ପୌର ପରିଷଦର ୨ୟ ସାଧାରଣ ବୈଠକ : ଦୁର୍ନୀତି ପଦାରେ ପଡିବା ଭୟରେ ସାମ୍ବାଦିକଙ୍କୁ ବୈଠକରୁ ଉଠାଇଲେ
ହିଞ୍ଜିଳିକାଟୁୁ, (ଶେଷଦେବ ସାହୁ) :-ନବ ନିଯୁକ୍ତ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି. କିର୍ତ୍ତିଭାସନ ରବିବାର ହିଞ୍ଜିଳିକାଟୁ ଗସ୍ତରେ ଆସି ବ୍ଳକ ଓ ପୌର କାର୍ଯ୍ୟାଳୟ ଠାରେ ବୈଠକରେ ଯୋଗ ଦେଇଥିଲେ । ଉଭୟ ପ୍ରଶାସନିକ ଅଧିକାରୀ ଜନ ପ୍ରତିନିଧି, ନେତୃମଣ୍ଡଳୀ ଓ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଜିଲ୍ଲାପାଳଙ୍କ ଗସ୍ତର ୨ ଦିନ ପରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌର ପରିଷଦ, ହିଞ୍ଜିଳିକାଟୁର ୨ୟ ସାଧାରଣ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା । ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବୈଠକରେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ପୌରା ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଓ ପୌର ଯନ୍ତ୍ରୀ ପ୍ରମୋଦ କୁମାର ନାୟକ ପ୍ରମୁଖ ମଂଚାସିନ ଥିଲେ । ପୂର୍ବରୁ ବୈଠକ ଆୟୋଜନ ସର୍ମ୍ପକରେ ପୌର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇ ଥିବାରୁ କିଛି ସାମ୍ବାଦିକ ଯୋଗ ଦେଇଥିଲେ । କିନ୍ତୁ ବୈଠକ ଆରମ୍ଭ ହେବା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କାର୍ଯ୍ୟକ୍ରମର ଫଟୋ ଉତ୍ତୋଳନ କରି ସଭାକକ୍ଷରୁ ଚାଲିଯିବାକୁ କୁହାଯାଇଥିଲା । ଫଳରେ ସାମ୍ବାଦିକ ମାନେ କେବଳ ଫଟୋ ଉତ୍ତୋଳନ କରି ସଭାକକ୍ଷ ପରିତ୍ୟାଗ କରିଥିଲେ । ହିଞ୍ଜିଳିକାଟୁ ପୌର ଉତିହାସରେ ପ୍ରଥମ ଥର ଲାଗି ଏଭଳି ଏକ ଅପ୍ରିତୀକର ଘଟଣା ଘଟିଛି । ଶାସକ ଦଳର ଅଧ୍ୟକ୍ଷ ଓ କିିଛି ଅନୁଗତ କାଉନସିଲରଙ୍କ ଗୁପ୍ତ ବୁଝାମଣାରେ ସାମ୍ବାଦିକଙ୍କ ପ୍ରତି ଏଭଳି ଷଡଯନ୍ତ୍ର ରଚାଯାଇଥିବା ଶୁଣିବାକୁ ମିଳିଛି । ସାମ୍ବାଦିକଙ୍କ ଉପସ୍ଥିତିରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ଆଲୋଚନା ହେଲେ ତାହା ଉଚିତ ହେବ ନାହିଁ ବୋଲି ଆଲୋଚନା ହେବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି । ପୂର୍ବରୁ ବହୁ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପରେ ଦୁର୍ନୀତିର ଗନ୍ଧ ବାରି ହୋଇ ପଡିଥିବା ବେଳେ ପୁଣି ଦୁର୍ନୀତି କାଳେ ପ୍ରଘଟ ହେବା ଆଶଙ୍କାରେ ମଙ୍ଗଳବାର ଆୟୋଜିତ ବୈଠକରେ ସାମ୍ବାଦିକଙ୍କୁ ଅଣଦେଖା କରାଯାଇଥିବା ଜଣାପଡିଛି । ପୌର ପରିଷଦ ରାଜ୍ୟ ସରକାରଙ୍କ ମୋ ସରକାର ଅଧିନରେ ଅନ୍ତର୍ଭୁକ୍ତ ହେଉଥିବା ବେଳେ କାହା ଇଙ୍ଗିତରେ ଓ କେଉଁ ଅଘୋଷିତ କାରଣରରୁ ସାମ୍ବାଦିକଙ୍କୁ ବୈଠକରୁ ଦୂରେଇ ରଖାଗଲା ତାହା ସହରବାସୀଙ୍କୁ ଚକିତ କରିଛି । ଖବର ଲେଖାସୁଦ୍ଧା ବୈଠକରେ ଆଲୋଚ୍ୟ ପ୍ରସଙ୍ଗ ସମ୍ପର୍କରେ କୌଣସି ସୂଚନା ଜାଣିଶୁଣି ପ୍ରଦାନ କରାଯାଇନଥିବା ଜଣାପଡିଛି । ଏ ନେଇ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇଙ୍କୁ ପଚାରିବାରୁ ଘଟଣା ସର୍ମ୍ପକରେ କିଛି ଜାଣିନଥିବା କହିଛନ୍ତି । ଅନ୍ୟପକ୍ଷରେ ପୌରାଧ୍ୟକ୍ଷଙ୍କ ଅନୁରୋଧ କ୍ରମେ ସାମ୍ବାଦକ ମାନଙ୍କୁ ବୈଠକରୁ ବାହାରକୁ ଯିବାକୁ କହିଛନ୍ତି ବୋଲି ପୌର ନିର୍ବାହୀ ଅଧିକାରୀ ଡଃ. ସାହୁ ପ୍ରତିକ୍ରିୟା ରଖିଛନ୍ତି ।


