ପ୍ରଶାସନ ପାଇଁ ସମସ୍ୟା ସୃଷ୍ଟି କରିପାରେ ଜିଲ୍ଲା ବାହାର ଫେରନ୍ତା

ବୁଗୁଡା,(ଅନିଲ କୁମାର ମହାରଣା):ବର୍ତ୍ତମାନ ବୁଗୁଡା ବ୍ଲକର ସ୍ଥିତ ସମ୍ପର୍କରେ ଧାରଣା ଦିଆଯାଇଛି, ଯାହାକି ସାରା ଗଞ୍ଜାମ ଜିଲ୍ଲାପାଇଁ ପ୍ରଯୋଜ୍ୟ ହୋଇପାରେ।ବୁଗୁଡା ବ୍ଲକ ପ୍ରଶାସନର ଡାଟା ପ୍ରକାରେ ବୁଗୁଡା ବ୍ଲକର ବ୍ୟକ୍ତିମାନେ ଗଞ୍ଜାମ ଜିଲ୍ଲା ବାହାରେ, ଅନ୍ୟ ଜିଲ୍ଲାରେ ଅଛନ୍ତି ୮୦୯୯ ଜଣ, ଅନ୍ୟ ରାଜ୍ୟରେ ଅଛନ୍ତି ୧୪୫୭୦ ଜଣ ଓ ଅନ୍ୟ ଦେଶରେ ଅଛନ୍ତି ୧୦୯ ଜଣ, ଏହିପରି ଜିଲ୍ଲା ବାହାରେ ଅଛନ୍ତି ମୋଟ ୨୨୭୭୮ ଜଣ। ବର୍ତ୍ତମାନ ବୁଗୁଡା ବ୍ଲକର ସଙ୍ଗରୋଧ କେନ୍ଦ୍ର ୬ ଟି ବିଦ୍ୟାଳୟରେ ହୋଇଅଛି। ଏହି ୬ ଗୋଟି ବିଦ୍ୟାଳୟରେ ପ୍ରାୟ ୧୮୦୦୦ ଛାତ୍ରଛାତ୍ରୀ ବସି ପାଠ ପଢିବା ବ୍ୟବସ୍ଥା ଅଛି। ତାହାହେଲେ ଏହି ୬ ଗୋଟି କେନ୍ଦ୍ରରେ ଅତ୍ୟଧିକ ମାତ୍ର ୧୮୦୦ ଜଣ ସଙ୍ଗରୋଧରେ ରହିପାରିବେ।ସେହିପରି ୨୧ ଟି ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ପ୍ରତ୍ୟେକରେ ୧୦୦ ଜଣ ଲେଖାଏଁ ରହିଲେ ମଧ୍ୟ ୨୧୦୦ ଜଣ ରହି ପାରିବେ। ଏହିପରି ବୁଗୁଡା ବ୍ଲକରେ ଆୟୋଜନ ବ୍ୟବସ୍ଥା ଅନୁସାରେ ମୋଟ ୩୯୦୦ ଜଣ ସଙ୍ଗରୋଧରେ ରହିପାରିବେ।ବାହାର ଦେଶ କଥା ବାଦ ଦେଲେ ମଧ୍ୟ ଜିଲ୍ଲା ବାହାରେ ଓ ରାଜ୍ୟ ବାହାରେ ରହିଛନ୍ତି ମୋଟ ୨୨୬୬୯ ଜଣ ବ୍ୟକ୍ତି।ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ହେଉଛନ୍ତି ଶ୍ରମିକ ଶ୍ରେଣୀର ବ୍ୟକ୍ତି। ଆମେ ସମସ୍ତେ ଜାଣିଛନ୍ତି ଟ୍ରେନ ଚଳାଚଳ କରିବା ଶୁଣି ମହାରାଷ୍ଟ୍ର ରେଳ ଷ୍ଟେସନରେ ଶହ ଶହ ଓଡ଼ିଆ ଶ୍ରମିକ ନିଜ ରାଜ୍ୟକୁ ଫେରିଆସିବାକୁ ରୁଣ୍ଡ ହୋଇଥିଲେ। ସେହିପରି ଗୁଜରାଟରେ ନିଜ ରାଜ୍ୟକୁ ଫେରାଇ ନେବାକୁ ଦାବୀ କରି ବହୁ ଓଡ଼ିଆ ଶ୍ରମିକ ରାଜରାସ୍ତାକୁ ଓହ୍ଲାଇ ଗିରଫ ହୋଇଥିଲେ। ଏହି ସମସ୍ତ ବିଷୟ ବିଚାରକୁ ନେଲେ ସମସ୍ତ ଶ୍ରମିକ ଶ୍ରେଣୀ ନିଜ ଭିଟାମାଟି ଓଡ଼ିଶାକୁ ଫେରିବାକୁ ବ୍ୟାକୁଳ। ବୁଗୁଡା ବ୍ଲକର ଜିଲ୍ଲା ବାହାରେ ଥିବା ୨୨୬୬୯ ବ୍ୟକ୍ତିଙ୍କ ମଧ୍ୟରୁ ଯଦି ୯୦ ପ୍ରତିଶତ ବୁଗୁଡା ବ୍ଳକକୁ ଫେରନ୍ତି ତେବେ ସେମାନଙ୍କ ସଂଖ୍ୟା ହେବ ପ୍ରାୟ ୨୦୪୦୦ ଜଣ। ବୁଗୁଡା ବ୍ଲକରେ ସଙ୍ଗରୋଧ କେନ୍ଦ୍ରରେ ମାତ୍ର ୩୯୦୦ ଜଣଙ୍କ ରହିବା ପାଇଁ ବ୍ୟବସ୍ଥା ରହିଛି। ସମସ୍ତେ ଫେରିଲେ ଆହୁରି ୧୬୫୦୦ ଜଣ କେଉଁ ସଙ୍ଗରୋଧ କେନ୍ଦ୍ରରେ ରହିବେ ତାହା ଚିନ୍ତା ବଢ଼ାଇ ଦେଇଛି। ବର୍ତ୍ତମାନ ଦେଖା ଦେଇଛି, ଯେଉଁମାନଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ନିୟମ ନମାନି ବାହାରେ ବୁଲୁଛନ୍ତି। ସେଥିପାଇଁ ଜିଲ୍ଲା ବାହାରୁ ଫେରୁଥିବା ଅଧିକାଂଶ ବ୍ୟକ୍ତିଙ୍କୁ ପ୍ରଶାସନ ସଙ୍ଗରୋଧ କେନ୍ଦ୍ରରେ ରଖିବାକୁ ବାଧ୍ୟହେବେ। ବୁଗୁଡା ବ୍ଲକର ସ୍ଥିତି ଯାହା ଅନ୍ୟ ବ୍ଲକରେ ମଧ୍ୟ ପରିସ୍ଥିତି ସମାନ ରହିପାରେ। ଅତଏବ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ବର୍ତ୍ତମାନ ଠାରୁ ବୁଗୁଡା ବ୍ଲକରେ ଯଦି ସଙ୍ଗରୋଧ କେନ୍ଦ୍ର ସଂଖ୍ୟା ବୃଦ୍ଧି ନକରନ୍ତି ତେବେ ଭବିଷ୍ୟତରେ ପରିସ୍ଥିତି ସାଂଘାତିକ ହୋଇ ଅଣଆୟତ ହୋଇପାରେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ