ବର୍ବରତା ସ୍ତ୍ରୀ କୁ ହତ୍ୟା କରି ବିଲରେ ଫିଙ୍ଗିଲା ସ୍ଵାମୀ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ଜିଉରା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ୱାମୀ ସାଜିଲା ସଇତାନ ମଦ୍ଯପ ସ୍ବାମୀର ବର୍ବରତା ଯୋଗୁଁ ନିଜ ସ୍ତ୍ରୀ ଜୟନ୍ତୀ ସାହୁକୁ ନୃଶଂସ ଭାବେ ହତ୍ୟା କରି ବିଲରେ ଫିଙ୍ଗି ଦେଇଥିବା ଜଣାପଡିଛି । ଅଭିଯୁକ୍ତ ସ୍ବାମୀ ଜଣକ ହେଲେ ନାରାୟଣ ସାହୁ (୪୬) ବୋଲି ଜଣାପଡ଼ିଛି।ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଅଭିଯୁକ୍ତ ନାରାୟଣକୁ ଥାନାରେ ଅଟକ ରଖି ପଚରାଉଚରା କରି ତଦନ୍ତ କରୁଥିବା ସୂଚନା ମିଳିଛି । ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ଗ୍ରାମର ଦାମ ସାହୁଙ୍କ ଝିଅ ଜୟନ୍ତୀଙ୍କ ସହ ଜିଉରା ଗ୍ରାମର ନାରାୟଣଙ୍କ ସହ ଆଜକୁ ପ୍ରାୟ ୧୫ ବର୍ଷ ତଳେ ବିବାହ ହୋଇଥିଲା । ବର୍ତ୍ତମାନ ଝିଅର ପରିବାର ଲୋକେ ମଧ୍ୟ ଜିଉରା ଗ୍ରାମରେ ରହି ଆସୁଛନ୍ତି । ତେବେ ଉଭୟ ଦମ୍ପତିଙ୍କ ୨ ଟି ପୁଅ ଓ ୧ ଟି ଝିଅ ରହିଥିବା ବେଳେ ନାରାୟଣ ବିଭିନ୍ନ ସମୟରେ ଅତ୍ୟଧିକ ମଦ୍ୟପାନ କରି ଘରକୁ ଆସି ସ୍ତ୍ରୀ ଜୟନ୍ତୀକୁ ମାଡ ମାରୁଥିବା ଝିଅର ପରିବାର ଲୋକେ କହିଛନ୍ତି । ତେବେ ଗତକାଲି ରାତିରେ ନାରାୟଣ ପ୍ରଚୁର ମଦ୍ୟପାନ କରି ଘରକୁ ଆସି ସ୍ତ୍ରୀ ଜୟନ୍ତୀ ସହ କୈାଣସି କାରଣରୁ ଝଗଡ଼ା ପାଟିତୁଣ୍ଡ କରିଥିଲା । ତେବେ ରବିବାର ସକାଳୁ ଘର ବାରିପଟରେ ରହିଥିବା ଅଲଡି ବାରିପଟରେ ଜୟନ୍ତୀଙ୍କ ମୃତଦେହ ପଡ଼ିଥିବା ଗ୍ରାମବାସୀ ଓ ଝିଅର ପରିବାର ସଦସ୍ୟ ଦେଖିବାକୁ ପାଇଥିଲେ । ଘଟଣାପରେ ଗ୍ରାମବାସୀ ନାରାୟଣଙ୍କୁ ଅଟକ କରି ରଖିବା ସହ ପୋଲିସକୁ ଖବର ଦେଇଥିଲେ । ଖବରପାଇ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ପୋଲିସ କର୍ମଚାରୀ ପହଞ୍ଚି ଅଭିଯୁକ୍ତ ନାରାୟଣଙ୍କୁ ଥାନାରେ ଅଟକ ରଖିଥିବା ବେଳେ ତଦନ୍ତ ନିମନ୍ତେ ଅଧିକ ପଚରାଉଚରା ଜାରି ରଖିଛି । ଅନ୍ୟପକ୍ଷରେ ମୃତ ଜୟନ୍ତୀଙ୍କ ଭାଇ ଚେରୁଙ୍କ ଏତଲା କ୍ରମେ ପୋଲିସ ଥାନା କେସ୍ ନଂ ୪୫୮/୨୨ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଅପରାହ୍ନରେ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ଜଣାପଡିଛି । ତେବେ ମହିଳାଙ୍କ ବେକରେ କ୍ଷତ ଚିହ୍ନ ରହିଥିବା ବେଳେ ତଣ୍ଟି ଚିପି ଶ୍ୱାସରୁଦ୍ଧ କରି ମାରିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।


