ବରିଷ୍ଠ ଗାନ୍ଧିବାଦୀ ନେତ୍ରୀ ସୁଶ୍ରୀ ରାଧାଭଟ୍ଟଙ୍କୁ ‘ମୋନା’ ତରଫରୁ ଭବ୍ୟ ସମ୍ବର୍ଦ୍ଧନା

ବାଲେଶ୍ୱର, : କେବଳ ଗାନ୍ଧିଜୀଙ୍କ ଫଟୋକୁ ପୂଜା ନକରି ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶକୁ ଗ୍ରହଣ କରି ଏକ ସୁସ୍ଥ ସମାଜ ଗଠନ କରାଯାଇପାରିଲେ ତାହାହିଁ ହେବ ତାଙ୍କପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ବିଶିଷ୍ଟ ଗାନ୍ଧିବାଦୀ ତଥା ସର୍ବୋଦୟ ମଣ୍ଡଳର ସର୍ବଭାରତୀୟ ନେତ୍ରୀ ସୁଶ୍ରୀ ରାଧାଭଟ୍ଟ ୮୬ ବର୍ଷ ବୟସରେ ପ୍ରଥମଥର ପାଇଁ ବାଲେଶ୍ୱର ଗସ୍ତ ଅବସରରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) ତରଫରୁ ଶନିବାର ସନ୍ଧ୍ୟାରେ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଅବସରରେ ସୁଶ୍ରୀ ଭଟ୍ଟ ଏହି ମନ୍ତବ୍ୟ ଦେଇଥିଲେ । ଗ୍ରାମସ୍ୱରାଜ ଉପରେ ଗାନ୍ଧିଜୀ ସର୍ବାଧିକ ଗୁରୁତ୍ୱ ଦେଉଥିଲେ । ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ନିଶାର ପ୍ରାଦୁର୍ଭାବରେ ଯୁବସମାଜ ଆଜି ବିପଥଗାମୀ ହେଉଛନ୍ତି । ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷାନକରି ଜନସାଧାରଣ ନିଶା ବିରୁଦ୍ଧରେ ନିଜ ଅଞ୍ଚଳକୁ ନିଶାମୁକ୍ତ କରିବା ଦିଗରେ ଉଦ୍ୟମ କରିବା ଉଚିତ ବୋଲି ନିଜ ରାଜ୍ୟ ଉତ୍ତରାଖଣ୍ଡର ଉଦାହରଣ ଦେଇ ସୁଶ୍ରୀ ଭଟ୍ଟ ମତପ୍ରଦାନ କରିଥିଲେ । ସ୍ଥାନୀୟ ଉଠାଜଳସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ‘ମୋନା’ର ସଭାପତି ପ୍ରଭାକର ସାହୁ ଅଧ୍ୟତା କରିଥିଲେ । ଜିଲ୍ଲା ସଂପାଦିକା ମମତା ମହାପାତ୍ର, ରାଜ୍ୟ ସଂପାଦକ ରମାକାନ୍ତ ମଣ୍ଡଳ, ଜିଲ୍ଲା ଉପଦେଷ୍ଟା ରୋଟାରିଆନ୍ ସୁବ୍ରତ କର ଓ ପୂର୍ବତନ ସର୍ବୋଦୟ ଜାତୀୟ ଆବାହକ ଆଦିତ୍ୟ ପଟ୍ଟନାୟକ ହିଂସାମୁକ୍ତ ଓ ନିଶାମୁକ୍ତ ଭାରତ ସହ ସମାନତାର ଭାରତ ପ୍ରତିଷ୍ଠା ହେଲେ ଗାନ୍ଧିଜୀଙ୍କ ରାମରାଜ୍ୟର ସ୍ୱପ୍ନ ସାକାର ହେବ ବୋଲି କହିଥିଲେ । ‘ମୋନା’ର ଜିଲ୍ଲା କମିଟି ତରଫରୁ ବରିଷ୍ଠ ସଦସ୍ୟ ଡଃ କେଶବ ଚନ୍ଦ୍ର ପଣ୍ଡା ସୁଶ୍ରୀ ରାଧା ଭଟ୍ଟଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସଂବର୍ଦ୍ଧିତ କରିଥିଲେ । ସଭାକାର୍ଯ୍ୟ ଆରମ୍ଭରେ କଲ୍ୟାଣୀ ନନ୍ଦ ରାଧାଭଟ୍ଟଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଗୌରାଙ୍ଗ ପାଣିଗ୍ରାହୀ ମଞ୍ଚ ଆବାହନ କରିଥିବାବେଳେ ଡଃ କ୍ଷିତିଶ୍ୱର ଦାଶ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଫୁଲ୍ଲ କୁମାର ଦାସ, ସରସ୍ୱତୀ ପଣ୍ଡା, ବନ୍ଦନା ବିଶ୍ୱାସ, ଶ୍ୟାମସୁନ୍ଦର ଜେନା ଓ ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ । ଏହି ସଭାରେ ବାଲେଶ୍ୱର ସହରର ବହୁ ବୁଦ୍ଧିଜୀବି, ସାହିତ୍ୟିକ, ସମାଜସେବୀ ଓ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ