ଫିଲିପାଇନ୍ସରେ ଲାଭା ଉଦ୍ଗୀରଣ: ୮ ହଜାର ଲୋକ ସ୍ଥାନାନ୍ତର
ମାନିଲା: ଫିଲିପାଇନ୍ସ ରାଜଧାନୀ ମାନିଲା ନିକଟବର୍ତ୍ତୀ ଏକ ଆଗ୍ନେୟଗିରିରୁ ରବିବାର ଲାଭା ଉଦ୍ଗୀରଣ ହେବା ଫଳରେ ସ୍ଥାନ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ଲାଭା ଉଦ୍ଗୀରଣ ହେବା ଫଳରେ ଉକ୍ତ ଅଞ୍ଚଳର ଆକାଶରେ ପାଉଁଶ ଭର୍ତ୍ତି ହୋଇଯାଇଛି। ସମଗ୍ର ସହରରେ ପାଉଁଶର ଏକ ଆସ୍ତରଣ ସୃଷ୍ଟି ହୋଇଛି। ଫଳସ୍ବରୂପ ଉକ୍ତ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରୁ ପାଖାପାଖି ୮ ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବିଶେଷକରି ବିଶେଷଜ୍ଞମାନେ ଉକ୍ତ ଆଗ୍ନେୟଗିରିରୁ ପୁନର୍ବାର ଲାଭା ଉଦ୍ଗୀରଣ ହେବାର ଆଶଙ୍କା ବ୍ୟକ୍ତ କରିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।
ତାଲ୍ ଆଗ୍ନେୟଗିରି ଓ ଅନ୍ୟାନ୍ୟ ବିପଦପୂର୍ଣ୍ଣ ସ୍ଥାନ ନିକଟରେ ବସବାସ କରୁଥିବା ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ନ୍ୟାସନାଲ୍ ଡିଜାଷ୍ଟର୍ ରିକ୍ସ ରିଡକ୍ସନ୍ ଏଣ୍ଡ୍ ମ୍ୟାନେଜ୍ମେଣ୍ଟ୍ କାଉନ୍ସିଲ୍ ପକ୍ଷରୁ ପରାମର୍ଶ ଦିଆଯିବା ପରେ ସେମାନଙ୍କୁ ସ୍ଥାନାନ୍ତର କରାଯାଇଛି। ପ୍ରଥମ ଲାଭା ଉଦ୍ଗୀରଣ ହେବା ପରେ ପାଖାପାଖି ୯ କିମି ଉଚ୍ଚ ପର୍ଯ୍ୟନ୍ତ ଆକାଶ ଧୂଆଁମୟ ହୋଇଯାଇଥିଲା। ସୂଚନାଯୋଗ୍ୟ ଯେ ବିଶ୍ବର ଅନ୍ୟତମ ସକ୍ରିୟ ଆଗ୍ନେୟଗିରି ତାଲ୍ ମାନିଲାର ଦକ୍ଷିଣ ଦିଗରେ ୭୦ କିମି ଦୂରବର୍ତ୍ତୀ ଏକ ହ୍ରଦର ମଧ୍ୟଭାଗରେ ଅବସ୍ଥିତ। ବିଶେଷଜ୍ଞମାନେ କହିଛନ୍ତି ଯେ ଉକ୍ତ ଆଗ୍ନେୟଗିରିରୁ ଲାଭା ଉଦ୍ଗୀରଣ ହେଲେ ଉକ୍ତ ହ୍ରଦରେ ସୁନାମୀ ଆସିବାର ଯଥେଷ୍ଟ ଆଶଙ୍କା ରହିଛି। ତାଲ ଏକ କ୍ଷୁଦ୍ର ଆଗ୍ନେୟଗିରି ହେଲେ ମଧ୍ୟ ତାହା ବେଶ୍ ବିପଜ୍ଜନକ ବୋଲି ଫିଲିପାଇନ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭଲ୍କାନୋଲୋଜି ଏଣ୍ଡ୍ ସିସ୍ମୋଲୋଜିର ମୁଖ୍ୟ ରେନାଟୋ ସୋଲିଡମ୍ କହିଛନ୍ତି।


