ପ୍ରବାସୀଙ୍କୁ କାର୍ଯ୍ୟ ଦେବା ପାଇଁ ଆରମ୍ଭ ହେଲା ଟ୍ରିଷ୍ଟ ବେକରୀ ଓ କେଫ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କରୋନା ମହାମାରୀ ସମୟରେ ରାଜ୍ୟ ଏବଂ ଦେଶ ବାହାରୁ ନିଜ ନିଜ ଘରକୁ ଫେରି ଆସିଥିବା ପ୍ରବାସୀମାନଙ୍କୁ କାର୍ଯ୍ୟ ଯୋଗାଇଦେବା ଉଦେଶ୍ୟରେ ଜଣେ କଲେଜ ଛାତ୍ର କେନ୍ଦ୍ରାପଡା ସହର ଉପକଣ୍ଠସ୍ଥ ଗୁଲନଗର ଦଣ୍ଡାମୁଣ୍ଡ ଛକ ପାଖରେ ଆରମ୍ଭ କରିଛନ୍ତି ଏକ “ଟ୍ରିଷ୍ଟ ବେକରୀ ଓ କେଫ” । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ବାଣିଜ୍ୟର ୨ୟବର୍ଷ ଛାତ୍ର ଭାବେ ଅଧ୍ୟୟନରତ ସେକ ଦିଲସାଦ କୋଭିଡ ସମୟରେ ବାହାରୁ ଘରକୁ ଫେରିଆସିଥିବା ପ୍ରବାସୀମାନଙ୍କ କଥା ଚିନ୍ତା କରିଥିଲେ । ପ୍ରବାସୀମାନେ କାମଧନ୍ଦା ନପାଇ ନିଜ ପରିବାରକୁ ଚଳାଇବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ସମୟରେ ତାଙ୍କ ମନକୁ ଏକ ପରିକଳ୍ପନା ଆସିଥିଲା । ସେହି ପରିକଳ୍ପନାକୁ ସାକାର କରିବା ଉଦେଶ୍ୟରେ ସେ ପ୍ରଥମେ ଗୁଲନଗର ଦଣ୍ଡାମୁଣ୍ଡ ଛକରେ ଏକ ଘର ଭଡାରେ ନେଇଥିଲେ । ସେହି ଘରେ ଦୋକାନ ଟିଏ କରି କିଛି ପ୍ରବାସୀଙ୍କୁ କାମ ଯୋଗାଇ ଦେବା ସହ ନିଜେ ମଧ୍ୟ କିଛି ରୋଜଗାର କରିପାରିବେ ବୋଲି ଆଶା ରଖିଥିଲେ । ଏଥିପାଇଁ ଦିଲସାଦ ତାଙ୍କ ସାଙ୍ଗସାଥି, ଭାଇ ଓ କଛି ବନ୍ଧୁଙ୍କ ସହାୟତାରେ ଆରମ୍ଭ କଲେ ଏକ ଛୋଟ ବେକରୀ ଦୋକାନ । ମାତ୍ର ୯ମାସ ମଧ୍ୟରେ ଦିଲସାଦ ସେହି କ୍ଷୁଦ୍ର ଦୋକାନଟିକୁ ଏକ ନୂଆ ରୂପ ଦେଲେ “ଟ୍ରିଷ୍ଟ ବେକରୀ ଓ କେଫ” ନାମରେ । ସେହି ଦୋକାନଟିରେ ଏବେ ଏକ ସଙ୍ଗେ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବରେ ପ୍ରାୟ ୨୦ଜଣ ପ୍ରବାସୀଙ୍କୁ କାମ ଯୋଗାଇ ଦେବା ସହ ସେମାନଙ୍କ ପରିବାର ମୁହଁରେ ହସ ଫୁଟାଇ ପାରିଛନ୍ତି ଦିଲସାଦ । ଦିଲସାଦଙ୍କ ସେହି ମାନସ ପ୍ରକଳ୍ପକୁ ଉଦଘାଟନ କରି ସମାଜସେବୀ ସୟଦ ଇମତିଆଜ ଅଲ୍ଲୀ ତାଙ୍କ ଉଦ୍ୟମକୁ ପ୍ରସଂଶା କରିବା ସହ ନିଷ୍ଟା ଓ ଆନ୍ତରିକତାର ସହ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଦିଲସାଦଙ୍କ ଏଭଳି ଅନନ୍ୟ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ । ଆଗକୁ ଆହୁରି ଅଧିକ ସଂଖ୍ୟକ ପ୍ରବାସୀଙ୍କୁ ସେ କାମ ଯୋଗାଇଦେବାର ଲକ୍ଷ୍ୟ ରଖିଥିବା କହିଛନ୍ତି ଦିଲସାଦ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ