ବର୍ଷକରେ ଥରେ ମହାଶିବରାତ୍ରୀରେ ବ୍ୟବହୃତ ଅଭିଶପ୍ତ ଫୁଲ “କେତକୀ”
ଆସିକା, (ୱାଇଏନ୍ଏସ୍):ଦୈନନ୍ଦିନ ଜୀବନରେ ଫୁଲ ଏକ ଅପରିହାର୍ଯ୍ୟ ସାମଗ୍ରୀ । ଦେବଦେବ ମହାଦେବଙ୍କୁ ଦୁଦୁରା, ଅରଖ, ଚମ୍ପା, ନାଗେଶ୍ୱର, ପଳାସ, ତୁଳସୀ ଜଟ ଇତ୍ୟାଦି ପୂଜା କରାଯାଉଥିଲା ବେଳେ ଏମିତି ଅନେକ ଫୁଲ ରହିଛି ଯାହା କେବଳ ବର୍ଷକରେ ଥରେ ବ୍ୟବହାର ହୋଇଥାଏ । ସେଥି ମଧ୍ୟରୁ କେତକୀ ଫୁଲ ଅନ୍ୟତମ । ପୁରାଣ ବର୍ଣ୍ଣିତ ଲୋକକଥା ଅନୁଯାୟୀ ଦେବଦେବ ମହାଦେବଙ୍କ କ୍ରୋଧ ଯୋଗୁଁ ବର୍ଷତମାମ କେତକୀ ଫୁଲ ଅପୂଜିତ ହୋଇରହିଥାଏ । କେତକୀ ଫୁଲ କିଆ ପ୍ରଜାତିର ହୋଇଥିବା ଓ ଏହି କିଆ ଫୁଲର ବ୍ୟବହାର ବିଭିନ୍ନ ସମୟରେ ହେଉଥିବା ବେଳେ କେତେକୀ ଫୁଲ ବର୍ଷକରେ ଥରେ ପୂଜିତ ହୋଇଆସୁଛି । ଦେବଦେବ ମହାଦେବଙ୍କ ଅଭିଶାପ ପରେ କେତକୀ ଫୁଲ ନିଜର ସ୍ୱତନ୍ତ୍ରତା ଓ ଗୁରୁତ୍ୱତା କିଛି ମାତ୍ରାରେ ହରାଇଥିବା ସତ୍ତ୍ୱେ ମହାଶିବରାତ୍ରୀ ଦିନ ରାତ୍ରର ଗୋଟିଏ ପ୍ରହରରେ ଏହି ଫୁଲ ବର୍ଷକରେ ଥରେ ପୂଜା ପାଇଥାଏ । ସବୁ ପ୍ରକାର ଫୁଲ ବର୍ଷତମାମ ଠାକୁରଙ୍କ ନିକଟରେ ପୂଜା ଲାଗୁଥିବା ବେଳେ କେବଳ ବର୍ଷକର ଗୋଟିଏ ଦିନ ଦେବଦେବ ମହାଦେବ ଠାକୁରଙ୍କ ଠାରେ କେତକୀ ଫୁଲ ଲଗାଯାଇଥାଏ । ହିନ୍ଦୁ ସଂପ୍ରଦାୟର ମହାଶିବରାତ୍ରୀ ଏକ ବଡପର୍ବ ହୋଇଥିବାରୁ ଏହି ଫୁଲକୁ ଦେବଦେବ ମହାଦେବଙ୍କୁ ଅର୍ପଣ କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତମାନେ ଅପେକ୍ଷା କରି ରହିଥାନ୍ତି । ସାଂପ୍ରତିକ ପରିସ୍ଥିତିରେ କିଆ ଫୁଲର ଚାହିଦା ରହିବା ସହ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ପାଇଁ କିଆ ଫୁଲ ପ୍ରସ୍ତୁତ ହେଉଛି । ମହାଶିବରାତ୍ରୀ ବ୍ୟତୀତ ଅନ୍ୟ ଦିନରେ କେତେକୀ ଫୁଲ ଅଭିଶପ୍ତ ହୋଇ ରହିଯାଇଥିବା ଆଲୋଚିତ ହେଉଛି । ମହାଶିବରାତ୍ରୀ ଅବସରରେ ଦେବଦେବ ମହାଦେବଙ୍କୁ କେତକୀ ଫୁଲ ଅର୍ପଣ କରି ପୂଜାର୍ଚ୍ଚନା କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଲୋକକଥା ପ୍ରଚଳିତ ଥିବାରୁ ଏହିଦିନ ଶହଶହ ଶ୍ରଦ୍ଧାଳୁ ଭକ୍ତ କେତକୀ ଫୁଲକୁ କିଣି ଅତ୍ୟନ୍ତ ନିଷ୍ଠା ଓ ତ୍ୟାଗର ସହ ମନ୍ଦିରରେ ଦେବଦେବ ମହାଦେବଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି । ବର୍ଷର ଗୋଟିଏ ଦିନ ଏହି କିଆଫୁଲର ଚାହିଦା ଅଧିକ ଥିବାରୁ କେତେକ ବ୍ୟବସାୟୀ ଶ୍ରଦ୍ଧାଳୁଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବହୁ ପରିମାଣର କିଆ ଫୁଲ ବିକ୍ରୀ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ସାଧାରଣତହ କେତକୀ ଫୁଲକୁ ଗୋଟିଏ ଦିନର ରାଣୀ ବୋଲି ସମ୍ବୋଧିତ କରାଯାଇଥାଏ । ସମସ୍ତ ଫୁଲ ବର୍ଷତମାମ ଠାକୁରଙ୍କ ଠାରେ ପୂଜା ଲାଗୁଥିବା ବେଳେ କେବଳ ଅଭିଶପ୍ତ କେତକୀ ଫୁଲ ହିଁ ବର୍ଷକର ଗୋଟିଏ ଦିନ ହିଁ ଶିବରାତ୍ରୀରେ ମହାଦେବଙ୍କ ଠାରେ ଲାଗି କରାଯାଇଥାଏ । ପବିତ୍ର ଶିବରାତ୍ରୀରେ ଏହି କେତକୀ ଫୁଲର ପ୍ରାଧାନ୍ୟତା ଥିବାରୁ ଏହାକୁ ଗୋଟିଏ ଦିନର ରାଣୀ ବୋଲି କୁହାଯାଇଥାଏ । ତେଣୁ ଆସନ୍ତା ବୁଧବାର ଦିନ ପାଳିତ ହେବାକୁ ଥିବା ଶିବରାତ୍ରୀ ପର୍ବ ପାଳନ ପୂର୍ବରୁ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଏହି କେତକୀ ଫୁଲର ଚଢାଦର ସତ୍ତ୍ୱେ ବହୁଳ ବିକ୍ରୀବଟା ଚାଲିଥିବା ଦେଖିବାକୁ ମିଳିଥିଲା


