ପୋଖରୀରେ ବୁଡ଼ିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ମାସିରୀପଡା ଗାଁ ନିକଟରେ ଥିବା ପୋଖରୀରେ ବୁଡ଼ିଯାଇ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ପୁଟକିପଡା ଗାଁର ରିପା ଡିଗଲ ବୋଲି ଜଣାପଡିଛି । ରବିବାର ସନ୍ଧ୍ୟା ସମୟରେ ବୃଦ୍ଧ ଜଣକ ଗାଁ ପୋଖରୀକୁ ଶୌଚ ହେବାପାଇଁ ଯାଇଥିବା ବେଳେ କୌଣସି କାରଣରୁ ଗୋଡ଼ ଖସି ପୋଖରୀରେ ବୁଡି ଯାଇଥିଲେ । ଖବରପାଇ ଘଟଣା ସ୍ଥଳରେ ଫିରିଙ୍ଗିଆ ପୋଲିସ ଓ ଦମକଳ ବାହିନୀ ପହଂଚି ଦୀର୍ଘ ୧୨ ଘଣ୍ଟାକାଳ ପାଣିରେ ଖୋଜାଖୋଜି କଲା ପରେ ସୋମବାର ସକାଳୁ ପୋଖରୀରୁ ମୃତଦେହକୁ ଉଦ୍ଧାର କରିଥିଲେ l ଫିରିଙ୍ଗିଆ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରିରଖିଛି । ଅନ୍ୟପଟେ ବୃଦ୍ଧଜଣକ ବୁଡି ମୃତ୍ୟୁ ବରଣ କରିଥିବା ପୋଖରୀଟି ମାସିରୀପଡା ନୂଆପାଦର ମୁଖ୍ୟ ରାସ୍ତାକୁ ଲାଗି ରହିଥିବା ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଛି । ଅନ୍ୟପଟେ କିଛିଦିନ ତଳେ ଏହି ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟ କରାଯାଇଥିଲା । ତେବେ କାମଟି ନିମ୍ନମାନର ହୋଇଥିବାବେଳେ ଉକ୍ତ ପୋଖରୀରେ ଗ୍ରାମବାସୀ ଗାଧୋଇବା ସମ୍ଭବ ହୋଇପାରୁନାହିଁ l ଯାହାପାଇଁ କାର୍ଯ୍ୟରତ ଯନ୍ତ୍ରୀ ଓ କାମ କରିଥିବା ଠିକାଦାରଙ୍କୁ ଦାୟୀ କରିଛନ୍ତି ମାଶ୍ରିପଡା ଗ୍ରାମବାସୀ । ପୋଖରୀଟି ରାସ୍ତା କଡରେ ଥିବାରୁ ପୋଖରୀର ସୁରକ୍ଷା ପାଚେରୀ ନିର୍ମାଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।


