ବକେୟା ବିଲ୍ ନଦେଲେ କଟିବ ଲାଇନ

ଭୁବନେଶ୍ୱର : ଜାନୁଆରି ୧୫ ସୁଦ୍ଧା ଯେଉଁମାନଙ୍କର ବିଦ୍ୟୁତ୍ ବିଲ୍ ବକେୟା ଅଛି ତାହା ତୁରନ୍ତ ପୈଠ ନକଲେ ବିଦ୍ୟୁତ ସଂଯୋଗ କଟାଯିବ । ଜାନୁଆରି ୧୬ରୁ ଫେବ୍ରୁଆରି ୫ ମଧ୍ୟରେ ସେସୁର ୪୧୩ଟି ସ୍କ୍ୱାର୍ଡ ୧୧୩୯୭ଟି ଗାଁ ବୁଲିବୁଲି ବିଦ୍ୟୁତ୍ ବିଲ୍ ବକେୟା ଥିବା ଲୋକଙ୍କ ଘରୁ ବିଦ୍ୟୁତ ସଂଯୋଗ କାଟିବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା ଚେତାଇ ଦେଇଛନ୍ତି ।
ଏହି ଅଭିଯାନରେ ପ୍ରାୟ ୭ଲକ୍ଷ ଘରୁ ବିଦ୍ୟୁତ ସଂଯୋଗ କାଟିବାକୁ ସେସୁ ଲକ୍ଷ୍ୟ ରଖିଛି । ସେସୁର ୨୦ଟି ଡିଭିଜନରେ, ୬୫ଟି ସବଡିଭିଜନରେ, ୨୪୭ଟି ସେକ୍ସନରେ ୧୬୪୩ଟି ରୁଟରେ ବିଦ୍ୟୁତ ସଂଯୋଗ କଟା ଅଭିଯାନ ହେବ । ୧୮ଦିନରେ ଏହି ସ୍କ୍ୱାର୍ଡ ସବୁ ଖିଲାପକାରୀଙ୍କ ଘରୁ ବିଦ୍ୟୁତ ସଂଯୋଗ କାଟିଦେବ । ଗୋଟିଏ ସ୍କ୍ୱାର୍ଡ ଦିନକୁ ୩ରୁ ୪ଟି ଗାଁ ବୁଲି ବୁଲି ଏହି ସଂଯୋଗ କାଟିବାକୁ ନିଷ୍ପତ୍ତି ହୋଇଛି । ଗୁରୁବାର ସେସୁ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବୋଥ୍ରା କହିଛନ୍ତି ଯେ, ଆମେ ବକେୟା ବିଲ୍ ଆଦାୟ ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ପରେ ପ୍ରାୟ ୨୪ଦିନରେ ୧ ଲକ୍ଷ ୧୦ହଜାର ଲୋକ ସେମାନଙ୍କ ବକେୟା ବିଦ୍ୟୁତ୍ ବିଲ୍ ପୈଠ କରିଛନ୍ତି । ଏଥିରେ ୨୧ କୋଟି ଆଦାୟ ହୋଇଛି । ହେଲେ ପ୍ରାୟ ୮ ଲକ୍ଷ ଲୋକଙ୍କ ଉପରେ ମୋଟ୍ ୧୯୭୧ କୋଟି ବକେୟା ଥିବାବେଳେ ଏଥିରୁ ଏବେ ସୁଦ୍ଧା ମାତ୍ର ୨୧ କୋଟି ଆଦାୟ ହୋଇଛି । ଆହୁରି ୧୯୫୧ କୋଟି ବାକି ଅଛି । ଏବେ ବି ୧୯୫୧କୋଟି ଟଙ୍କା ବାକି ଥିବାବେଳେ ସେସୁ ପକ୍ଷରୁ ବକେୟା ବିଲ୍ ଆଦାୟ ପାଇଁ ତିନିଟି ସ୍କିମ୍ କରାଯାଇଛି । ଏଥିରେ ଯେଉଁମାନଙ୍କର ୨୫ହଜାର ପର୍ଯ୍ୟନ୍ତ ବିଲ୍ ବାକି ଅଛି ସେମାନେ ଏବେ ଏହାର ୩୦ ପ୍ରତିଶତ ଡାଉନପେମେଣ୍ଟ ଦେଇ ବକେୟା ବିଲ୍ ତିନିଟି କିସ୍ତିରେ ଦେଇପାରିବେ । ସେହିପରି ୨୫ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଯାହାର ବିଦ୍ୟୁତ୍ ବିଲ୍ ବାକି ଥିବ, ସେମାନେ ଏବେ ବିଲର ୩୦ ପ୍ରତିଶତ ଡାଉନପେମେଣ୍ଟ ଆକାରରେ ଦେଇ ବକେୟା ବିଲ୍ ୪ଟି କିସ୍ତିରେ ଦେଇପାରିବେ । ୫୦ହଜାରରୁ ଅଧିକ ଯେଉଁମାନଙ୍କର ବକେୟା ବିଲ୍ ଅଛି ସେମାନେ ଏବେ ୩୦ ପ୍ରତିଶତ ଡାଉନପେମେଣ୍ଟ ଦେଇ ବାକି ଟଙ୍କା ୬ଟି କିସ୍ତିରେ ଦେଇପାରିବେ । ଯଦି କେହି ୩୦ ପ୍ରତିଶତ ଡାଉନେପମେଣ୍ଟ ଦେବେ ତେବେ ତାଙ୍କର ଏବେ ବିଦ୍ୟୁତ୍ କାଟ ହେବନି । କିନ୍ତୁ ଜାନୁଆରି ୧୫ ମଧ୍ୟରେ ବିଲ୍ ଦେବା ଦରକାର । ବକେୟା ବିଲ୍ ଦେବା ପାଇଁ ସେସୁ ପକ୍ଷରୁ ୧୨୫୧.୩୬ କୋଟି ବାକି ଥିବା ୮ଲକ୍ଷ ୩୬ହଜାର ୨୬୯ଜଣ ଘରୋଇ ଗ୍ରାହକ, ୨୪୩କୋଟି ବକେୟା ବିଲ୍ ପାଇଁ ୫୯,୧୯୦ଜଣ ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ୍ ହୋଇଛି । ଏହାସହ ଲିଫ୍ଲେଟ୍, ମାଇକ୍ ପ୍ରଚାର ମାଧ୍ୟମରେ ସେସୁ ପକ୍ଷରୁ ପ୍ରଚାର କରାଯାଇଛି । ହେଲେ ଅଧିକାଂଶ ଲୋକ ବିଲ୍ ଦେଇନଥିବାରୁ ସେସୁ କଠୋର ପଦକ୍ଷେପ ନେବ ବୋଲି ଶ୍ରୀ ବୋଥ୍ରା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ