ପୁରୁଣା ସ୍ଲୋଗାନ ଦେଇ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

ବିଜେପୁର, – ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ୍ ମାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦୁଇଦିନିଆ ମାରାଥନ୍ ପ୍ରଚାର ଶେଷ କରିଛନ୍ତି । ଗତକାଲି ବରଗଡ ଜିଲ୍ଲାରେ ରାତ୍ରିଯାପନ କରିଥିବା ନବୀନଙ୍କ ରୋଡ୍ ସୋରେ ପ୍ରବଳ ଜନଗହଳି ଦେଖାଯାଇଥିଲା । ମାଳମାଳ ନେତା ଓ ମନ୍ତ୍ରୀଙ୍କ ସମେତ ସ୍ଥାନୀୟ କର୍ମୀମାନେ ବି ବହୁସଂଖ୍ୟାରେ ଏଥିରେ ସାମିଲ ହୋଇଥିଲେ । ସବୁଆଡେ ବିଜେଡିର ସବୁଜ ପତାକା ଛାଇ ହୋଇଯାଇଥିଲା । ଆପଣମାନେ ଖୁସି ତ? ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନ ଓ “ମୁଁ ବି ଖୁସି’ ଲୋକଙ୍କୁ ବେଶ୍ ଆକର୍ଷିତ କରିଥିଲା । ଶୁକ୍ରବାର ସକାଳୁ ମୁଖ୍ୟମନ୍ତ୍ରୀ ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମରୁ ହେଲିକପ୍ଟରରେ ବାହାରି ଗାଇସିଲାଟ୍ ବ୍ଲକ ତାଲପାଲି ପଡ଼ିଆରେ ଓହ୍ଲାଇଥିଲେ । ସେଠାରୁ କେନ୍ଦୁଭଟା ଛକ, ଗୌରମୁଣ୍ଡା ଛକ, ଗାଇସିଲାଟ୍, କେନ୍ଦୁମୁଣ୍ଡା, କଠଉମାଲ, ବଡ଼ ସାହାଜବାହାଲ, ଜଗଲପାଟ, ଭଂଗାମୁଣ୍ଡା, ଡାଂଗବାହାଲ, ସରଧାପାଲି, କରଂଜାପାଲି, କିର୍ମେଲି ଛକ, କୁଣ୍ଡାଖାଇ, ଗୁଦେରପାଲି ପର୍ଯ୍ୟନ୍ତ ରୋଡ୍-ସୋ କରିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍ ରୋଡ୍ ସୋ’ କୁ ଟକ୍କର ଦେବାକୁ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୀର୍ଘ ୨୦ ବର୍ଷ ଛାଡ଼ି ଗତ ଦୁଇ ବର୍ଷରେ ବିଜେପୁରର ବିକାଶ ପାଇଁ ସରକାର କ’ଣ କରିଛନ୍ତି ବୋଲି ପଚାରିଥିଲେ । ଏଥିସହ ଗାଇସିଲାଟ ବ୍ଲକ ସ୍ୱଚ୍ଛଭାରତ ସଂଯୋଜକ ତରଣୀସେନ ମହଲାଙ୍କ ହତ୍ୟାକୁ ନେଇ ମଧ୍ୟ ସରକାରଙ୍କୁ ପ୍ରଶ୍ନ ମାଳରେ ଛନ୍ଦି ଥିଲେ ଧର୍ମେନ୍ଦ୍ର । ହତ୍ୟା ପଛରେ ବିଜୁ ଯୁବ ବାହିନୀ ସଦସ୍ୟଙ୍କ ସଂପୃକ୍ତି ଅଭିଯୋଗ ଆସିଥିବା ସେ ଦର୍ଶାଇଥିଲେ । ଶୁକ୍ରବାର ଦିନ ସାଢ଼େ ୧୨ଟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଜେପୁର ଉପରପଡ଼ା ଛକରେ ପହଞ୍ଚିଥିଲେ । ଏହାପରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ରୋଡ ସୋ’ରେ ଯାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସମର୍ଥନ ଲୋଡ଼ିଥିଲେ । ଏଥର ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବି ଛାଡ଼ିନଥିଲେ । କହିଥିଲେ, ପ୍ରସନ୍ନ ବାବୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଡାକି ବିଜେପୁରରେ ନିର୍ବାଚନ ଲଢ଼େଇଲେ । କିନ୍ତୁ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ି ଦେଲେ । ପ୍ରସନ୍ନ ବାବୁ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ବିଜେପୁରରୁ ଲଢ଼ିବା ପାଇଁ ନିମନ୍ତ୍ରଣ କରିଥିଲେ ଏବେ କୁହନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶ୍ନ କରିଥିଲେ । ଏହାପରେ ବନ୍ଧପାଲି, ଗୋପେଇପାଲି ଓ ବରପାଲି ଏନ୍ଏସିରେ ମଧ୍ୟ ବିଜେପି ଶୋଭାଯାତ୍ରା କରିଥିଲା । ପ୍ରତିଶ୍ରୁତିକୁ ସରକାର ପୂରଣ କରିନଥିବାରୁ ଏଥର ଭୋଟରଙ୍କ ଆକ୍ରୋଶର ଶିକାର ହେବେ ଓ ବିଜେପୁରବାସୀ ଏହାର ଉଚିତ ଜବାବ ଦେବେ ବୋଲି ଶ୍ରୀ ପ୍ରଧାନ କହିଥିଲେ । ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ସାଂସଦ ସୁରେଶ ପୂଜାରୀ, ବିଧାୟକ ମୁକେଶ ମହାଲିଙ୍ଗ, ବିଧାୟକ ନାଉରୀ ନାୟକ ପ୍ରମୁଖ ଏହି ପ୍ରଚାରରେ ସାମିଲ ହୋଇଥିଲେ । ଗୋଟିଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘମାଘୋଟ ପ୍ରଚାର କରିଥିବା ବେଳେ ଅନ୍ୟପଟରେ କଂଗ୍ରେସ ବି ପଛରେ ପଡ଼ିନାହିଁ । ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ବରିଷ୍ଠ ନେତାମାନେ ସାଇପାଲି, ଗଣ୍ଠିଆପାଲି, ବଡବ୍ରାହ୍ମଣୀ, ଖରମୁଣ୍ଡା, ଆଇମାଲ, ଟି.ଗଣ୍ଡପାଲି ଆଦି ଗ୍ରାମରେ ପ୍ରଚାର କରିଛନ୍ତି । ବିଧାୟକ ତାରାପ୍ରସାଦ ବାହିନୀପତି ଏମ ଶ୍ରୀଗିଡା, ବଲଣ୍ଡା, ତାଲପଦର, ସାନବଉସେନ, ଲାଉମୁଣ୍ଡା ଗାଁରେ ମୋର୍ଚ୍ଚା ସମ୍ଭାଳିଥିଲେ । ସନ୍ତୋଷ ସିଂ ସାଲୁଜା ଏବଂ ଏଆଇସିସି ସଂପାଦକ ମସ୍ତାନ ଅଲ୍ଲୀ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ସହିତ ଘର ଘର ବୁଲି ପ୍ରଚାର କରିବା ସହିତ ବିଗତ ଦିନରେ କଂଗ୍ରେସ କରିଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ଆଧାର କରି ଭୋଟ ଭିକ୍ଷା କରିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ମନ୍ତ୍ରୀ ପ୍ରକାଶ ଦେବତା, ପୂର୍ବତନ ବିଧାୟକ ସତ୍ୟ ଭୁଷଣ ସାହୁ ଓ ନିହାର ମହାନନ୍ଦ, ପ୍ରଦୀପ ଦେବତା ମଧ୍ୟ ପ୍ରଚାରରେ ସାମିଲ ହୋଇଥିଲେ । ଏଥିସହ ରାଜ୍ୟ ମହିଳା କଂଗ୍ରେସର କର୍ମକର୍ତ୍ତାମାନେ ମଧ୍ୟ ପ୍ରଚାରରେ ସାମିଲ ହୋଇ ଘରକୁ ଘର ବୁଲି ପ୍ରଚାର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ