଧିକ ସମୟ ବିତିଲାଣି। ସେପଟେ କେତେଥର ଯେ ଏହି ରାସ୍ତାର ସର୍ଭେ କରାଗଲାଣି ତାହା ସମସ୍ତଙ୍କୁ ଜଣା । ତଥାପି ଗାଁକୁ ହୋଇପାରୁନି ରାସ୍ତା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ