ପ୍ରେମୀଯୁଗଳଙ୍କ ମୃତ୍ୟୁ ଘଟଣା: ପିଏମ୍ ଓ ସାଇଣ୍ଟିଫିକ୍ ଟିମ ରିପୋର୍ଟକୁ ଅପେକ୍ଷା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ତଥା ଗୁରାଣ୍ଡି ଥାନା ଅନ୍ତର୍ଗତ କଣ୍ଟ୍ରାଗଡ ପଞ୍ଚାୟତର ଆରିବା ଗ୍ରାମରେ ପ୍ରେମୀ ଯୁଗଳଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ଏଥିନେଇ ପୋଲିସ ତରଫରୁ ବ୍ୟାପକ ତଦନ୍ତ ଜାରି ରହିଛି । ହେଲେ ସାଇଣ୍ଟିଫିକ୍ ଟିମ ରିପୋର୍ଟ ସହ ପୋଷ୍ଟମର୍ଟମ ରିପୋର୍ଟ ପହଞ୍ôଚବା ପରେ ସବୁ କିଛି ରହସ୍ୟ ଅତି ସହଜରେ ଉଦ୍‌ଘାଟନ ହେବ ବୋଲି ପୋଲିସ ସୂଚନା ଦେଇଛି । ଗତକାଲି ମାଜିଷ୍ଟ୍ରେଟ ବିପିନ ଚନ୍ଦ୍ର ଲିମ୍ମାଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍‌, ପୋଲିସ ଟିମ୍‌, ଅଗ୍ନିଶମ ବିଭାଗ, ଡଗ୍ ସ୍କାର୍ଡ ଟିମ୍ ସହ ବହୁ ଅଭିଜ୍ଞ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ତନ୍ନ ତନ୍ନ କରି ତଦନ୍ତ ଜାରୀ ରଖିଛନ୍ତି । ଗତ ୭ ତାରିଖ ସନ୍ଧ୍ୟା୫.୩୦ ମିନିଟ ସମୟରେ ଉକ୍ତ ଘଟଣା ପ୍ରଘଟ ହୋଇଥିଲା । ଶିବାଲା ଡିଲେଶ୍ୱରୀ ଏବଂ ତାଲୁରୁ ଶ୍ରୀନୁ ଦୀର୍ଘ ଦିନ ହେଲା ପ୍ରେମ ସମ୍ପର୍କ ରହିଥିଲା । ଡିଲେଶ୍ୱରୀଙ୍କ ବାହାଘର ପ୍ରସ୍ତାବ ମଧ୍ୟ ଚାଲିଥିଲା । ହେଲେ ଶ୍ରୀନୁ ଓ ଡିଲେଶ୍ୱରୀ ଉଭୟେ ଉଭୟଙ୍କୁ ଛାଡିବାକୁ ନାରାଜଥିଲେ । ଆସନ୍ତା ଶୁକ୍ରବାର ଦିନ ବରଦେଖା ଉତ୍ସବ ହେବାର ଥିଲା । ଗତ ୭ତାରିଖ ସନ୍ଧ୍ୟା ସମୟରେ ତାଲୁରୁ ଶ୍ରୀନୁ ବାରିପଟ ଯାଇ ପ୍ରେମିକା ଘରକୁ ଯାଇଥିବା କହିଛନ୍ତି । ସେହି ସମୟରେ ପ୍ରେମିକାଙ୍କ ପିତା ଏବଂ ଭାଇ ଜମିକୁ ଯାଇଥିଲେ କହିଛନ୍ତି । ମା ଦାଣ୍ଡ ପଟ ରହିଥିବା ସମୟରେ ଏପରି ଘଟଣା ହୋଇଥିବାର ସୂଚନା ମିଳିଛି । ଗତକାଲି ମଧ୍ୟାହ୍ନ ସମୟରେ ବ୍ରହ୍ମପୁରରୁ ସାଇଣ୍ଟିଫିକ୍ ଟିମ୍ ଆସି ଅନୁସନ୍ଧାନ କରିଥିଲେ । ଏହା ସହ ଡଗ୍ ସ୍କ୍ୱାର୍ଡ ମଧ୍ୟ ଆସିଥିଲା । କୁକୁର ଗାଁର କେତେକ ସ୍ଥାନକୁ ଯାଇଥିଲା । ଶିବାଲା ଡିଲେଶ୍ୱରୀଙ୍କ ବେକରେ ଧାରୁଆ ଅସ୍ତ୍ରରେ କଟାଯାଇଥିବାର ଦେଖାଯାଇଥିଲା । ତାଲୁରୁ ଶ୍ରୀନୁଙ୍କ ମଧ୍ୟ ବେକରେ ଧାରୁଆ ଅସ୍ତ୍ର ଦ୍ୱାରା କଟାଯାଇଥିବାର ଦେଖାଯାଇଥିଲା । ଉଭୟଙ୍କ ଫୋନ କୁଅଁରେ ପଡିଥିବାର ଅନୁମାନ କରି କୁଅଁକୁ ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗ ଦ୍ୱାରା ପଶିଥିଲେ । ହେଲେ ପାଣି ବହୁତ ଥିବାରୁ ତାକୁ ମୋଟର ଦ୍ୱାରା ଶୁଖାଯାଉଛି । ତେବେ ଶ୍ରୀନୁଙ୍କ ନିକଟରୁ ଗୋଟିଏ ଧାରୁଆ ଅସ୍ତ୍ର ଥିଲା ତାକୁ ଜବତ କରାଯାଇଛି । ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ଦ୍ୱାତିତ୍ୱରେ ଥିବା ବିପିନ ଚନ୍ଦ୍ର ଲିମାଙ୍କ ଉପସ୍ଥିତିରେ ପାରଳାଖେମୁଣ୍ଡି ଏସ୍‌.ଡି.ପି.ଓ ରାମକୃଷ୍ଣ ପତି, ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡା, ଏସ୍‌.ଆଇ. ଅଭିମନ୍ୟୁ ପଲାଇ, ଏସ୍‌.ଆଇ. ଲୋକନାଥ ବେହେରା, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ରାୟଗଡ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ପ୍ରମୁଖ ଦକ୍ଷ ପୋଲିସ ଅଧିକାରୀ, ସାଇଣ୍ଟିଫିକ ଟିମ୍ ଯାଞ୍ଚ କରୁଥିବାର ଦେଖିବାକୁ ମିଳିଥିଲା । ଏନେଇ ଗୁରାଣ୍ଡି ଥାନାରେ ୨/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଆଜି ମଙ୍ଗଳବାର ଶବ ବ୍ୟବଚ୍ଛେଦ ସମ୍ପନ୍ନ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଆରିବା ଗ୍ରାମରେ ଶୋକାକୁଳ ପରିବେଶରେ ଉଭୟ ଶବକୁ ସତ୍କାର କରାଯାଇଛି । ତେବେ ଏହି ଘଟଣା ଆତ୍ମହତ୍ୟା ନା ହତ୍ୟା ସନ୍ଦେହ ଘେରରେ ରହିଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପରିସ୍ଥିତିକୁ ନଜର ରଖି ତଦନ୍ତ ଜୋରଦାର କରାଯାଇଛି ବୋଲି କହିଛନ୍ତି ପାରଳାଖେମୁଣ୍ଡି ଏସ୍‌ଡିପିଓ ରାମକୃଷ୍ଣ ପତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ