ପ୍ରତିଶୃତି ପରେ ଧାରଣାରୁ ଓହରିଲେ ଜିଲ୍ଲାପରିଷଦ
ହାଟଡ଼ିହି,: ହାଟଡିହି ବ୍ଲକ ଧନୁର୍ଜୟ ପଞ୍ଚାୟତରେ ଜିଲ୍ଲାପରିଷଦଙ୍କ ଅନୁଦାନ ପାଣ୍ଠିରେ ନିର୍ମାଣ କରାଯାଇଥିବା ସିସି ରୋଡର କାମ ସରିଥିଲେ ମଧ୍ୟ ବ୍ଲକ କର୍ତ୍ତୁପକ୍ଷ ବିଲ କରୁନଥିବାରୁ ଆଜି ଠାରୁ ଜିଲ୍ଲାପରିଷଦ ସଦସ୍ୟ ଟିକି କିସ୍କୁ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଯାଉଥିବାବେଳେ ବିଡିଓଙ୍କ ପ୍ରତିଶୃତି ପରେ ଧାରଣାରୁ ଓହରି ଯାଇଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ଧନୁର୍ଜୟପୁର ପଞ୍ଚାୟତର କୁଶଟିକିରି ଗ୍ରାମର ଲହର ସାହିରେ ଜିଲ୍ଲାପରିଷଦ ଅନୁଦାନରୁ ୪ଲକ୍ଷ ୯୦ହଜାର ଟଙ୍କାର ୪ଟି ପ୍ରୋଜେକ୍ଟ ଯୋଗାଇ ଦେଇଥିବାବେଳେ ୨ମାସ ହେଲା ଏହିସବୁ କାର୍ଯ୍ୟ ସରିଥିବାବେଳେ ଆଜି ପର୍ଯ୍ୟନ୍ତ ଏହାର ବିଲ କରାଯାଉ ନାହିଁ । କନିଷ୍ଠଯନ୍ତ୍ରୀ ଏହାର ଲେ ଆଉଟ ଦେଇଥିଲେ ମଧ୍ୟ କାମ ସରିବାର ଦୁଇମାସ ବିତି ଯାଇଥିଲେ ସୁଧା ଆଜି ପର୍ଯ୍ୟନ୍ତ ଏହାର ବିଲ କରାଯାଉ ନଥିବା ପ୍ରତିବାଦରେ ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ ଆଜି ସକାଳେ ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ବିଡିଓ ଜୟଦେବ ଦାସ ବ୍ଲକରେ ପହଞ୍ଚିବାକ୍ଷଣି ତୁରନ୍ତ ଜିଲ୍ଲାପରିଷଦଙ୍କୁ ନିଜ ଅଫିସକୁ ନେଇ ତାଙ୍କ ସହିତ ଆଲୋଚନା କରିବାପରେ ଆସନ୍ତା କାଲି ସୁଧା ଦୁଇଟି ଓ ଶୁକ୍ରବାର ଦିନ ଅବଶିଷ୍ଟ କାମର ବିଲ କରାଯିବ ବୋଲି ପ୍ରତିଶୃତି ଦେବାପରେ ଯାଇ ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ ଧାରଣାରୁ ଉଠିଥିଲେ । ଏଠାରେ ସୁଚନାଯୋଗ୍ୟ ଯେ ଜିଲ୍ଲାପରିଷଦ ଏ ସମ୍ପର୍କରେ ପୁର୍ବରୁ ବିଡିଓ, ଆନନ୍ଦପୁର ଉପଜିଲ୍ଲାପାଳ ଓ କେନ୍ଦୁଝର ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଏପରିକି ଗତ କିଛିଦିନ ତଳେ ବିଡିଓ ଜୟଦେବ ଦାସ ନିଜେ ଉକ୍ତ କାମର ତଦନ୍ତ କରିବାକୁ ଯାଇ ଦୁଇଦିନ ଭିତରେ ବିଲ କରାଇଦେବାର ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନଥିଲେ ।


