ଫେସବୁକ ହ୍ୟାକ ନାଁରେ ଜାଲିଆତି
ଦିପ୍ତିମୟୀ ନାୟକ
ଆଜିକାଲି ବହୁତ ଲୋକ ଫେସବୁକର ବହୁଳ ବ୍ୟବହାର କରୁଛନ୍ତି | ଯେହେତୁ ଫେସବୁକ ଗୋଟେ ସୋସିଆଲ ଆପ୍ପ ଏହି ଆପ୍ପ ମାଧ୍ୟମରେ ସୁଦୂର ସମ୍ପର୍କ ଦୃଢ ହୋଇପାରୁଛି | ହୁଏତ ଏହି ଫେସବୁକରେ ଆମ ମାନଙ୍କୁ ବେଳେବେଳେ କିଛି ଭଲ ସାଙ୍ଗ ମିଳନ୍ତି ଆଉ କିଛି ମନ୍ଦ ସାଙ୍ଗ ସାଙ୍ଗ ମିଳିଥାନ୍ତି କିନ୍ତୁ ଅନେକ ସମୟରେ ଏହି ଫେସବୁକ ମାଧ୍ୟମରେ ଅନେକ ଲୋକ ଠକାମୀର ଶିକାର ହୋଇଥାନ୍ତି | ଆଉ ବେଳେବେଳେ କେହି କେହି ନିଜ ଆକାଉଣ୍ଟ ହ୍ୟାକ ହୋଇଛି ବୋଲି ସାଇବର ଥାନାରେ ଅଭିଯୋଗ ମଧ୍ୟ କରିଥାନ୍ତି | କିନ୍ତୁ ବର୍ତ୍ତମାନ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇ ନିଜ ଆକାଉଣ୍ଟ ହ୍ୟାକ ହୋଇଛି ବୋଲି ଫେସବୁକରେ ଗୋଟେ ଲମ୍ବା ପୋଷ୍ଟ କରିଦିଅନ୍ତି | ଯଦି ନିଜ ମନ୍ତବ୍ୟରେ ନିଜେ ସନ୍ତୁଷ୍ଟ ନୁହଁ ତେବେ କାହିଁକି ଏମିତି ଅଶାଳୀନ ମନ୍ତବ୍ୟ ଦେବ ଆଉ ନିଜେ ନିଜର ସତ୍ୟତା ଲୁଚାଇବାକୁ ଯାଇ ନିଜ ଆକାଉଣ୍ଟ ହ୍ୟାକ ହୋଇଛି ବୋଲି ସୋସିଆଲ ମିଡିଆରେ କହିବ | ଯଦି ସତରେ ଆକାଉଣ୍ଟ ହ୍ୟାକ ହେଉଛି ତେବେ କାହିଁକି ଏମାନେ ସାଇବର ଥାନାକୁ ଯାଇ କିଛି ଅଭିଯୋଗ କରୁନାହାନ୍ତି ଏହା ହେଉଛି ଆଜିର ଦିନର ସବୁଠାରୁ ବଡ଼ ପ୍ରସଙ୍ଗ |ତେବେ ରାତି ପାହିଲେ କିଛି ଲୋକ ଟିଭି ଖୋଲିବା ବଦଳରେ ନିଜ ମୋବାଇଲଟାକୁ ଖୋଲିଦିଅନ୍ତି | ଆଉ ସେଥିରେ ଥିବା କିଛି ଆପ୍ପକୁ ନଦେଖି ଲୋକମାନେ ଆଗ ଫେସବୁକକୁ ଟିକେ ଆଡେଇ ଦିଅନ୍ତି | ଆଉ ତାପରେ ଦେଖନ୍ତି କିଛି ଲୋକ ଅନେକ ଜାଗାରେ ଭୁଲ ଲେଖି ନିଜକୁ ମହାଜ୍ଞାନୀ ପଣ୍ଡିତ ବୋଲି ପ୍ରମାଣିତ କରିବାକୁ ଯାଇ ଲୋକହସା ହୁଅନ୍ତି ଆଉ ତାପରେ କୁହନ୍ତି ମୋ ଫେସବୁକ ଆକାଉଣ୍ଟ ହ୍ୟାକ ହୋଇଛି ଏବଂ ସେହି ଫେସବୁକକୁ ଆଉ କେହିଜଣେ ଚଲେଇ ଲୋକମାନଙ୍କୁ ଗାଳି ଗୁଲଜ କରିବା ସହ ଲୋକଙ୍କୁ ଟଙ୍କା ମାଗୁଛି | ତେବେ ସେହିମାନଙ୍କୁ ଗୋଟେ କଥା ଆପଣଙ୍କ ଆକାଉଣ୍ଟ ସତରେ ହ୍ୟାକ ହୋଇଛି ତ | କାହିଁକି ଏମିତି ନିଜ ଭୁଲକୁ ଲୁଚେଇବା ପାଇଁ ଏମିତି ମିଛ କଥା ଫେସବୁକରୁ ପୋଷ୍ଟ କରୁଛ | ଯଦି ନିଜକୁ କିଛି ଜଣାନାହିଁ ତେବେ ଅନ୍ୟମାନଙ୍କ ଠାରୁ କିଛି ଶିଖିବାକୁ ଚେଷ୍ଟା କର | ତମକୁ କେହି ମୂର୍ଖ କହିବେନି ବରଂ ସେହିମାନେ ଖୁସି ହେବେ ଆପଣଙ୍କର କିଛି ଜାଣିବାର ଅଛି ଆଉ ଆପଣ ସେସବୁକୁ ଜାଣିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଏମିତି ନିଜକୁ ମହାନ ପଣ୍ଡିତ ସଜେଇ ତମେ କାହିଁକି ନିଜକୁ ମୂର୍ଖ ବୋଲି ପ୍ରମାଣିତ କରୁଛ | ଯେତେବେଳେ ଯିଏ ଯେଉଁ ପୋଷ୍ଟ କରୁଛନ୍ତି ଯଦି ଆପଣ ଦେଖୁଛନ୍ତି ତେବେ ସେହି ପୋଷ୍ଟଟି କଣ ପାଇଁ କରାଯାଇଛି ଏବଂ ସେଥିରେ କଣ ଲେଖାଯାଇଛି ଆଗ ପଢିକି ବୁଝନ୍ତୁ ତାପରେ ନିଜର ମନ୍ତବ୍ୟ ଦିଅନ୍ତି | କେବଳ ଧାଡି ଦେଖି ମାଡିଗଲେ କଣ ହେବ ଆଗ ଧାଡିରେ ଚାଲିବା ଶିଖନ୍ତୁ ଆଉ ତାପରେ ମାଡି ଚାଲନ୍ତୁ | ଆଜିବି ଅନେକ ଲୋକ ଅଛନ୍ତି ଯେଉଁମାନେ କୁହନ୍ତି ମୁଁ କିଛି ଜାଣିନି ମୁଁ ତ ବାସ ଶିଖୁଛି | ମୋତେ ଆହୁରି କିଛି ଶିଖିବାର ଅଛି ହେଲେ ଏହି ମହାନ ପଣ୍ଡିତ ମାନେ ନିଜକୁ ମହାନ ଭାବି ବେଳେବେଳେ ଏମିତି କିଛି ନିଜର ମନ୍ତବ୍ୟ ଦିଅନ୍ତି ଆଉ ଅନ୍ୟମାନେ ଯେତେବେଳେ ପଚାରିବାକୁ ଲାଗନ୍ତି ତୁମେ ଏମିତି କାହିଁକି ନିଜର ମତ ଦେଲ ଏବଂ ସେ ଯାହା ଲେଖିଥିଲେ ତାର ପ୍ରକୃତ ଉତ୍ତର କଣ | ସେତେବେଳେ ସେହି ମହାନ ପଣ୍ଡିତ ମାନେ କୁହନ୍ତି ମୁଁ ସେହି ମତ ଦେଇନି | ମୋ ଆକାଉଣ୍ଟ ହ୍ୟାକ ହୋଇଛି | ତେବେ ଗୋଟେ କଥା କୁହନ୍ତୁ ଯଦି କେହିଜଣେ ଆପଣଙ୍କ ମତାମତରେ ହଁରେ ହଁ ମିଶାଏ ତେବେ ସେତେବେଳେ ଆପଣଙ୍କ ଆକାଉଣ୍ଟ ହ୍ୟାକ ହୁଏନି ଆଉ ଯେତେବେଳେ ଆପଣଙ୍କ ଭୁଲ ମନ୍ତବ୍ୟରେ ଆପଣଙ୍କୁ ଭୁଲ ବୋଲି ପ୍ରମାଣିତ କରିଦିଏ ସେତେବେଳେ ଆପଣଙ୍କ ଆକାଉଣ୍ଟ ହ୍ୟାକ ହୋଇଯାଏ | ଯଦି ଆପଣଙ୍କ ଆକାଉଣ୍ଟ ସତରେ ହ୍ୟାକ ହୋଇଥାଏ ଆପଣ କାହିଁକି ସାଇବର ଥାନାର ସହାୟକ ନିଅନ୍ତିନି ପୁଣି କେମିତି ଆପଣଙ୍କ ଆକାଉଣ୍ଟକୁ ଆପଣ ଫେରି ପାଆନ୍ତି | ଯଦି ସୋସିଆଲ ମିଡିଆରେ ଆପଣ ସଦାସର୍ବଦା ସକ୍ରିୟ ରହୁଛନ୍ତି ତେବେ ଭୁଲ ମନ୍ତବ୍ୟ ଦିଅନ୍ତୁନି କି ଏମିତି ଲୋକହସା ହୋଇ ନିଜ ଆକାଉଣ୍ଟ ନିଜେ ହ୍ୟାକ କରି ଅନ୍ୟ ମୁଣ୍ଡରେ ଅଠା ବଳନ୍ତୁନି ବରଂ ନିଜ ଭୁଲକୁ ସ୍ୱୀକାର କରନ୍ତୁ | ପ୍ରତ୍ୟେକ ଲୋକ ପ୍ରତ୍ୟେକ ଲୋକଙ୍କ ଠାରୁ କିଛି ନା କିଛି ଶିକ୍ଷା ପାଆନ୍ତି | କାରଣ ସମସ୍ତଙ୍କର ଜ୍ଞାନ ସମାନ ନଥାଏ | ଆଉ ଯିଏ ନିଜକୁ ଶ୍ରେଷ୍ଠ ଭାବି ଅନ୍ୟକୁ ଆକ୍ଷେପ କରି କହିବା ଆରମ୍ଭ କରିଦିଏ ସେ ହିଁ ଲୋକହସା ହୋଇଥାଏ | ତେବେ ନିଜକୁ ମଜବୁତ କରି ଗଢି ତୋଳନ୍ତୁ କିନ୍ତୁ ଏମିତି ଲୋକହସା ହେଲାଭଳି କୌଣସି କାର୍ଯ୍ୟ ନକରନ୍ତୁ | ଆଜିର ଦିନରେ ସମସ୍ତେ ଶିକ୍ଷିତ କିନ୍ତୁ ଯେଉଁମାନେ ଶିକ୍ଷିତ ମାନଙ୍କୁ ମୂର୍ଖ ସଜେଇବା ପାଇଁ ଅନେଇ ବସିଥାନ୍ତି ସେମାନେ ହିଁ ସର୍ବ ସମ୍ମୁଖରେ ମୂର୍ଖର ପରିଚୟ ପାଇଥାନ୍ତି | କାରଣ ଗୋଟେ ଶିକ୍ଷିତ ଲୋକ କେବେ ଅନ୍ୟକୁ ମୂର୍ଖ ସଜେଇବାପାଇଁ ଅନେଇ ବସେନି ହେଲେ ଏହିଭଳି କିଛି ଲୋକ ଯେପର୍ଯ୍ୟନ୍ତ ଆମ ସମାଜରେ ଅଛନ୍ତି ଅନ୍ୟକୁ ସହି ନପାରି ନିଜକୁ ମୂର୍ଖ ବୋଲି ବାରମ୍ବାର ପ୍ରମାଣିତ କରିଥାନ୍ତି |ତେଣୁ ବାରମ୍ବାର ସୋସିଆଲ ମିଡିଆରେ ନିଜକୁ ସାଧୁର ପରିଚୟ ଦିଅନ୍ତୁନି ଯଦି ଆପଣଙ୍କର ଆକାଉଣ୍ଟ ସତରେ ହ୍ୟାକ ହେଉଛି ତେବେ ଆପଣ ସାଇବର ଥାନାରେ ଅଭିଯୋଗ କରନ୍ତୁ | କିନ୍ତୁ ଲୋକହସା ହୋଇସାରିବା ପରେ ନିଜ ଭୁଲକୁ ଲୁଚେଇବାକୁ ଯାଇ ଏମିତି ମିଛ ଅଭିଯୋଗ କେବେବି କରନ୍ତୁନି | କାରଣ ଲୋକଙ୍କୁ ଜଣା ଆପଣଙ୍କ ମତାମତକୁ ଯେତେବେଳେ ଲୋକେ ସମର୍ଥନ କରିବେ ସେତେବେଳେ ଆପଣଙ୍କ ଆକାଉଣ୍ଟ ସୁରକ୍ଷିତ ଆଉ ଯେତେବେଳେ ଆପଣଙ୍କ ମତାମତକୁ ବିରୋଧ କରି ଆପଣଙ୍କୁ ଜଣେଇବେ ସେତେବେଳେ ଆପଣଙ୍କ ଆକାଉଣ୍ଟ ହ୍ୟାକ |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ
ଅନ୍ଧାରୁଆ, ଭୁବନେଶ୍ୱର


