ଫାର୍ମାସିଷ୍ଟଙ୍କ ମନମୁଖୀ ଶାସନ ପ୍ରତିବାଦରେ ଛେଳିଗଡ ଡାକ୍ତରଖାନାରେ ତାଲା
ପାରହଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ଛେଳିଗଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଲା ପକାଇଲେ ସ୍ଥାନୀୟ ଲୋକେ । ଏହି ସ୍ୱସ୍ଥ୍ୟକେନ୍ଦ୍ର ଉପରେ ଛେଳିଗଡ ଅବାରସିଂ, ରଣ୍ଡିବା ଆଦି ପଞ୍ଚାୟତ ସମତେ ପାଖାପାଖି ୫୦ରୁ ଉର୍ଦ୍ଧ ଗ୍ରାମବାସୀ ନିର୍ଭର କରନ୍ତି । ତେବେ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇଥିବା ଡାକ୍ତର ନିୟମିତ ରହୁନଥିବା ବେଳେ ଫାର୍ମାସିଷ୍ଟ ମନମୁଖୀ କାର୍ଯ୍ୟ କରୁଥିବାର ଲୋକେ ଅଭିଯୋଗ କରିଛନ୍ତି । ଫାର୍ମାସିଷ୍ଟ ଚିକିତ୍ସା ପାଇଁ ଲୋକଙ୍କ ଠାରୁ ଟଙ୍କା ଦାବି କରିବା ସହ ଦୁର୍ବ୍ୟବହାର କରୁଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ଲୋକେ ବାରମ୍ବାର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କେହି ଅଭିଯୋଗ ଶୁଣୁନାହାନ୍ତି । ଏଣୁ ବାଧ୍ୟ ହୋଇ ମେଡିକାଲରେ ତାଲା ପକାଯାଇଛି ବୋଲି ଲୋକେ କହିଛନ୍ତି । ତେବେ ଡାକ୍ତରଙ୍କ ବାସଗୃହକୁ ଫାର୍ମାସିଷ୍ଟ ମାଡିବସିଥିବା ଓ ମେଡିକାଲ କର୍ମଚାରୀଙ୍କୁ ଦୁର୍ବବହାର କରୁଥିବା ଯୋଗୁଁ ସେ ରହୁ ନଥିବାର ଡାକ୍ତର କହିଛନ୍ତି । ଅନ୍ୟପକ୍ଷରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଫାର୍ମାସିଷ୍ଟ ଜଣକ । ଏହି ସମସ୍ୟାର ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁ ବୋଲି ସ୍ଥାନୀୟ ଲୋକେ କହିିଛନ୍ତି ।


