ପ୍ରେରଣା ପକ୍ଷରୁ ସବୁଜ ସୁନ୍ଦର ଭୁବନେଶ୍ୱର ଅଭିଯାନ ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଭୁବନେଶ୍ୱରକୁ ସବୁଜ ସୁନ୍ଦର ଓ ପ୍ରଦୂଷଣମୁକ୍ତ କରିବା ପାଇଁ ଆଜିଠାରୁ ପ୍ରେରଣା ପକ୍ଷରୁ ଆରମ୍ଭ ହୋଇଛି ସବୁଜ, ସୁନ୍ଦର ଓ ପ୍ରଦୂଷଣମୁକ୍ତ ଭୁବନେଶ୍ୱର ଅଭିଯାନ । ସାମାଜିକ ଅନୁଷ୍ଠାନ ପ୍ରେରଣା ଓ ସିଟି କ୍ଲବ ଓ ୩୮ ନମ୍ବର ୱାର୍ଡ଼ର ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ ନୟାପଲ୍ଲୀ ଦେବରାୟ କଲେଜ ପରିସର ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପରିବେଶବିତ୍ ଡଃ ଭଗବାନ ପ୍ରକାଶ ଯୋଗଦେଇ ବୃକ୍ଷ ରୋପଣ କରିବା ସହିତ ସାମ୍ପ୍ରତିକ ସମୟରେ ବୃକ୍ଷ ରୋପଣ ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ନିତାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ବୃକ୍ଷ ରୋପଣ କରିବା ସହିତ କହିଥିଲେ ଯେ, ଭୁବନେଶ୍ୱରକୁ ସବୁଜ, ସୁନ୍ଦର ଓ ପ୍ରଦୂଷଣମୁକ୍ତ କରିବା ପାଇଁ ଅଧିକରୁ ଅଧିକ ଗଛ ଲଗାଇବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗଦେଇ ବୃକ୍ଷ ରୋପଣ କରିବା ସହିତ କହିଲେଯେ, ମହାନଗର ନିଗମ ପକ୍ଷରୁ ସମସ୍ତ କର୍ପୋରେଟରମାନଙ୍କୁ ନେଇ ଆଗାମୀ ଦିନରେ ବ୍ୟାପକ ବୃକ୍ଷ ରୋପଣ କରାଯିବ । ପ୍ରେରଣାର ସଭାପତି ଡଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ଗଭର୍ଣ୍ଣର ଶ୍ରୀ ଯଜ୍ଞାଶୀଷ ମହାପାତ୍ର ଯୋଗଦେଇ ବୃକ୍ଷ ରୋପଣ କରିବା ସହିତ ରୋଟାରୀ କ୍ଲବ ବୃକ୍ଷ ରୋପଣ ଉପରେ ଅଧିକ ଧ୍ୟାନ ଦେବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି ଶ୍ରୀ ପ୍ରକାଶ ଶ୍ରୀଚନ୍ଦନ ଏଥିରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କହିଲେ ଯେ, ଓଡ଼ିଶାର ସମସ୍ତ ପାଇକ ବାହିନୀ ବୃକ୍ଷ ରୋପଣ ଭଳି ଏହି ମହତ କାର୍ଯ୍ୟରେ ଯୋଗଦାନ କରିବେ । ଏଥିରେ ଭୁବନେଶ୍ୱର ମହାନଗର ନିଗମର ଡ଼େପୁଟି ମେୟର ମଞ୍ଜୁଲତା କହଁର, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ଓ ସମାଜସେବୀ ସୁଶ୍ରୀ ତୃପ୍ତି ମିରାମ୍ବିକା ସାହୁ ଅତିଥି ରୂପେ ଯୋଗଦାନ କରିବା ସହିତ ବୃକ୍ଷ ରୋପଣ କରିଥିଲେ । ବୃକ୍ଷ ରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ତାଙ୍କୁ ସବୁଜ ରାଜକୁମାରୀ ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିସହିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ଘଡ଼ାଇ, ବିଶିଷ୍ଟ ସମାଜସେବୀ ସମରେନ୍ଦ୍ର ଜେନା, ସିଟି କ୍ଲବର ସମ୍ପାଦକ ପ୍ରଦୀପ କୁମାର ରାଉତରାୟ, ମହାନଗର ନିଗମର ୩୮ ନମ୍ବର ଜୋନ୍‌ର କର୍ପୋରେଟର ପଦ୍ମଜା ପ୍ରିୟଦର୍ଶିନୀ ଜେନା, ସମାଜସେବୀ ବୈଜୟନ୍ତୀ ସାହୁ ପ୍ରମୁଖ ବୃକ୍ଷ ରୋପଣ କରିବା ସହିତ ଏହି ଅଭିଯାନକୁ ଆଗାମୀ ଦିନରେ ଆହୁରି କ୍ରିୟାଶୀଳ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମର ସମସ୍ତ କର୍ପୋରେଟରମାନେ ବୃକ୍ଷ ରୋପଣ କରିବା ସହିତ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପୂର୍ବତନ କର୍ପୋରେଟର ଶ୍ରୀ ନବକିଶୋର ବେହେରା, ସମାଜସେବୀ ସୁଜିତ କୁମାର ଦାସ, ମିଲନ ପାଇକରାୟ, ଶିକ୍ଷାବିତ୍ ଜଲିଲ ଖାନ, ଯୁବ ସମାଜସେବୀ ମୀର ଅହମ୍ମଦ ଅଲ୍ଲୀ, ନିଲୁ ଖୁଣ୍ଟିଆ ପ୍ରମୁଖ ବହୁ ସ୍ୱେଚ୍ଛାସେବୀ ଯୋଗଦେଇ ବୃକ୍ଷ ରୋପଣ କରିବା ସହିତ ସେମାନଙ୍କୁ ବୃକ୍ଷ ରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ