ପୁର୍ବତନ ସରପଞ୍ଚ ହତ୍ୟା ଘଟଣାରେ ଓ୍ବାର୍ଡସଭ୍ୟ ଗିରଫ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା କେ. ବାଲିପାଳ ପଞ୍ଚାୟତର ପୁର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ୱାମୀ ତଥା ବଉଳା ଫାଣ୍ଡିର ଗ୍ରାମରକ୍ଷୀ ନିରଞ୍ଜନ ପାତ୍ରଙ୍କୁ ହତ୍ୟା ଘଟଣାର ୧୦ଦିନ ପରେ ପୁଲିସ ସେହି ଗ୍ରାମର ୱାର୍ଡସଭ୍ୟ ଜୁରା ହୋଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ପୁଲିସ ବିଭିନ୍ନ ଗ୍ରାମରୁ ୧୭ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବାବେଳେ ଜୁରା ହୋ ନିଜ ଦୋଷ ସ୍ୱୀକାର କରିଥିବା ପୁଲିସ କହିଛି । ସେମାନେ ଦୁଇଜଣ ଏହି ହତ୍ୟାକାଣ୍ଡ ଭିଆଇଥିବା ସ୍ୱୀକାର କରିଥିବା ଆନନ୍ଦପୁର ଏସଡିପିଓ ସୁଚନା ଦେଇଛନ୍ତି । ବିଭିନ୍ନ କାରଣକୁ ନେଇ ଜୁରା ହୋ ଓ ମୃତ ଗ୍ରାମରକ୍ଷୀ ନିରଞ୍ଜନଙ୍କ ମଧ୍ୟରେ ଶତୃତା ସୃଷ୍ଟି ହୋଇଥିଲା । ଜୁରା ହୋଙ୍କ ଜ୍ୱାଇଁଙ୍କ ଆତ୍ମହତ୍ୟା ଘଟଣା, ଜମି ବାଡି ବିବାଦ କୁ ନେଇ ଜୁରା ହୋ ନିରଞ୍ଜନ ଉପରେ ରାଗ ରଖିଥିଲା । ଗତ ୧୨ତାରିଖ ଦିନ ସେ ଓ ତାର ଅନ୍ୟ ଜଣେ ସହଯୋଗୀଙ୍କ ସହ ମିଶି ଏହି ହତ୍ୟାକାଣ୍ଡ ଭିଆଇଥିଲା । ତା ନିକଟରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ପୁଲିସ ଜବଦ କରିଛି ବୋଲି ଏସଡିପିଓ କହିଛନ୍ତି । କିନ୍ତୁ ଜୁରାର ସହଯୋଗୀକୁ ଠାବ କରାଯାଇ ନଥିବା ପୁଲିସ କହିଛି । ଏହି ହତ୍ୟାକାଣ୍ଡ ଘଟଣାର ରହସ୍ୟ ଉନ୍ମୋଚନ ପାଇଁ କେନ୍ଦୁଝରର ଅତିରିକ୍ତ ଏସ.ପି. ଦିଲ୍ଲିପ କୁମାର ନାୟକ, ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ବିଭିନ୍ନ ଥାନାର ଆଇଆଇସି ମାନେ ଦିନରାତି ଏକ କରି ସୋସୋ ଥାନା ଅଞ୍ଚଳରେ ରହି ତଦନ୍ତରେ ଲାଗିଥିଲେ । ମୃତ ନିରଞ୍ଜନଙ୍କ ମୋବାଇଲର ସନ୍ଧାନ ମିଳୁନଥିବା କୁହାଯାଇଛି । କାଳେ ହତ୍ୟାକାରୀମାନେ କୁଅରେ ପକାଇ ଦେଇଥିବେ ସେଥିଲାଗି କୁଅରୁ ପାଣି କାଢ଼ି କୁଅକୁ ସଫା କରିଥିଲେ ମଧ୍ୟ ମୋବାଇଲର ସନ୍ଧାନ ମିଳିପାରିନଥିଲା । ଏଠାରେ ସୁଚନାଯୋଗ୍ୟ ଯେ ଗତ ୧୨ତାରିଖ ଦିନ ଦୁର୍ବୁତ ମାନେ ପୁର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ୱାମୀ ନିରଞ୍ଜନ ପାତ୍ରଙ୍କୁ ଧାରୁଆ ଅସ୍ତ୍ରରେ ଅତି ବିଭତ୍ସ ଭାବେ ହାଣି ହତ୍ୟା କରିବାପରେ ମୃତଦେହ ଗୁଡିକୁ ଘୋଷାରି ଘୋଷାରି ଆଣି କୁଅରେ ପକାଇ ଦେଇଥିଲେ । ଗୋଟିଏ ଦିନ ପରେ ଗ୍ରାମବାସୀମାନେ ଏ ବାବଦରେ ଜାଣିବାପରେ ପୁଲିସକୁ ସୁଚନା ଦେବାରୁ ୧୪ତାରିଖ ସକାଳେ ପୁଲିସ ମୃତ ଦେହ ଦୁଇଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ