ପୁରୁଣା ଛାତ୍ରାବାସ ଭାଙ୍ଗି ହେବ ନୂତନ ଟାଉନ ହଲ୍
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ବହୁ ପୁରାତନ ଛାତ୍ରାବାସକୁ ଭାଙ୍ଗି ପୌରପରିଷଦ ପକ୍ଷରୁ ନୂତନ ଟାଉନ ହଲ୍ ବା ଅଡିଟରିୟମ ନିର୍ମାଣ ହେବ ବୋଲି ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଯେ, ଶତାଧିକ ବର୍ଷ ହେଲା ଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଏକ ଛାତ୍ରାବାସ ରହିଥିଲା । ଏହି ଛାତ୍ରାବାସ ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ଗତ ୧୯୭୧ ମସିହାରେ ନିର୍ମାଣ କରାଯାଇଥିଲା । ତେବେ ୧୯୮୩ ମସିହାରେ ଏହାକୁ ଛାତ୍ରୀମାନଙ୍କ ଲାଗି ଶିକ୍ଷାର ବିକାଶ କରିବା ପାଇଁ ମହିଳାମହାବିଦ୍ୟାଳୟ ଭାବେ ଏହାକୁ ବ୍ୟବହୃତ କରାଯାଇଥିଲା । ଏହାପରେ ମହିଳା ମହାବିଦ୍ୟାଳୟର ଏକ ସ୍ଥାୟୀ କୋଠା ଗୃହ ନିର୍ମାଣ କରାଯାଇ ୨୦୦୯ ମସିହାରେ ସ୍ଥାନାନ୍ତିରତ କରାଯାଇଥିଲା । ଏହାପରେ ଏହା ଭୂତକୋଠୀ ଭାବେ ପରିଣତ ହୋଇଥିଲେ ମଧ୍ୟ ୨୦୧୨ ମସିହାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଭାବେ ରୂପାନ୍ତିକରଣ କରାଯାଇଥିଲା । ହେଲେ ୨୦୨୦ ମସିହାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସହର ଉପକଣ୍ଠସ୍ଥ ବେତାଗୁଡା ଠାରେ ନୂତନ କୋଠା ନିର୍ମାଣ ହେବାରୁ କାର୍ଯ୍ୟାଳୟଟି ସେଠାକୁ ସ୍ଥାନାନ୍ତରିତ ହୋଇଥିଲା । ଏହିପରି ମହାରାଜାଙ୍କ ବାଳକ ବିଦ୍ୟାଳୟର ଛାତ୍ରାବାସଟିକୁ ଯିଏ ପାରିଲା ଯେଉଁ ସମୟରେ ସେ ଏହାକୁ ବ୍ୟବହୃତ କରିଚାଲିଥିଲା । ପୂର୍ବତନ ଜିଲ୍ଲାପାଳ ଅନୁପମ ସାହାଙ୍କ ନିଷ୍ପତ୍ତି କ୍ରମେ ପାରଳାଖେମୁଣ୍ଡି ସହରର ଉପକାରାଗର ସମ୍ମୁଖରେ ପୌରପରିଷଦ ପକ୍ଷରୁ ଜବରଦଖଲ ହଟାଯାଇ ନୂତନ ଭାବେ ଟାଉନ ହଲ୍ କରିବା ସକାଶେ ସ୍ଥାନ ନିରୂପଣ କରାଯାଇ ସେଠାରେ ଥିବା ଜବରଦଖଲ ସବୁ ଉଚ୍ଛେଦ କରାଯାଇ ସେଠାରେ ଟାଉନହଲ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ହଠାତ୍ ଆଜି ପୌରପରିଷଦ ପକ୍ଷରୁ ପୌର କର୍ମଚାରୀ ଦଳ ସବୁ ଏହି ଛାତ୍ରାବାସ ଠାରେ ପହଂଚି ସେଠାରେ ସବୁ କିଛି ସଫେଇ କରିବା ସହ ଠିକାଦାର ଓ ଯନ୍ତ୍ରୀମାନଙ୍କ ଉପସ୍ଥିତିରେ ମାପଚୂପ ଚାଲିଥିବାର ଦେଖିବାକୁ ମିଳିଛି । ଏହା ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀମାନଙ୍କ ସହ ଯୋଗାଯୋଗ କରିବାରୁ ସେମାନଙ୍କ ଉତ୍ତରରେ ଏଠାରେ ନୂତନା ଭାବେ ୪.୫୯ କୋଟି ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ନୂତନ ଅଡିଟରିୟମ ବା ଟାଉନହଲ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି । ତେବେ ସାଧାରଣରେ ବର୍ତ୍ତମାନ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଅଛି ଯେ, ଯାହାର ନିଷ୍ପତ୍ତି ଗୋଟିଏ ସ୍ଥାନରେ କରିବା ପାଇଁ ପୂର୍ବତନ ଜିଲ୍ଲାପାଳ ଶ୍ରୀ ସାହା ଅନୁମତି ଦେଇଥିବା ବେଳେ ବର୍ତ୍ତମାନ ଏହି ନୂତନ କୋଠାଟିକୁ ପୁନର୍ବାର ବଦଳାଇ ସହର ମଧ୍ୟରେ ରହିଥିବା ପୁରାତନ ଛାତ୍ରାବାସଟିକୁ ଭାଙ୍ଗିବାର କାରଣ କଣ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


