ପ୍ରକୃତି କୋଳରେ ରଜ ମଉଜ ବାଉଁଶ ଦୋଳିରେ ଝୁମିଲେ ବନବାସୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ରଜ ଓଡ଼ିଶାର ଗଣପର୍ବ । ଉତ୍କଳୀୟ ସାଂସ୍କୃତିକ ଜୀବନର ଚିତ୍ତାକର୍ଷକ ପର୍ବ ହେଉଛି ରଜ । କୃଷିଭିତ୍ତିକ ପର୍ବ ରୂପେ ଏହା ପୁରପଲ୍ଲୀରେ ବେଶ୍ ପରିଚିତ । ସମାଜର ସବୁବର୍ଗର ଲୋକମାନଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା, ଭାଇଚାରାର ମନୋଭାବକୁ ମଜଭୁତ କରିବା ପାଇଁ ଆନନ୍ଦର ପର୍ବ ରଜକୁ ସାମାଜିକ ଅନୁଷ୍ଠାନ‘ସମାଜର ଦର୍ପଣ ହେଲ୍‌ପ ଗ୍ରୁପ୍‌’ ପକ୍ଷରୁ ଆଦିବାସୀ ପଲ୍ଲୀ କନ୍ଦଳେଇଠାରେ ବେଶ୍ ଧୁମ୍‌ଧାମ୍‌ରେ ପହିଲି ରଜ ପାଳିତ ହୋଇଯାଇଛି । ସବୁଜିମା ଘେର ମଧ୍ୟରେ ପୁରି ରହିଥିବା ପଲ୍ଲୀଟି ଅର୍ଥାତ୍ ପ୍ରକୃତି କୋଳରେ ବରଗଛରେ ବାଉଁଶରେ ପ୍ରସ୍ତୁତ ହୋଇଥିବା ଆକର୍ଷଣୀୟ ଦୋଳିରେ ଗାଁର କୁନି କୁନି ପିଲାମାନେ ଝୁମି ରଜ ମଉଜକୁ ବେଶ୍ ଉପଭୋଗ କରିଥିଲେ । ଗାଁର ପ୍ରତିଟି ପିଲାମାନଙ୍କୁ ନୂଆ ପୋଷାକ ସହ କୁମାରୀ ମାନଙ୍କୁ ସୁସଜ୍ଜିତ କରିବା ପାଇଁ ଅଳତା, ସିଙ୍ଗାର, ଟିକିଲି, ମେହନ୍ଦୀ ଇତ୍ୟାଦି ଅନୁଷ୍ଠାନ ତରଫରୁ ଯୋଗାଇ ଦିଆଯାଇ ଥିଲା । ବନସ୍ତେ ଡ଼ାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ’ ଗୀତ ଗାଇ, ଭୋଜିଭାତ ଖାଇ, ଦୋଳିିରେ ଝୁମି କୁମାରୀମାନେ ମଉଜମସ୍ତିରେ ପାଳନ କରିଛନ୍ତି ଏହି ତିନିଦିନିଆ ରଜ ପର୍ବ । ସୂଚନାଯୋଗ୍ୟ, ପଲ୍ଲୀଟି ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡମ୍‌ପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଅବସ୍ଥିତ । ଏମାନେ ବନବାସୀ । ବନସ୍ତରେ ରୁହନ୍ତି । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ପ୍ରଶାନ୍ତ ସେନାପତି, ସମ୍ପାଦକ ଚନ୍ଦନ ସ୍ୱାଇଁ, ଉପସଭାପତି କୁଳମଣି ଭୂତିଆ, କୋଷାଧ୍ୟକ୍ଷ ଆଲୋକ ସାହୁ, ସଭ୍ୟ ଜ୍ୟୋତିରଞ୍ଜନ ରାୟ, ଚିଣ୍ଟୁ ବେହେରା, ପ୍ରିୟଙ୍କା ପଣ୍ଡା, ଶୁଭସ୍ମିତା ପୃଷ୍ଟି, ପ୍ରତାପ କେଶରୀ ସାହୁ, ଅନିଲ୍ ପାତ୍ର, ଅଞ୍ଜନ ବେହେରା, ସଞ୍ଜୟ ଛାଟୋଇ, ପପୁ ମଲ୍ଲିକ, ଅମିତ୍ କୁମାର ସାମଲ, ଦୀନବନ୍ଧୁ ସାହୁ, ବିଜୟ କୁମାର ଖୁଣ୍ଟିଆ, ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସ୍ଥାନୀୟ ସରପଞ୍ଚ ବିଷ୍ଣୁପ୍ରସାଦ ଡ଼େଙ୍ଗ ଏବଂ ପୂର୍ବତନ ସରପଞ୍ଚ ମନସ୍ୱିନୀ ମିଶ୍ର ଡ଼େଙ୍ଗ ଅତିଥି ରୂପେ ଯୋଗ ଦେଇ ଅନୁଷ୍ଠାନର ଏତାଦୃଶ ପଦକ୍ଷେପକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ