ପେଟ୍ରୋଲ ଟାଙ୍କି ବିଷ୍ଫୋରଣ ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦାବିରେ ପୋଲିସ୍ କମିଶନରଙ୍କୁ ଭେଟିଲେ ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଗତ କିଛିଦିନ ତଳେ ରାଜଧାନୀ ନିକଟସ୍ଥ ପେଟ୍ରୋଲ ପମ୍ପରେ ଘଟିଥିବା ଭୟଙ୍କର ବିଷ୍ଫୋରଣ ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ପୋଲିସ୍ କମିଶନରଙ୍କୁ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନର ନେତୃମଣ୍ଡଳୀ ସାକ୍ଷାତ କରି ଆଲୋଚନା କରିଛନ୍ତି । ରାଜଭବନ ପେଟ୍ରୋଲ ଟାଙ୍କିରେ ଘଟିଥିବା ବିଷ୍ଫୋରଣ ଏବଂ ତତ୍‌ଜନିତ କ୍ଷୟକ୍ଷତି ସଂକ୍ରାନ୍ତରେ ଆଜି ସିପିଆଇ (ଏମ୍‌)ର ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ସିପିଆଇ (ଏମ୍‌ଏଲ୍‌) ଲିବରେସନର ରାଜ୍ୟ ସମ୍ପାଦକ ମଣ୍ଡଳୀ ତଥା ପୂର୍ବତନ ବିଧାୟକ ରାଧାକାନ୍ତ ସେଠି, ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ସିପିଆଇର ରାଜ୍ୟ ନେତା ଜୟନ୍ତ ଦାସ, ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଏଆଇକେଏସ୍‌ର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଏଆଇସିଟିୟୁର ରାଜ୍ୟ ସମ୍ପାଦକ ମହେନ୍ଦ୍ର ପରିଡ଼ା, ଲୋହିଆ ଏକାଡ଼େମୀର ସମ୍ପାଦକ ଦେବ ପ୍ରସାଦ ରାୟ, ସିପିଆଇ (ଏମ୍‌ଏଲ୍‌) ରେଡ଼ଷ୍ଟାର ରାଜ୍ୟ ନେତ୍ରୀ ପ୍ରମିଳା ବେହେରା, ଲୋକଶକ୍ତି ଅଭିଯାନର ସମ୍ପାଦକ ମାନସ ପଟ୍ଟନାୟକ, ଛାଇ ପକ୍ଷରୁ ଅଶୋକ ସାହୁ ପ୍ରମୁଖଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ପୋଲିସ୍ ସେବା ଭବନକୁ ଯାଇ ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ପେଟ୍ରୋଲ ଟାଙ୍କିର ଡ଼ିଲର ଏବଂ ମରାମତି କାର୍ଯ୍ୟ କରୁଥିବା ଠିକାଦାରଙ୍କୁ ତୁରନ୍ତ ଗିରଫ କରିବା, ଘଟଣା ଉପରେ ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନ, ସେଠାରେ କାର୍ଯ୍ୟରତ ଠିକା ସଂସ୍ଥାର କର୍ମଚାରୀମାନଙ୍କ ତାଲିକା ପ୍ରକାଶ କରିବା ସହ ମୃତ ବ୍ୟକ୍ତିଙ୍କୁ ୫୦ ଳକ୍ଷ ଟଙ୍କା ଏବଂ ଅଙ୍ଗ ହରାଇଥିବା ବ୍ୟକ୍ତିଙ୍କୁ ୨୫ ଲକ୍ଷ ଟଙ୍କା ଏବଂ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ସହ ସ୍ଥାନୀୟ ଅଞ୍ଚଳରେ ହୋଇଥିବା ସମସ୍ତ କ୍ଷୟକ୍ଷତିର ଭରଣା କରିବା ପାଇଁ ଇଣ୍ଡିଆନ ଅଏଲ କମ୍ପାନୀକୁ ନିର୍ଦ୍ଦେଶ ଦେବା, ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଗ୍ୟାସ୍‌ଟାଙ୍କିଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଏହି ମଳିତ ପ୍ରତିନିଧି ମଣ୍ଡଳୀ ପୋଲିସ୍ କମିଶନରଙ୍କ ନିକଟରେ ଦାବି କରିଥିଲେ । ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପ୍ରତିନିଧିମାନଙ୍କ ସହ ଘଟଣା ପରବର୍ତ୍ତୀ ପୋଲିସ୍ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ଆଲୋଚନା କରିବା ସହ ସମସ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୁଦ୍ଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ