ସାମ୍ବାଦିକଙ୍କୁ ଆକ୍ରମଣ ମାମଲା ୮ ଦିନ ବିତିଲା ମୁଖ୍ୟ ଅଭିଯୁକ୍ତକୁ ଧରିବାରେ କୋଣାର୍କ ପୋଲିସ ବିଫଳ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ସୂର୍ଯ୍ୟମନ୍ଦିର ସମ୍ମୁଖରେ ଖବର ସଂଗ୍ରହ ସମୟରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ମୁଖ୍ଯ ଅଭିଯୁକ୍ତକୁ ୨ଦିନ ମଧ୍ୟରେ ଗିରଫ କରାଯିବ ବୋଲି କୋଣାର୍କ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଥିବା ବେଳେ ଏହି ପ୍ରତିଶ୍ରୁତି ଫାଇଲ ମଧ୍ଯରେ ସୀମିତ ରହିବା କୋଣାର୍କ ପୋଲିସର ନିଷ୍କ୍ରିୟତା ଭାବନାକୁ ପରିପ୍ରକାଶ କରୁଛି ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଘଟଣାକୁ ୮ଦିନ ବିତିଯାଇଥିଲେ ମଧ୍ୟ ସାମ୍ବାଦିକ ଆକ୍ରମଣର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଧରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଯୋଗୁଁ ପୋଲିସ ପ୍ରଶାସନ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି। ଖବରରୁ ପ୍ରକାଶ ଯେ ସୂଚନା ଥାଉକି,ଗତ ରବିବାର ସୂର୍ଯ୍ୟମନ୍ଦିର ସମ୍ମୁଖରେ ସାମ୍ବାଦିକମାନଙ୍କ ଉପରେ ରାଉଳପାଟଣା ଗ୍ରାମର ରଞ୍ଜୁ ଲେଙ୍କା ଓ ସାଥି ରାଜା ପ୍ରଧାନ ଆକ୍ରମଣ କରିବା ଘଟଣାରେ ସହଯୋଗୀ ରାଜା ପ୍ରଧାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ଯ ଅଭିଯୁକ୍ତ ରଞ୍ଜୁ ଲେଙ୍କାଙ୍କୁ ଗିରଫ କରିବାରେ ସକ୍ଷମ ହୋଇପାରିନାହିଁ। କୋଣାର୍କ ପୋଲିସ ସାମ୍ବାଦିକ ମାନଙ୍କୁ କିଭଳି ଭାବେ ସୁରକ୍ଷା ଦେବା ତ ଦୂରର କଥା ଜଣେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସାମ୍ବାଦିକ ପୋଲିସ ସମନ୍ଵୟ ବୈଠକରେ ମୁଖ୍ୟ ଅଭିଯୁକ୍ତକୁ ୨ଦିନ ମଧ୍ୟରେ ଗିରଫ କରିବା ପାଇଁ ପ୍ରତିଶୃତି ଦେଇ ତାହାର ପାଳନ ନ କରିବା ପୋଲିସର ଭୂମିକାକୁ ସନ୍ଦେହ ପରିସର ମଧ୍ୟକୁ ଠେଲି ଦେଇଛି ବୋଲି କୋଣାର୍କ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କୋଣାର୍କ ଥାନା କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୋଇଥିବାରୁ ଏଠାକାର ବିଧାୟକ ତୁଷାରକାନ୍ତି ବେହେରା ଖୋଦ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ମାତ୍ର ଖୋଦ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ଅସମର୍ଥ ହେବା ମନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତା ପ୍ରତି ଅଂଗୁଳି ନିର୍ଦ୍ଦେଶ କରୁଛି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ଏ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକ ଦୃଷ୍ଟି ଦେଇ ସାମ୍ବାଦିକ ମାନଙ୍କୁ ଆକ୍ରମଣ ମାମଲାର ମୁଖ୍ଯ ଅଭିଯୁକ୍ତ ରଞୁ ଲେଙ୍କାଙ୍କୁ ଗିରଫ କରିବା ପାଇଁ କୋଣାର୍କ କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ଦାବି କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ