ବକେୟା ଟଙ୍କା କୁ ନେଇ ମରଣାନ୍ତକ ଆକ୍ରମଣ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ବକେୟା ଟଙ୍କାକୁ ନେଇ ମରଣାନ୍ତକ ଆକ୍ରମଣ ଘଟଣା ଘଟିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଡିମ୍ବିରିପଙ୍କାଳ ଗ୍ରାମରୁ କେନ୍ଦୁପଦା ଗ୍ରାମ ନିକଟରେ ମିଖାଇଲ ଶବର ନାମକ ଜଣେ ବ୍ୟକ୍ତି ମୋହନା ସହରକୁ ଆସିବା ସମୟରେ ଲାଦୃମା ଗ୍ରାମର ଭୀମ ଶବର ନାମକ ଯୁବକ ତାଙ୍କୁ ଅଟକାଇ କରଜ ନେଇଥିବା ଟଙ୍କା ମାଗିଥିଲେ । ତେବେ ମିଖାଏଲଙ୍କ ପାଖରେ ଟଙ୍କା ନଥିବା କହିଥିଲେ ଓ ପରେ ପୈଠ କରିବି ବୋଲି କହିଥିଲେ । ଏତିକିରେ ଭୀମ ଶବର ଉତ୍ତେଜିତ ହୋଇ ମିଖାଏଲ୍ ପାଖରେ ଥିବା ବାଇକ୍ କୁ ଛଢ଼ାଇଥିଲା ଯାହା ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଭୀମଙ୍କ ଆକ୍ରମଣ ରେ ମିଖାଇଲ ଆହାତ ହୋଇ ତଳେ ପଡ଼ିଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ମୋହନା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇ ଚିକିତ୍ସା କରାଯିବା ସହିତ ନିକଟସ୍ଥ ମୋହନା ଥାନା କୁ ଖବର ଦିଆ ଯାଇଥିଲା । ଘଟଣା ସ୍ଥଳରେ ମୋହନା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


