ଫାସିବନ୍ଧ ଓ ବିଛାପଟା ଗ୍ରାମବାସୀ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଦିଗପହଣ୍ଡି ବ୍ଳକ ପାଟପୁର ଥାନା ଅନ୍ତର୍ଗତ ସହଦେବ ଟିକରପଡ଼ା ପଞ୍ଚାୟତର ଫାସିବନ୍ଧ ଓ ବିଛାପଟା ଗ୍ରାମବାସୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବର ପ୍ରକାରେ ଗତକାଲି ଫାସିବନ୍ଧ ଗ୍ରାମକୁ ଆସି ପଡୋଶୀ ବିଛାପଟା ଗାଁର ୧୫ରୁ ଉର୍ଦ୍ଧ୍ବ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିବା ସହ ୨ ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଫାସିବନ୍ଧ ଗାଁ ଲୋକେ ସଂଘବଦ୍ଧ ହୋଇ ପ୍ରତି ଆକ୍ରମଣ କରିବାରୁ ସେମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି। ପାଟପୁର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀ ମାନେ ଛାଡ଼ି ଯାଇଥିବା ୩ ଟି ବାଇକ , ଗୋଟିଏ ଖଣ୍ଡା ଜବତ କରିଛନ୍ତି । ବିଛାପଟା ଗ୍ରାମବାସୀଙ୍କ ଆକ୍ରମଣରେ ଫାସିବନ୍ଧ ଗ୍ରାମର କମଳା ପାତ୍ର ନାମ୍ନୀ ଜଣେ ମହିଳାଙ୍କ ସମେତ କୃଷ୍ଣ ପାତ୍ର ଏବଂ ଲବ ପାତ୍ର ଆହାତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ କୃଷ୍ଣ ଏବଂ ଲବଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି । ଗତ କିଛି ଦିନ ପୂର୍ବେ ବିଛାପଟା ଗ୍ରାମର କୈଳାସ ବେହେରାଙ୍କ ପୁଅର ବାଇକ ଧକ୍କାରେ ଫାସିବନ୍ଧ ଗାଁ ର କୃଷ୍ଣ ପାତ୍ରଙ୍କ ହାତ ଭାଙ୍ଗି ଯାଇଥିଲା । ଉଭୟ ପକ୍ଷଙ୍କ ସହମତି ପ୍ରକାରେ କୈଳାସ ଚିକିତ୍ସା ବାବଦରେ ୩ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ । କିନ୍ତୁ ତାହା ଦେଇ ନଥିଲେ । ଏହାକୁ ନେଇ ୨ ଗାଁ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ବୁଧବାର କୈଳାସ ବାଇକ ଯୋଗେ ଫାସିବନ୍ଧ ଗାଁକୁ ଆସିଥିବା ବେଳେ କୃଷ୍ଣ ଏବଂ ଅନ୍ୟମାନେ ବାଇକଟିକୁ ଛଡାଇ ରଖି ଦେଇଥିଲେ । କୈଳାସ ଗାଁ କୁ ଯାଇ ସବୁକଥା କହିଥିଲେ । ଏଥିରେ ଉତ୍ତେଜିତ ହୋଇ ବିଛାପଟା ଗାଁ ର ୧୫ ରୁ ଉର୍ଦ୍ଧ୍ବ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ଗାଁ ରେ ପଶି ଅତର୍କିତ ଆକ୍ରମଣ କରିଥିଲେ ।ଗ୍ରାମବାସୀ ସଂଘବଦ୍ଧ ହୋଇ ପାଲଟା ଆକ୍ରମଣ କରିବାରୁ ସେମାନେ ପ୍ରାଣ ବିକଳରେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି ।ରିପୋର୍ଟ ଲେଖାହେବା ସୁଦ୍ଧା ଏନେଇ କୌଣସି ପକ୍ଷ ଥାନାରେ ଏତଲା ଦେଇନଥିବା ବେଳେ ୩ ଜଣ ଙ୍କୁ ଗିରଫ କରି ପାଟପୁର ଥାନାରେ ଅଟକ ରଖାଯାଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।


