ବଢ଼ିଲା ଜେଇଇ ମେନ୍ ଆବେଦନ ଅବଧି
ନୂଆଦିଲ୍ଲୀ: ସାମ୍ପ୍ରତିକ ସମୟରେ କୋରୋନା ଭୂତାଣୁ ସଂକ୍ରମଣ ରୋକିବା ସକାଶେ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଜାରି ରହିଛି। ଏହି ପରିସ୍ଥିତି ପାଇଁ ବଢ଼ିଲା ଜେଇଇ ମେନ୍ ଆବେଦନ ଅବଧି। ମେ ୧୯ଠୁ ୨୪ ଯାଏ ଛାତ୍ରଛାତ୍ରୀମାନେ ଅନଲାଇନରେ ଜେଇଇ ମେନ୍ ୨୦୨୦ ଲାଗି ନୂତନ ଭାବେ ଆବେଦନ ଏବଂ ପୂର୍ବରୁ କରିଥିବା ଆବେଦନ ପକ୍ରିୟା ଶେଷ କରି ଦାଖଲ କରିପାରିବେ। ଏନେଇ ଏନଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ଅନଲାଇନରେ ଜେଇଇ ମେନ୍ ୨୦୨୦ ପାଇଁ jeemain.nta.nic.in ୱେବସାଇଟ ଜରିଆରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୨୪ ସଂଧ୍ୟା ୫ଟା ଏବଂ ସେହିଦିନ ୧୧ଟା ୫୦ ମଧ୍ୟରେ ଫି ଦାଖଲ କରିବା ଲାଗି ଶେଷ ସମୟ ରଖାଯାଇଛି। ବିଦେଶରେ ଶିକ୍ଷାଲାଭ ପାଇଁ ଯୋଜନା କରିଥିବା ବହୁ ଛାତ୍ରଛାତ୍ରୀ ପରିବର୍ତ୍ତିତ ପରିସ୍ଥିତିରେ ଦେଶ ଭିତରେ ଅଧ୍ୟୟନ ପାଇଁ ଚାହୁଁଥିବା ଏବଂ ଜେଇଇ ମେନ୍ ପରୀକ୍ଷା ଦେବାକୁ ଆଗ୍ରହୀ ଥିବାରୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ଆଉ ଗୋଟିଏ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଜେଇଇ ମେନ୍ ପାଇଁ ଆବେଦନ ପ୍ରକ୍ରିୟା ଶେଷ କରି ନ ଥିଲେ, ସେମାନଙ୍କ ପାଇଁ ଏହା ଏକ ସୁଯୋଗ ହୋଇ ପାରିବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।


